Elephant 3 750x430

ଖାଦ୍ୟ ସଙ୍କଟ; ୨୦୦ ହାତୀଙ୍କୁ ଦିଆଯିବ ବଳି

National & International

ହରାରେ :  ଆଫ୍ରିକୀୟ ଦେଶରେ ବର୍ତ୍ତମାନ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକଙ୍କ ଭୋକ ମେଣ୍ଟାଇବାକୁ ଖାଦ୍ୟ ନାହିଁ। ଏଭଳି ସଙ୍କଟ ସମୟରେ ସେଠାକାର ସରକାର ଲୋକଙ୍କ ଭୋକ ମେଣ୍ଟାଇବାକୁ ପଶୁଙ୍କ ବଳି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ନାମିବିୟା ସରକାର ଏହି ନିର୍ଦ୍ଦେଶ ଦେବା ପରେ ଏବେ ଆଉ ଗୋଟେ ଦେଶ ୨୦୦ ହାତୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଫ୍ରିକୀୟ ଦେଶରେ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟଙ୍କର ମରୁଡି ଯୋଗୁଁଁ ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରଥମେ ନାମିବିୟା ସରକାର ପଶୁଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ ପଶୁଙ୍କ ମାଂସକୁ ଲୋକଙ୍କ ମଧ୍ୟରେ ବାଣ୍ଟି ସେମାନଙ୍କ ଭୋକ ମେଣ୍ଟାଇବାକୁ ଏଭଳି କରାଯାଇଛି। ସେହିପରି ଜିମ୍ବାୱେରେ ମରୁଡି ସ୍ଥିତି ଅଧିକ ସଙ୍କଟ ହେବା କାରଣରୁ ଲୋକଙ୍କ ପାଖରେ ଖାଦ୍ୟ ନାହିଁ। ଜିମ୍ବାୱେରେ ଥିବା ମୋଟ ଜନସଂଖ୍ୟାରୁ ଅଧା ଜନସଂଖ୍ୟା ବର୍ତ୍ତମାନ ଭୋକରେ ଆଉଟୁପାଉଟୁ ହେଉଥିବା ଜଣାପଡ଼ିଛି। ଏଥିପାଇଁ ଏଠାକାର ସରକାର ୨୦୦ ହାତୀଙ୍କୁ ବଳି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦେଶରେ ହାତୀଙ୍କ ସଂଖ୍ୟା ଅଧିକ ରହିଛି। ବର୍ତ୍ତମାନ ଜିମ୍ବାୱେରେ ୮୪ହଜାରରୁ ଅଧିକ ହାତୀ ଥିବା ଜଣାପଡ଼ିଛି। କିନ୍ତୁ ଏଠାରେ ୪୫ହଜାର ହାତୀ ରହିବା ଭଳି କ୍ଷମତା ରହିଛି। ଅଧିକ ହାତୀ ସଂଖ୍ୟା ହେବା କାରଣରୁ ହାତୀସବୁ ଜନବସତିରେ ପଶି ଖାଦ୍ୟ ଖାଉଛନ୍ତି ଏବଂ ଧନଜୀବନ ନଷ୍ଟ କରୁଛନ୍ତି।
ଜିମ୍ବାୱେରେ ହାତୀ ସଂଖ୍ୟା ବିଶ୍ୱରେ ଦ୍ୱିତୀୟ ବୃହତ୍ତମ। ଜିମ୍ବାୱେକୁ ଅନ୍ୟ ରାଷ୍ଟ୍ର କେହି ସହାୟତା କରୁନଥିବାରୁ ଲୋକଙ୍କ କ୍ଷୁଧା ମେଣ୍ଟାଇବାକୁ ଦୁଇ ଶହ ହାତୀଙ୍କୁ ହତ୍ୟା କରାଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହାତୀଙ୍କ ମାଂସକୁ ପ୍ୟାକେଟ ଆକାରରେ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯିବ। ସେପଟେ କିଛି ଆଫ୍ରିକୀୟ ଲୋକମାନେ କହିଛନ୍ତି ଯେ ଭୋକ ମେଣ୍ଟାଇବାକୁ ଜିମ୍ବାୱେ ସରକାର ଅନ୍ୟ କିଛି ଉପାୟ ଚିନ୍ତା କରିବା ଜରୁରୀ।