Twinxity Dcp 750x430

କଟକରେ ଲଜ୍ଜା: ଡିସିପି କହିଲେ ବ୍ଲାକମେଲକୁ ଭୟ କରନାହିଁ, ପୋଲିସଙ୍କୁ ଜଣାଅ

State

କଟକ: କଟକରେ ଲଜ୍ଜା । ବ୍ଲାକମେଲ କରି ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ତତ୍ପରତା ଦେଖାଇଛି କଟକ ବାରବାଟି ପୋଲିସ୍ । ସଙ୍ଗେ ସଙ୍ଗେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ୍ । ଏହାକୁ ନେଇ ପ୍ରେସମିଟ୍ କରି ଅଧିକ ସୂଚନା ଦେଇଛନ୍ତି ଡିସିପି । କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗତ ୪ ତାରିଖରେ ବାଦାମବାଡ଼ି ଥାନାରେ ଏନେଇ ଏକ  ମାମଲା ରୁଜୁ ହୋଇଥିଲା । ୫ ତାରିଖରେ ୩ ଜଣ ଏବଂ ୬ ତାରିଖରେ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଏହି ମାମାଲାରେ ଗିରଫ କରିଥିଲା ପୋଲିସ୍ । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଡିସିପି ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏସସି/ଏସଟି ଆକ୍ଟ ଓ ଆଇଟି ଆକ୍ଟ ଲାଗିଛି । ଏଥିସହିତ ୬ ଜଣଙ୍କ ମୋବାଇଲ ସିଜ୍ ହୋଇଛି, ଏସଏଫଏସଏଲକୁ ମୋବାଇଲ ପଠାଯିବ, ସେଥିରେ ଥିବା ସମସ୍ତ ଭିଡିଓ ଯାଞ୍ଚ କରାଯିବ ଏହାପରେ ଖୁବଶୀଘ୍ର ଚାର୍ଜସିଟ ଦାଖଲ ହେବ ବୋଲି କହିଛନ୍ତି ଡିସିପି ।

ଏଥିସହିତ ବ୍ଲାକମେଲକୁ ଭୟ କରି ଏଭଳି ଶିକାର ନହେବା ପାଇଁ ପରାମର୍ଶ ଦେଇଛନ୍ତି ଡିସିପି । ଡିସିପି କହିଛନ୍ତି, ଯଦି କେବେ ଏଭଳି ପିରିସ୍ଥିତି ଉପୁଜେ ତେବେ ସଙ୍ଗେ ସଙ୍ଗେ ପୋଲିସଙ୍କ ସହାୟତା ନେବା ଆବଶ୍ୟକ । ଏଥିପାଇଁ ପ୍ରତି ଥାନାରେ ମହିଳା ହେଲ୍ପ ଡେସ୍କ ମଧ୍ୟ ରହିଛି ।

ସୂଚନାଯୋଗ୍ୟ, ଦଶହରା ସମୟରେ କଟକ ପୁରୀଘାଟ ଥାନା ଅଞ୍ଚଳରେ ଏକ କାଫେରେ ପୀଡିତା ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଥିଲେ। ଏହାପରେ ସେଠାରେ ଛାତ୍ରୀଙ୍କ ଅଜାଣତରେ ତାଙ୍କ ପୁରୁଷ ବନ୍ଧୁ ଏବଂ କାଫେ ମାଲିକ ମିଶି ଛାତ୍ରୀଙ୍କର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ ।ଏହି ଭିଡିଓ ରଖି କାଫେ ମାଲିକ ଓ ପୁରୁଷ ବନ୍ଧୁର ସାଙ୍ଗମାନେ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକିଥିଲେ। ଛାତ୍ରୀ ଜଣକ ସେଠାରେ ପହଁଞ୍ଚିବା ପରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଅଶ୍ଲୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ କରି ଦୀର୍ଘ ଦିନ ଧରି ଗଣଦୁଷ୍କର୍ମ କରିଥିବା ନେଇ ବାଦାମବାଡି ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ବାଦାମବାଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଛାତ୍ରୀଙ୍କ ପୁରୁଷ ବନ୍ଧୁ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତ ମାନେ ଝାଞ୍ଜିରିମଙ୍ଗଳା ଅଞ୍ଚଳର ୩ ଜଣ, ବାରଙ୍ଗ ଅଞ୍ଚଳର ଜଣେ କାଫେ ମାଲିକ ତଥା ଭଗବତପୁର ଅଞ୍ଚଳର ଅଭିଯୁକ୍ତ ସହ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ଜଣେ ବୋଲି ଜଣାପଡିଛି ।