ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି । ସକ୍ରିୟ ସଦସ୍ୟତା ଅଭିଯାନ ପରେ ଏବେ ସାଙ୍ଗଠନିକ ନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଛି । ଏଥିପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଙ୍ଗଠନ ପର୍ବ – ୨୦୨୪ ରାଜ୍ୟ କର୍ମଶାଳା ଆୟୋଜନ କରିଛି ଦଳ । କର୍ମଶାଳାରେ ରାଜ୍ୟ ସଭାପତିଙ୍କ ଠୁ ଆରମ୍ଭ କରି ସବୁ ନେତୃତ୍ୱ ଯୋଗ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡା ମଧ୍ୟ ସାମିଲ ଅଛନ୍ତି । ଆସନ୍ତା ୫ରେ ଆସିବ ପ୍ରଥମ ସକ୍ରିୟ ସଦସ୍ୟ ତାଲିକା । ପୁଣି ୨୫ରେ ଦ୍ଵିତୀୟ ସକ୍ରିୟ ସଦସ୍ୟ ତାଲିକା ଆସିବା ପରେ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା। ଏହାପରେ ବୁଥ ଏବଂ ମଣ୍ଡଳ ସ୍ତରରେ ସଭାପତି ପଦ ପାଇଁ ଆବେଦନ କରିବେ ।
ବୁଥ ଏବଂ ମଣ୍ଡଳ ସଭାପତି ସ୍ଥିର ହେବା ପରେ ସେମାନେ ଜିଲ୍ଲା ସଭାପତି ବାଛିବେ ଏବଂ ଜିଲ୍ଲା ସଭାପତି ରାଜ୍ୟ ସଭାପତିଙ୍କୁ ବାଛିବେ । ଏବେ ସୁଦ୍ଧା ଅନଲାଇନରେ ୫୦ ଲକ୍ଷ ସଦସ୍ୟ ବିଜେପି ସହ ଯୋଡି ହୋଇଛନ୍ତି । ଅଫଲାଇନରେ ମଧ୍ୟ ସଦସ୍ୟ ଯୋଡ଼ିବା ଚାଲିଛି । ଆଜି ରାଜ୍ୟ ସ୍ତରୀୟ କର୍ମଶାଳା ପରେ ଜିଲ୍ଲା ଗୁଡିକରେ ମଧ୍ୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ ।