ହରିହର ତ୍ରିପାଠୀ
ଅଥର୍ବ ବେଦର ମହାନ ଋଷି ଆମକୁ କହିଛନ୍ତି – “ମା ପୂରା ଜରସୋ ମୃଥାଃ’ ଅର୍ଥାତ୍ ହେ ମନୁଷ୍ୟ ତୁ ବୁଢା ହେବା ଆଗରୁ କଦାପି ମରିବୁ ନାହିଁ । ଏହାର ଅର୍ଥ ହେଲା ମଣିଷ ଶରୀରରେ ବୁଢା ହେବା ଆଗରୁ ମନରେ ବୁଢା ହେବା ଉଚିତ ନୁହେଁ । ଏମିତି ବ୍ୟକ୍ତି ସଂସାରରେ ବହୁତ କମ୍ ଦେଖାଯାଆନ୍ତି ଯେଉଁମାନେ କି ମନରେ ସଦାସର୍ବଦା ଯୁବକ ସୁଲଭ ଉତ୍ସାହୀ ରହିଥାନ୍ତି । ବୟସ ସେମାନଙ୍କ ପାଖରେ ହାରମାନେ । ଏମିତି ଜଣେ ବ୍ୟକ୍ତି ଥିଲେ ମୋର ପିତୃପ୍ରତିମ ମଉସା ପିତାମ୍ବର ତ୍ରିପାଠୀ ।
ସେ ଥିଲେ ଆଧ୍ୟାତ୍ମିକ ଜ୍ଞାନର ଚଳନ୍ତି ଅଭିଧାନଟିଏ । ଆମର ସନାତନ ଧର୍ମ, ସଂସ୍କୃତି, ପରମ୍ପରା ବିଷୟରେ ଅନେକ କିଛି କଥା ତାଙ୍କ ମୁହଁରେ ରହିଥିଲା । ଜଣେ ପରୋପକାରୀ, ଆଧ୍ୟାତ୍ମିକବାଦୀ, ସ୍ନେହୀ ଓ ଦରଦୀ ମଣିଷ ଥିଲେ ମଉସା । ତାଙ୍କ ସାନ ପୁଅ ଗୋପାଳବାବୁ ମୋର ବାଲ୍ୟବନ୍ଧୁ ଓ ପରେ ମୋର ଭିଣୋଇ ହେଲେ । ସେହି ହିସାବରେ ତାଙ୍କ ଘରକୁ ପିଲାଟି ଦିନରୁ ମୋର ଗତାଗତ ଆଉ ମଉସାଙ୍କୁ ପିଲାଦିନରୁ ଦେଖିଆସିଛି । ତାଙ୍କର ବହୁମୁଖୀ ପ୍ରତିଭା ଭିତରୁ ଯାହା ମତେ ସବୁଠାରୁ ଭଲ ଲାଗେ ତାହାହେଲା ତାଙ୍କର ଅସାଧାରଣ ବାକ୍ପଟୁତା ଓ ଉପସ୍ଥିତ ବୁଦ୍ଧି । ଯେ କୌଣସି ପ୍ରସଙ୍ଗରେ ମଉସା ଅନବରତ ଗପି ଚାଲୁଥିଲେ । ତାଙ୍କ ପାଖକୁ ଗଲେ ଗପ ସରେନା । ଗୋଟିଏ କଥାରୁ ଆଉ ଗୋଟେ କଥା ତହିଁରୁ ପୁଣି ଗୋଟେ କଥା ଏମିତି ଚେର ଲମ୍ବିଚାଲେ । ତେବେ ସବୁଠାରୁ ମଜାକଥା ହେଲା ଏତେ ଗପୁଥିଲେ ବି ଶୁଣିବା ଲୋକଟି ତାଙ୍କ ପାଖରେ କେବେ ବି ବୋର ହୋଇ ନଥାଏ । ଆଉ ତାଙ୍କର ସବୁତକ କଥାରୁ କିଛି ଶିଖିବାକୁ ମିଳିଥାଏ । ନିରର୍ଥକ କଥା ସେ ବୋଧହୁଏ କେବେ ବି ଗପି ନଥାନ୍ତି ।
ତାଙ୍କ ସହ କିଛି ଦିନ କଟକରେ ଏକାଠି ରହିବାର ସୁଯୋଗ ମିଳିଥିଲା । ୧୯୯୦ ମସିହା ପାଖାପାଖି କଥା ହେବ । ଆମେ ସବୁ ଫ୍ରେଣ୍ଡସ କଲୋନୀରେ ଗୋଟିଏ ଘର ଭଡା ନେଇ ରହୁଥାଉ । ମଉସା ଆମ ପାଖରେ ରହୁଥିଲେ । ମେସ୍ରେ ରୋଷେଇ ହୁଏ । ଏକାଠି ଖାଉ । ଖାଇବାବେଳେ ମୁଁ ଟିକେ ଝୁଙ୍କିପଡ଼ି ଖାଇଲାବେଳେ ମଉସା ସବୁବେଳେ ମୋତେ ସିଧା କରି କୁହନ୍ତି “ମେରୁଦଣ୍ଡ ଝୁଙ୍କାଇ ଖାଇବନି ।’ ଏବେ ମୋ ପୁଅକୁ ସେମିତି ଖାଇବାର ଦେଖିଲେ ମଉସାଙ୍କ କଥା ମନେ ପକାଇ ମୁଁ ତାକୁ ସତର୍କ କରିଦିଏ ।
ସେ ସମୟରେ ଏତେ ଗାଡିଘୋଡା ନଥିଲା । ଆମେ ସବୁ ବେଳେବେଳେ ଗାଁରୁ ସାଇକେଲରେ କଟକ ଚାଲିଯାଉଥିଲୁ । ଦିନେ ମୁଁ ସାଇକେଲ ନେଇ କଟକରୁ ଗାଁକୁ ବାହାରିଲି । ମଉସା କହିଲେ ହରି, ମୁଁ ଯିବି ଆଜି ତୁମ ସାଙ୍ଗରେ । ସେତେବେଳେ ମଉସାଙ୍କ ୬୦ ପାଖାପାଖି ବୟସ । ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି ଆପଣ ଯିବେ ? କହିଲେ କାହିଁକି ମୁଁ କ\’ଣ ବୁଢା ହୋଇ ଗଲିଣି କି ? ବାସ୍ ଆମେ ବାହାରିଲୁ । ମଉସାଙ୍କ ସହ ସାଇକେଲରେ ଆସିବା ବେଳେ ମୁଁ କେତେବେଳେ କଟକରୁ ବାହାରିଲି ଆଉ ୬୦ କି.ମି. ବାଟ ସାଇକେଲ ଚଲାଇ କେତେବେଳେ ଗାଁରେ ପହଞ୍ôଚଲି ଜାଣି ପାରିନି । କାରଣ ବାଟସାରା ମଉସାଙ୍କ କଥାରେ ବିରାମ ନଥାଏ ।
ମଉସା ଥିଲେ ଆମ ଆଖପାଖ ଦଶଖଣ୍ଡ ଗାଁର ଜଣେ ମୂରବୀ ସ୍ଥାନୀୟ ବ୍ୟକ୍ତି । ବିଶେଷ କରି କୁଦାନଗରୀସ୍ଥିତ ମା ଦକ୍ଷିଣକାଳୀଙ୍କ ମନ୍ଦିରର ଉନ୍ନତି ଲାଗି ତାଙ୍କର ଅବଦାନ ଅତୁଳନୀୟ । ମନ୍ଦିର ନିର୍ମାଣ ଓ ଏହାର ଉନ୍ନତି ଲାଗି ଖିଆପିଆ ଭୋକଶୋଷ ଭୁଲି ସେ ଯେଉଁଭଳି ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ତାହା ମୁଁ ନିଜେ ଦେଖିଛି । ଆଉ ଏମିତି ସଚ୍ଚୋଟ ଓ ନିଷ୍ଠାପର ଲୋକ ବୋଧହୁଏ ସଂସାରରେ କ୍ୱଚିତ ମିଳିବେ । ମନ୍ଦିର କାମରେ ବୁଲୁଥିଲେ ମଧ୍ୟ ମନ୍ଦିର ଲାଗି ସଂଗୃହୀତ ପଇସାରୁ ପାଞ୍ଚଟଙ୍କା ବି ଖର୍ଚ୍ଚ କରି ଚା\’ଟେ ପିଇବେ ନାହିଁ । ଆଉ ଏମିତି ହିସାବ ରଖନ୍ତି ଯେ ତାଙ୍କର ଗଣିତ ଜ୍ଞାନ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ମନ୍ଦିର ଲାଗି, ଠାକୁରଙ୍କ ଲାଗି ଲୋକଙ୍କ ମନରେ ଦାନ ଭାବନା ସୃଷ୍ଟି କରିବା ଲାଗି ମଉସାଙ୍କ ନିକଟରେ ରହିଥିଲା କଥାର ଯାଦୁ । ତାଙ୍କ କଥାରେ ଦୁନିଆର ସବୁଠାରୁ କୃପଣ ମଧ୍ୟ ମୁକ୍ତହସ୍ତରେ ଦାନ କରିଦିଏ । କହିବାକୁ ଗଲେ ସେ ଥିଲେ ଜଣେ କଥାର ଯାଦୁଗର । ମଉସା କହନ୍ତି କଥା କୁହାଇ ଯଦି କାହାଲାଗି ଆମେ ପୂଣ୍ୟ ଅର୍ଜନ କରିବାର ସୁଯୋଗ ଆଣି ଦେଇ ପାରିଲୁ ତାଠାରୁ ବଳି ବଡ଼କଥା ଆଉ କ\’ଣ ଅଛି ? କେବଳ ମାଆ କାଳୀଙ୍କ ମନ୍ଦିର ନୁହେଁ ଆମ ବଡବେତରାର ଯଜ୍ଞ ଅନୁଷ୍ଠାନର ମଉସା ଥିଲେ ଜଣେ ଉଦ୍ୟୋକ୍ତା, ପରାମର୍ଶଦାତା ସବୁକିଛି ।
ମଉସା ମୋତେ ବହୁତ ଭଲ ପାଉଥିଲେ । ଦେଖିଲାମାତ୍ରେ ଛାଡିବେ ନାହିଁ । ତାଙ୍କ ପ୍ରେରଣାରେ ମୁଁ ଚଣ୍ଡୀପାଠ କରିବା ଆରମ୍ଭ କରିଥିଲି । ସେ କହିଥିଲେ – ତୁମେ ନିଶ୍ଚୟ ପାରିବ । ତୁମର ଉଚ୍ଚାରଣ ଠିକ୍ ଅଛି । ତାଙ୍କର ଏହି ପ୍ରେରଣାଦାୟୀ କଥା ମତେ ବହୁତ ଉତ୍ସାହିତ କରିଥିଲା । ଥରେ ଆମ ଗାଁ ଜଟେଶ୍ୱର ମହାଦେବଙ୍କ ନିକଟରେ ମୁଁ ରୁଦ୍ରାଭିଷେକ ପାଠ କରୁଥିଲି । ମଉସା ମନଧ୍ୟାନ ଦେଇ ଶୁଣିଲେ । ଶେଷରେ କହିଥିଲେ – ହରି ଠିକ୍ଠାକ ଅଛି । ଏତକ ହିଁ ମୋଲାଗି ସତେ ଯେମିତି ସାର୍ଟିଫିକେଟ୍ ଥିଲା । ତେବେ କୌଣସି ପ୍ରସଙ୍ଗରେ ଭୁଲ୍ଭାଲ କହିଲେ ସେ ଯେମିତି ମୁହେଁ ମୁହେଁ କହିଦିଅନ୍ତି ତାହା ବହୁତ ଭଲ ଲାଗେ କାରଣ ଏହା ନିଜକୁ ସୁଧାରିବାରେ ସହାୟକ ହୁଏ ।
ମଉସା ଥିଲେ ଜଣେ ଗୁଣଗ୍ରାହୀ ପାଠକ । ଓଡ଼ିଆ ଭାଷାର ଏମିତି କେହି ବି ପ୍ରସିଦ୍ଧ ଲେଖକ ନଥିବେ ଯାହାଙ୍କ ଲେଖା ମଉସା ପଢିନଥିବେ । ମୁଁ ମଉସାଙ୍କ ନିକଟରେ ବସାଉଠା କରିବା ଭିତରେ ସବୁବେଳେ କହେ ମଉସା, ଆପଣ କିଛି ଲେଖନ୍ତୁ । ମୋର ସୌଭାଗ୍ୟ ମଉସା ନୈମିଷାରଣ୍ୟ କୁଦାନଗରୀ ଉପରେ ଲେଖିଥିବା ପୁସ୍ତକ \”ନୈମିଷା\’ ମୋ ଦ୍ୱାରା ପ୍ରକାଶିତ ହୋଇଥିଲା । ପୁସ୍ତକଟି ପ୍ରକାଶପାଇବା ପରେ ମଉସା ଯେଉଁଭଳି ଖୁସି ହୋଇଥିଲେ ତାହା ମୋତେ ଅଭିଭୂତ କରିଥିଲା । ମଉସାଙ୍କ ବିଷୟରେ ଯେତେ ଲେଖିଲେ ବି ସରିବ ନାହିଁ । ତାଙ୍କର ଶୂନ୍ୟସ୍ଥାନ ପୂରଣ ହେବା ଅସମ୍ଭବ । କାରଣ ମୁଁ ଭାବୁଛି ପଣ୍ଡତ ପ୍ରହ୍ଲାଦ ଚନ୍ଦ୍ର ତ୍ରିପାଠୀଙ୍କ ପରେ ପୀତାମ୍ବର ମଉସାଙ୍କ ବିୟୋଗ ଦ୍ୱାରା ଆମ ଅଞ୍ଚଳ ଏକପ୍ରକାର ମୂରବୀଶୂନ୍ୟ ହୋଇଗଲା !! ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତାଙ୍କର ଅମର ଆତ୍ମାକୁ ସଦ୍ଗତି ଦିଅନ୍ତୁ ।