Image 1732443383

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

State

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ପ୍ରଦାନ କରାଯାଇଛି ।

ତେବେ ସୁଭଦ୍ରା ପ୍ରଥମ କିସ୍ତି ତୃତୀୟ ପର୍ଯ୍ୟାୟର ଟଙ୍କା ମହିଳାଙ୍କୁ ପ୍ରଦାନ କରାଯିବା ପାଇଁ ଆଜି ସୁନ୍ଦରଗଡରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ ।

ତେବେ ଜୁଲାଇ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଶୁଭାରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ଏବେ ପର୍ଯ୍ୟନ୍ତର ୬୦ ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଥିବା ବେଳେ ଆଜି ଆଉ ୨୦ ମହିଳାଙ୍କୁ ଏଥିରେ ସାମିଲ କରାଯାଇଛି । ଏଥିସହିତ ଏହା ମୋଟ ୮୦ ଲକ୍ଷ ଛୁଇଁଛି । ତେବେ ଏବେ ପର୍ଯ୍ୟନ୍ତ ମୋଟ ୧ କୋଟି ୧୬ ଲକ୍ଷ ମହିଳା ଆବେଦନ କରିଥିବା ବେଳେ ଏଥିରୁ ମୋଟ ୨ ଲକ୍ଷ ୬୭ ହଜାର ଆବେଦନ ବାଦ୍ ପଡିଛି । ସେଗୁଡିକୁ ଆଜି ସମୀକ୍ଷା କରାଯାଇ ଆଜି କିସ୍ତିରେ ଏହାର ୨୫ ପ୍ରତିଶତଙ୍କୁ ସାମିଲ କରାଯାଇଥିବା ବେଳେ ଆସନ୍ତା ଡିସେମ୍ବରରେ ବଳକା ଯୋଗ୍ୟ ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଏନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ, ଏଥର ତୃତୀୟ କିସ୍ତିରେ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯାଇ ତୃତୀୟ ପର୍ଯ୍ୟାୟ ସୁଦ୍ଧା ମୋଟ ୮୦ ଲକ୍ଷରୁ ଅଧିକ ମହିଳା ସୁଭଦ୍ରା ସହାୟତାରେ ସାମିଲ ହେବେ । ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା ।

ଏଥିସହିତ ବିଭିନ୍ନ କାରଣ ଯୋଗୁଁ ଏବେ ପର୍ଯ୍ୟନ୍ତ ଅନେକ ମହିଳା ସୁଭଦ୍ରା ପାଇନାହାନ୍ତି ବୋଲି ଦର୍ଶାଇଥିଲେ ଉପମୁଖ୍ୟମନ୍ତ୍ରୀ । ସେ କହିଥିଲେ, ୨ ଲକ୍ଷ ୬୭ ହଜାର ରିଜେକ୍ଟକୁ ଛାଡି ଆହୁରି ୫ ଲକ୍ଷ ଆବେଦନକାରୀଙ୍କ ଗୋଟିଏ ନମ୍ବରରରେ ଏକାଧିକ ଆକାଉଣ୍ଟ ଥିବାରୁ ସେମାନଙ୍କ ଖାତାକୁ ଟଙ୍କା ଯିବାରେ ସମସ୍ୟା ହେଉଛି । ଏଥିପାଇଁ ଆବେଦନକାରୀଙ୍କୁ ସିଙ୍ଗିଲ ଆକାଉଣ୍ଟ କରିବାକୁ ଅପିଲ୍ କରିଛନ୍ତି ।

ଏଥିସହିତ ଡିସେମ୍ବରରେ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ସେ କହିଥିଲେ ଡିସେମ୍ବର ସୁଦ୍ଧା ଏକ କୋଟି ମହିଳା ସୁଭଦ୍ରାରେ ସାମିଲ ହେବେ । ପରେ ଜାନୁଆରୀ ଏବଂ ଫେବୃଆରୀରେ ଯେଉଁମାନେ ଆବେଦନ କରିବେ, ସେମାନେ ଏକାଥରେ ମାର୍ଚ୍ଚରେ ଦ୍ବିତୀୟ କିସ୍ତିରେ ଦୁଇଟି କିସ୍ତିର ଟଙ୍କା ପାଇବେ ହିତାଧିକାରୀ ।