Rgr

ଦିଲ୍ଲୀରେ ଓଡ଼ିଶା ପର୍ବ-୨୦୨୪ ଆରମ୍ଭ, ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

National & International

ନୂଆଦିଲ୍ଲୀ: ଓଡ଼ିଶା ସଂସ୍କୃତିର ପ୍ରଚାର ଓ ସୁରକ୍ଷା  ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ଶୁକ୍ରବାର ଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି ‘ଓଡ଼ିଶା ପର୍ବ ୨୦୨୪’ । ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍‌ ନଂ ୧୪ରେ ତିନିଦିନ ଧରି ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ରହିଥିଲେ ।

ଓଡ଼ିଶା ପର୍ବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ରାଜ୍ୟର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ମୂଲ୍ୟବୋଧକୁ ପ୍ରଦର୍ଶନ କରାଯିବ । ଓଡ଼ିଶାର କୋଣ ଅନୁକୋଣର ହସ୍ତଶିଳ୍ପ, ହସ୍ତତନ୍ତ, ନୃତ୍ୟ ଓ ସଙ୍ଗୀତ କଳାକାର ଭାଗନେବେ । ସମାରୋହର ମୁଖ୍ୟ ଆକର୍ଷଣ ହେବ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଯେଉଁଥିରେ ରାଜ୍ୟର ଲେଖକ, ବିଶେଷଜ୍ଞ, କଳାକାର ଓ ଇତିହାସକାରମାନେ ଯୋଗଦେବେ । ନ୍ୟାସନାଲ ବୁକ ଟ୍ରଷ୍ଟ (ଏନ୍‌ବିଟି) ସହଯୋଗରେ ଓଡ଼ିଆ ଲେଖକ ଓ  ପ୍ରକାଶକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁସ୍ତକ ପ୍ରଦର୍ଶନ  କରିବେ । ସମାରୋହରେ ୪୫ଟି ଓଡ଼ିଆ ଖାଦ୍ୟ ଷ୍ଟଲ୍‌,୨୫ ହସ୍ତତନ୍ତ ଓ କଳାଉତ୍ପାଦ ଷ୍ଟଲ ରହିବ ।

ଓଡ଼ିଆ ସଂସ୍କୃତିର ପ୍ରଚାର ପାଇଁ ପ୍ରତିବର୍ଷ ଦିଲ୍ଲୀରେ ଜାତୀୟ ମଞ୍ଚରେ ‘ଓଡ଼ିଶା ପର୍ବ’ ହୋଇଆସୁଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ “ଓଡ଼ିଆ   ସମାଜ’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପର୍ବର  ପ୍ରଥମ ସଂସ୍କରଣ ୨୦୧୭ରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ଲନରେ ହୋଇଥିଲା । ୨୦୧୮ରେ ଗୁଜରାଟର ସୁରଟରେ ଓଡ଼ିଶା ପର୍ବ ପାଳିତ ହୋଇଥିଲା । କୋଭିଡ୍‌ ମହାମାରୀ କାରଣରୁ ୨୦୨୦ରେ ଓଡ଼ିଶା ପର୍ବ ବାତିଲ  ହୋଇଥିବା ବେଳେ ୨୦୨୧ ଓ ୨୦୨୨ରେ ଭର୍ଚୁଆଲ୍‌ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ପ୍ରସାରିତ   ହୋଇଥିଲା । ୨୦୨୩ରେ ନୂଆଦିଲ୍ଲୀରେ ଜବାହରଲାଲ ନେହରୁ ଷ୍ଟାଡିୟମ ପଡ଼ିଆରେ କାର୍ଯ୍ୟକ୍ରମ ହୋଇଥିଲା ।