ବାରିପଦା : ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମରିସା)ର ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁଙ୍କ ନେତୃତ୍ୱରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ୨୦୧୭ ମସିହାରେ ବାରିପଦାଠାରେ ପି.ଆର.ଏମ୍. ମେଡିକାଲ୍ କଲେଜ ଏଣ୍ଡ ହସ୍ପିଟାଲ୍ ଏବଂ ୨୦୧୮ ମସିହାରେ ବାଲେଶ୍ଵରଠାରେ ଫକୀର ମୋହନ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ୍ ନିର୍ମାଣ ହୋଇଥିଲା । କିନ୍ତୁ ଫକୀର ମୋହନ ମେଡିକାଲ କଲେଜ ବାଲେଶ୍ବରଠାରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବାବେଳେ , ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏଣ୍ଡ ହସ୍ପିଟାଲ୍ ବାରିପଦାଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ନାହିଁ । ତାଙ୍କ ଲିପିରେ ମେଡ଼ିକାଲ୍ର ମୁଖ୍ୟ ଫାଟକରେ ଇଂରାଜୀ ଓଡିଆ ସହିତ “ଅଲଚିକି”ରେ ନାମଫଳକ ଲେଖାଯାଉ ନାହିଁ । ଯାହାକି ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସିଧାସଳଖ ଅସମ୍ମାନ ସହିତ ଆଦିବାସୀ ଭାବନାକୁ କୁଠାରଘାତ କରାଯାଉଛି । ଏହା ସାନ୍ତାଳୀ ଭାଷାପ୍ରେମୀ ମାନଙ୍କ ମନରେ ଗଭୀର ମାନସିକ ଆଘାତ ଦେଇଛି । ଆଗାମୀ ଦିନରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ସହ ଅଲଚିକିରେ ନାମ ଫଳକ ଲେଖାନଗଲେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ପ୍ରେସ୍ ମାଧ୍ୟମରେ ସୂଚନା ଦେଇଛନ୍ତିି । ତତ୍ ସହିତ ମୟୂରଭଞ୍ଜ ଜିଲ୍ଲାରେ ୨୦୧୭ ମସିହାରେ ବାରିପଦାଠାରେ ପି.ଆର୍.ଏମ୍. ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ୍ ଆରମ୍ଭ ହୋଇଥିଲା I ଜିଲ୍ଲାରେ ମେଡିକାଲ୍ କଲେଜ୍ ଏଣ୍ଡ ହସ୍ପିଟାଲ ପ୍ରତିଷ୍ଠାହେବାପରେ ସ୍ୱାସ୍ଥ୍ୟସେବାର ସୁଧାର ଆସିବ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ଏବେ ଧୂଳିସାତ୍ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୪୦ ଭାଗ ଲୋକ ଗରିବ ଶ୍ରେଣୀର । ପ୍ରତ୍ୟେକ ୧୦୦ ଜଣଙ୍କ ମଧ୍ୟରୁ ୪୫ ଜଣ ହେଉଛନ୍ତି ଗରିବ । ଜିଲ୍ଲାରେ ୧୦୨୪ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୪୩୨ ଜଣ ଡାକ୍ତର ରହିଛନ୍ତି । ୫୯୨ଟି ଡାକ୍ତର ପଦ ଫାଙ୍କା ପଡିବା ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି I ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ଜିଲ୍ଲାରେ ସ୍ଵାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହେଉଛି I ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଏବେ ଜନସଂଖ୍ୟା ପ୍ରାୟ ୨୮ ଲକ୍ଷ ୭୦ ହଜାର ୬୪୭ ହଜାର ଥିବାବେଳେ ସେମାନଙ୍କ ଚିକିତ୍ସା ପାଇଁ ମାତ୍ର ୪୩୨ଜଣ ଡାକ୍ତର ଅଛନ୍ତିି । ଅଧାରୁ ବି କମ୍ ଡାକ୍ତରଙ୍କୁ ନେଇ ସ୍ଵାସ୍ଥ୍ୟ ସେବା ଚାଲିଛି । ୧୪୭୦ ଟି ନର୍ସିଂ ଅଫିସର ମଧ୍ୟରୁ ୬୬୧ ଟି ପଦବି ଖାଲି ପଡିଛି । ସେହିପରି ୩୨ଟି ରେଡିଓଗ୍ରାଫାର୍ ମଧ୍ୟରୁ ୨୪, ୧୨୩ ଜଣ ଲାବ୍ ଟେକ୍ନିସିଆନ୍ ମଧ୍ୟରୁ ୩୯, ୧୯୬ ଜଣ ଫାର୍ମାସି ଅଫିସର ମଧ୍ୟରୁ ୬୨, ୩୨୬ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମଧ୍ୟରୁ ୧୦୮, ୭୨୦ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମଧ୍ୟରୁ ୧୭୯, ୭୦ଟି କିରାଣି ପଦବୀ ମଧ୍ୟରୁ ୨୫ ଟି ପଦବି ଶୂନ୍ୟ ପଡିଛି I ଫଳରେ ଡାକ୍ତର,କର୍ମଚାରୀ ସମେତ ଭିତ୍ତିଭୂମି ଅଭାବରୁ ସାଧାରଣ ରୋଗୀଙ୍କୁ କଟକ ବଡ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଉଥିବା ଭଳି ଘଟଣା ଦେଖିବାକୁ ମିଳୁଛି । ତତ୍ ସହିତ ମୟୂରଭଞ୍ଜ ଜିଲ୍ଲା ଆୟତନରେ ବଡ ହୋଇଥିବାରୁ କମ୍ ସଂଖ୍ୟକ ଆମ୍ବୁଲ୍ୟାନ୍ସ ଯୋଗୁଁ ସମସ୍ତଙ୍କୁ ଠିକ୍ ସମୟରେ ସେବା ମିଳିପାରୁନାହିଁ । ତେଣୁ ସମସ୍ତ ବିଭାଗ ଖୋଲାଯିବା ସହ ବିଭିନ୍ନ ବିଭାଗ ପାଇଁ ବିଶେଷଜ୍ଞ ଡାକ୍ତର, କର୍ମଚାରୀ, ଆମ୍ବୁଲ୍ୟାନସ୍ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ପୂରଣ ପାଇଁ ମାରିସା ପକ୍ଷରୁ ଦୃଢ ଦାଦୀ କରାଯାଇଛି । ଏହି କାର୍ଯ୍ଯକ୍ରମରେ ମାରିସା ରାଜ୍ଯ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ମୟୂରଭଞ୍ଜ ଜିଲ୍ଲା ସଭାପତି ତୋଫାନ୍ ହେମ୍ବ୍ରମ୍, ଉପ ସଭାପତି ରବିନ୍ଦ୍ର ମାର୍ଣ୍ଡି ଓ ସାଧାରଣ ସମ୍ପାଦକ ଚାନ୍ଦ ତାରାଶ୍ ମୁର୍ମୁ , ଜିଲ୍ଲା ଛାତ୍ର ସଭାପତି ଶ୍ୟାମ ସୁନ୍ଦର ହାଁସଦାଃ,ସାଧାରଣ ସମ୍ପାଦକ ଅରବିନ୍ଦ ଟୁଡୁ ଏବଂ ଉପସଭାପତି ଦିପୁ ବେଶ୍ରା, ଶୁଳିଆପଦା ବ୍ଳକ୍ ଛାତ୍ର ସଭାପତି ରାଜୁ ମାର୍ଣ୍ଡି, ସାୱନା ହେମ୍ବ୍ରମ୍, ଚାନ୍ଦ୍ରାୟ ସୋରେନ୍,ସଂଗ୍ରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।