Afqmoneycqrjev6juphu

ଐତିହାସିକ ବିଜୟ ସହ ୧୩୨ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ହେଲେ ଡୋନାଲ୍ଟ ଟ୍ରମ୍ପ

National & International

ଦ୍ୱିତୀୟ ଥର ପାଇଁ ହ୍ୱାଇଟ ହାଉସକୁ ଫେରିବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ସେ ସମସ୍ତ ୭ଟି ଯାକ ସ୍ୱିଙ୍ଗ ଷ୍ଟେଟରେ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କୁ ମାତ ଦେଇଛନ୍ତି।

ଆମେରିକାର ମୋଟ ୫୩୮ ଇଲେକ୍ଟୋରାଲ ଭୋଟ ମଧ୍ୟରୁ ଟ୍ରମ୍ପ ଏଯାଏ ୨୭୭ଟିରେ ଜିତିଥିବା ବେଳେ କମଳା ୨୨୪ରେ ଅଟକି ଯାଇଛନ୍ତି। ରାଷ୍ଟ୍ରପତି ହେବା ପାଇଁ ୨୭୦ଟି ଇଲେକ୍ଟୋରାଲ ଭୋଟ ଆବଶ୍ୟକ। ଏହାକୁ ଗଣତି ଶେଷ ହେବା ପୂର୍ବରୁ ଟ୍ରମ୍ପ ହାସଲ କରି ନେଇଛନ୍ତି।

ଟ୍ରମ୍ପ ଆମେରିକାରେ ଐତିହାସିକ ବିଜୟ ହାସଲ କରି ଦମଦାର ଢଙ୍ଗରେ କମବ୍ୟାକ କରିଥିବା ବେଳେ ଏକାଧିକ ରେକର୍ଡ କରିଛନ୍ତି। ଆମେରିକା ଇତିହାସରେ ଟ୍ରମ୍ପ ଦ୍ୱିତୀୟ ରାଷ୍ଟ୍ରପତି ଯିଏ ୪ ବର୍ଷ ବ୍ୟବଧାନ ପରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛନ୍ତି। ପୂର୍ବରୁ ଏପରି ଘଟଣା ଗ୍ରୋଭର କ୍ଲେଭେଲାଣ୍ଡଙ୍କ ସହ ଘଟିଥିଲା। ତେବେ ଗ୍ରୋଭର ୧୩୨ ବର୍ଷ ତଳେ ଏପରି ଇତିହାସ ରଚିଥିଲେ।

ଗ୍ରୋଭର ଆମେରିକାର ୨୨ତମ ଓ ୨୪ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ପ୍ରଥମେ ସେ ୧୮୮୫ରୁ ୧୮୮୯ ଓ ପରେ ୧୮୯୩ରୁ ୧୮୯୭ ଯାଏ ହ୍ୱାଇଟ ହାଉସକୁ ଦଖଲ କରିଥିଲେ। ଟ୍ରମ୍ପ ପ୍ରଥମଥର ପାଇଁ ୨୦୧୬ରୁ ୨୦୨୦ ଯାଏ ରାଷ୍ଟ୍ରପତି ହୋଇଥିଲେ। ୨୦୨୦ରେ ସେ ନିର୍ବାଚନ ଲଢ଼ିଥିଲେ ହେଁ ଜୋ ବାଇଡେନଙ୍କ ଠାରୁ ହାରି ଯାଇଥିଲେ। ଏବେ ସେ ୨୦୨୪ରେ କମଳା ହାରିସଙ୍କୁ ପରାସ୍ତ କରି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ଆମେରିକା ଇତିହାସରେ ୭୮ ବର୍ଷୀୟ ଟ୍ରମ୍ପ ବୟସ୍କ ବ୍ୟକ୍ତି ଭାବେ ରାଷ୍ଟ୍ରପତି ହୋଇଛନ୍ତି। ଜୋ ବାଇଡେନଙ୍କୁ ନଭେମ୍ବର ୨୦ରେ ୮୨ ବର୍ଷ ବୟସ ହେବ। ସେ ଦେଶର କାର୍ଯ୍ୟରତ ବୟସ୍କ ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ହାସଲ କରିବେ।

ଏବହାଦ ଟ୍ରମ୍ପ ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ରିପବ୍ଲିକାନର ପ୍ରଥମ ପ୍ରାର୍ଥୀ ଭାବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପପୁଲାର ବା ଲୋକପ୍ରିୟ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ରିପବ୍ଲିକାନର ପ୍ରାର୍ଥୀ ଜର୍ଜ ଡବ୍ଲ୍ୟୁ ବୁଶଙ୍କ ପରେ ଲୋକପ୍ରିୟ ଭୋଟ ପାଇ ହ୍ୱାଇଟ ହାଉସକୁ ଯାଉଛନ୍ତି। ୨୦୦୪ରେ ବୁଶ ଲୋକପ୍ରିୟ ଭୋଟ ପାଇ ରାଷ୍ଟ୍ରପତି ହୋଇଥିଲେ।

ଲୋକପ୍ରିୟ ଭୋଟର ଅର୍ଥ ଦେଶର ମୋଟ ଭୋଟ ସଂଖ୍ୟା। ଏହାର ସମ୍ପର୍କ ଇଲେକ୍ଟୋରାଲ କଲେଜ ସହ ନାହିଁ। ଜଣେ ପ୍ରାର୍ଥୀ ଅଧିକ ଭୋଟ ବା ଲୋକପ୍ରିୟ ଭୋଟ ପାଇଥିଲେ ମଧ୍ୟ ଯଦି ତାଙ୍କର ଇଲେକ୍ଟୋରାଲ କଲେଜ ବା ଭୋଟ ସଂଖ୍ୟା କମ ରହିଥିବ, ତା’ହେଲେ ସେ ରାଷ୍ଟ୍ରପତି ହୋଇପାରିବେ ନାହିଁ।

୨୦୧୬ରେ ସମାନ ଘଟଣା ଘଟିଥିଲା ଡେମୋକ୍ରାଟିକ ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ ଲୋକପ୍ରିୟ ଭୋଟ ପାଇଥିଲେ ହେଁ ଇଲେକ୍ଟୋରାଲ କଲେଜ ଆଧାରରେ ଟ୍ରମ୍ପ ବିଜୟୀ ହୋଇଥିଲେ।

୨ଟି ଅନାସ୍ଥା ପ୍ରସ୍ତାବ ସାମ୍ନା କରିବା ପରେ ରାଷ୍ଟ୍ରପତି

ଯଦି ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେଉଛନ୍ତି, ତା’ହେଲେ ଆମେରିକାର ଇତିହାସର ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇ ଥର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପରେ ପୁଣି ଶୀର୍ଷ ସ୍ଥାନ କବଜା କରିବେ। ଟ୍ରମ୍ପଙ୍କ ବିରୋଧରେ ଦୁଇ ଥର ଅନାସ୍ଥା ପ୍ରସ୍ତାବ ଆସିଥିଲେ ହେଁ ଉଭୟ ମାମଲାରେ ସେ ସିନେଟ ଦ୍ୱାରା ଦୋଷମୁକ୍ତ ହୋଇଛନ୍ତି।

୨୦୧୯ରେ ଟ୍ରମ୍ପଙ୍କ ବିରୋଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଆସିଥିଲା। ସେ ଗୁପ୍ତ ଭାବେ ୟୁକ୍ରେନର ସହାୟତା ନେଇ ପୁଣି ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯୋଜନା କରିଥିବା ଅଭିଯୋଗ ହୋଇଥିଲା। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ବିରୋଧରେ କିଏ ପ୍ରାର୍ଥୀ ହେବେ, ତା’ର ତଦନ୍ତ କରିବାକୁ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କହିଥିଲେ। ଟ୍ରମ୍ପ କୁଆଡ଼େ ୟୁକ୍ରେନକୁ ୪୦୦ ମିଲିୟନର ଡଲାରର ସାମରିକ ସହାୟତା ବନ୍ଦ କରିଦେଇଥିଲେ। ଏଥିପାଇଁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା।

କାର୍ଯ୍ୟକାଳ ସରିବାର ୧ ସପ୍ତାହ ପୂର୍ବରୁ ଅର୍ଥାତ ୨୦୨୧ ଜାନୁଆରୀ ୧୩ରେ ଟ୍ରମ୍ପଙ୍କ ବିରୋଧରେ ପୁଣି ଅନାସ୍ଥା ପ୍ରସ୍ତାବ ଆସିଥିଲା। ଆମେରିକା କାପିଟୋଲରେ ଜାନୁଆରୀ ୬ ହିଂସା ଘଟଣାକୁ ଟ୍ରମ୍ପ ଉସାଇକାଇ ଥିବା ଅଭିଯୋଗ ହୋଇଥିଲା।

ଦୋଷୀ ସାବ୍ୟସ୍ତ ହେବା ପରେ ରାଷ୍ଟ୍ରପତି

ଚଳିତ ବର୍ଷ ଟ୍ରମ୍ପ ୩୪ ପେଲୋନୀ କାଉଣ୍ଟସ ବା ୩୪ ପ୍ରକାରର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଇନଗତ ଜାଲରେ ଫସିଥିବା ପ୍ରଥମ ବ୍ୟକ୍ତି ଭାବେ ସେ ରାଷ୍ଟ୍ରପତି ପଦରେ ବସିବାର ରେକର୍ଡ କରିବେ। ମେ’ ମାସରେ ଟ୍ରମ୍ପଙ୍କୁ ନ୍ୟୟୁର୍କ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ଏଯାଏ ତାଙ୍କ ବିରୋଧରେ ଦଣ୍ଡାଦେଶ ହୋଇନାହିଁ। ଏହାର ଶୁଣାଣି ନଭେମ୍ବର ୨୬ରୁ ଆରମ୍ଭ ହେବାର ଅଛି।