ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟପାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ବନ୍ୟପାଣୀ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ମତ ରଖିବା ସହିତ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ସୀମିତ ନ ରଖି ବିଶ୍ୱବିଦ୍ୟାଳୟ ବାହାର ସମାଜରେ ସାଧାରଣ ଲୋକଙ୍କୁ ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ଉପରେ ସଚେତନ କରିବା ପାଇଁ ଆହ୍ୱାନ କରିଥିଲେ । ବନ୍ୟପ୍ରାଣୀ ମାନେ ବନ୍ୟ ଭାବେ ଜୀବନଯାପନରେ ଅଭ୍ୟସ୍ତ, ହେଲେ ଆମେ ସଭ୍ୟତାର ଦ୍ୱାହି ଦେଇ ତାଙ୍କ କ୍ଷେତ୍ରକୁ ଅତିକ୍ରମଣ କରି ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛୁ ବୋଲି ସେ ଦୁଃଖ ପ୍ରକାଶ କରିଥିଲେ । ପରିବେଶର ସନ୍ତୁଳନ ପାଇଁ ସମସ୍ତ ଜୀବଙ୍କର ଆବଶ୍ୟକତା ରହିଛି । ବିଲୁପ୍ତ ହୋଇଆସୁଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା, ବନ୍ୟପ୍ରାଣୀଙ୍କ ବାସସ୍ଥାନରେ ଅନଧିକାର ପ୍ରବେଶର ନିୟନ୍ତ୍ରଣ, ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ବର୍ଜ୍ଜନ ଆଦି ଦିଗରେ ଯଥେଷ୍ଟ ପଦକ୍ଷେପ ନେବାକୁ ହେବ ବୋଲି ସେ ମତପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ସି.ଭି.ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ଶ୍ୱେତାଶ୍ରୀ ପୁରୋହିତ ଯୋଗଦାନ କରି ଜୈବବିବିଧତା ଓ ବନ୍ୟପାଣୀ ସଂରକ୍ଷଣ ଉପରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ଡ. ଶୁଭାନୀ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ପଫେସର ଡ. ଦେବାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଫଟୋଗ୍ରାଫି, କୁଇଜ୍ ଓ ଚିତାଙ୍କଙ୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିଭାଗୀୟ ସହକାରୀ ପ୍ରଫେସର ଡ. ଅଶୋକ କୁମାର ମଲ୍ଲିକ, ଡ. ସୃଷ୍ଟିଧର ରାଉତ, ଡ. ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ଯୋଗ ଦେଇଥିଲେ ।