ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ପୂନ୍ନିମା ଜେନା ଏକ ଭିଜିଲାନ୍ସ ମାମଲାର ବିଚାର କରି ତିନି ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଙ୍କ ସମେତ ଚାରି ଜଣ ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ପ୍ରଦାନ କରିଛନ୍ତି । ମୟୁରଭଞ ଜିଲା ଦେଓ ଇରିଗେସନ ଡିଭିଜନ , କରଞିଆ ର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ମହାପାତ୍ର , ଅବସରପ୍ରାପ୍ତ ସିନିଅର ଡିଭିଜନାଲ ଏକାଉନ୍ଟସ ଅଫିସର ପ୍ରଦୀପ କୁମାର ପଣ୍ଡା , ଅବସରପ୍ରାପ୍ତ କନିଷ୍ଠ କିରାଣୀ କମ ଅଡିଟର ବୈକୁଣ୍ଠ ନାଥ ନାୟକ ଏବଂ ଏମ ଏସ ବି ଇଞିନିଅରସ ଏଣ୍ଡ ବିଲଡର୍ସ , ମଞ୍ଚେଶ୍ୱର , ଭୂବନେଶ୍ୱର ର ପ୍ରଜେକ୍ଟ ଡାଇରେକ୍ଟର ଶଙ୍କର ନାରାୟଣ ସମେତ ଚାରିଜଣ ଅଭିଯୁକ୍ତ ଙ୍କୁ ଦୁର୍ନୀତି ନିରୋଧ ଆଇନ ଧାରା ୧୩ (୨) ରିଡ ଉଇଥ ୧୩(୧)(ଡି) ପିସି ଆକ୍ଟ ୧୯୮୮/୪୧୮/୪୨୦/୧୨୦-ବି ଆଇପିସି ଅନୁଯାୟୀ ୩ ବର୍ଷ ସଶ୍ରମ କାରାଦଣ୍ଡ ସମେତ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଅଭିଯୁକ୍ତ ୧୩ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ଏକ ଡ୍ୟାମ ନିର୍ମାଣ କାମରେ ୧ କୋଟି ୧୪ ଲକ୍ଷ ୨୬ ହଜାର ୧୯୪ ସରକାରୀ ଟଙ୍କା ଆତ୍ମସାତ କରିଥିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରମାଣିତ କରାଯାଇଅଛି ।ଏ ବାବଦରେ ଭିଜିଲାନ୍ସ ବିଭାଗରେ ୩୦-୯-୧୯୯୮ ରେ ଏକ ଅଭିଯୋଗ ଦାୟର କରାଯାଇଥିଲା । ୧୫-୧୧-୨୦୧୨ ରେ ଚାର୍ଜସିଟ ଦାଖଲ କରାଯାଇଥିଲା । ଉକ୍ତ କେସରେ ଜଡିତ ଥିବା ଅନ୍ୟଜଣେ ଅଭିଯୁକ୍ତ ତୁସାର ମିଶ୍ର ଆଜି କୋର୍ଟରେ ଅନୁପସ୍ଥିତ ଥିବାରୁ କୋର୍ଟ ପକ୍ଷରୁ ତାଙ୍କ ନାମରେ ଓାରେଣ୍ଟ ଜାରି କରାଯାଇଅଛି । ଏଥି ସହିତ ତିନି ଜଣ ସରକାରୀ କର୍ମଚାରୀ ଙ୍କ ପେନସନ କୁ ବନ୍ଦ କରିବା ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ଭିଜିଲାନ୍ସ ଅଦାଲତ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଅଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ ।