ଦୁର୍ଗାଷ୍ଟମୀ ବା ମହାଷ୍ଟମୀ ଏକ ପବିତ୍ର ଦିବସ ଯାହା ପାଞ୍ଚଦିନିଆ ଦୁର୍ଗା ପୂଜା ଅବସରରେ ମା ଦୂର୍ଗାଙ୍କୁ ଭକ୍ତି ଓ ସମ୍ମାନ ଜଣେଇବାକୁ ପାଳନ କରାଯାଏ । ପରମ୍ପରା ଅନୁସାରେ ପ୍ରତି ହିନ୍ଦୁ ଗୃହରେ ଦୂର୍ଗା ପୂଜା ଦଶ ଦିନ ଧରି ପାଳନ କରିବା କଥା କିନ୍ତୁ ଦୂର୍ଗା ମଣ୍ଡପରେ ଏହା ଷଷ୍ଠୀ ଦିବସଠାରୁ ପାଞ୍ଚ ଦିନ ପାଳନ କରାଯାଉଛି । ଭାରତରେ ଏହି ଦିନ ଅନେକ ସ୍ଥାନରେ ଲୋକମାନେ ଉପବାସ ପାଳନ କରନ୍ତି । ଦେବୀଙ୍କର ଅସ୍ତ୍ରସବୁ ଏହି ଦିନ ପୂଜା କରାଯାଉଥିବାରୁ ଏହି ଦିବସକୁ ‘ଅସ୍ତ୍ର ପୂଜା’ ଦିବସ ମଧ୍ୟ କୁହାଯାଏ । ଅନେକ ସ୍ଥାନରେ ଅସ୍ତ୍ର ବ୍ୟବହାର କରି ମାର୍ଶାଲ କଳା ପ୍ରଦର୍ଶନ କରୁଥିବାରୁ ଏହି ଦିବସକୁ ବୀର ଅଷ୍ଟମୀ ମଧ୍ୟ କୁହାଯାଏ ।
ନବରାତ୍ରି ବା ଦୂର୍ଗା ପୂଜା ଉତ୍ସବର ଅଷ୍ଟମୀ ଦିନଟି ଦୂର୍ଗାଷ୍ଟମୀ ବା ଦୂର୍ଗା ଅଷ୍ଟମୀ ରୂପେ ପରିଚିତ । ଏହାକୁ ମହାଷ୍ଟମୀ ମଧ୍ୟ କୁହାଯାଏ ଓ ଏହି ଦିନଟି ହିନ୍ଦୁମାନଙ୍କର ଏକ ପବିତ୍ର ଦିବସ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ଏହି ଦିବସ ପାଳନ କରାଯାଏ । କେତେକ ସ୍ଥାନରେ ବିଶ୍ୱାସ କରାଯାଏ, ମା ଦୁର୍ଗାଙ୍କର କପାଳରୁ ଦେବୀ ଚାମୁଣ୍ଡା ଏହି ଦିବସରେ ଜାତ ହୋଇ ମହିଷାସୁରର ତିନି ସାଥି ଚଣ୍ଡ, ମୁଣ୍ଡ ଓ ରକ୍ତବୀଜ ଅସୁରକୁ ମାରିଥିଲେ । ଚଉଷଠି ଯୋଗିନୀ ଓ ଅଷ୍ଟ ଶକ୍ତି ବା ଅଷ୍ଟ ମାତୃକା (ଦେବୀ ଦୁର୍ଗାଙ୍କର ଭୟାନକ ରୂପ) ପୂଜା ମଧ୍ୟ ଏହି ଦିନ କରାଯାଏ । ଭାରତର ବିଭିନ୍ନ ସ୍ଥାନରେ ଅଷ୍ଟ ଶକ୍ତିଙ୍କର ବିଭିନ୍ନ ରକମର ବର୍ଣ୍ଣନା କରାଯାଏ କିନ୍ତୁ ସମସ୍ତେ ଶକ୍ତିଙ୍କର ଅବତାର ରୂପେ ମାନ୍ୟତା ପାଇଥାନ୍ତି । ପୂଜା ପାଉଥିବା ଏହି ଅଷ୍ଟ ଶକ୍ତିଙ୍କର ନାମ ୟଥାକ୍ରମେ ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବରାହୀ, ନରସିଂହୀ, ଇନ୍ଦ୍ରାଣୀ ଓ ଚାମୁଣ୍ଡା ।
ମହା ଅଷ୍ଟମୀ କୁମାରୀ ପୂଜା
ଉତ୍ତର ଭାରତରେ ଦୁର୍ଗାଷ୍ଟମୀ ଦିନ କୁମାରୀମାନଙ୍କୁ ଘରକୁ ଡାକି ସମ୍ମାନ ଦେବା ପରମ୍ପରା ଆରମ୍ଭ ହୋଇଥିଲା ଏକ ଦୂର୍ଗାଷ୍ଟମୀ ଦିନ । ପାଞ୍ଚରୁ ସାତ ଜଣ କୁଆଁରୀ ଝିଅଙ୍କୁ ଘରକୁ ଡାକି ସମ୍ମାନ ଦିଆଯାଏ । ଏହାର ତାତ୍ପର୍ଯ୍ୟ ହେଲା, କନ୍ୟାମାନଙ୍କୁ ପୃଥିବୀରେ ମା ଦୁର୍ଗାଙ୍କର ଶକ୍ତି ବୋଲି ମନେକରାଯାଏ । ସେହି ଝିଅମାନେ ଆସିଲେ ଘର ଭିତରକୁ ଆସିବା ପୂର୍ବରୁ ତାଙ୍କର ପାଦ ଧୋଇଦେଇ ଘରକୁ ସ୍ୱାଗତ କରାଯାଏ ଓ ଟା’ପରେ ତାଙ୍କର ଆଳତି ଓ ପୂଜା କରାଯାଏ । ଏହା ପରେ ତାଙ୍କୁ ଖାଦ୍ୟ ଓ ମିଠା ଓ ଉପହାର ଦେଇ ଆପ୍ୟାୟିତ କରାଯାଏ ।