Img 20240917 Wa0188

ବନ୍ୟା ପରିସ୍ଥିତି ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ତତ୍ପରତା: ଜିରୋ କାଜୁଆଲିଟିକୁ ଜିଲ୍ଲାପାଳଙ୍କ ଗୁରୁତ୍ୱ

State

ବାରିପଦା:  ମୟୂରଭଞ୍ଜରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଜିଲ୍ଲା ପ୍ରଶାସନ ଦୃଢତାର ସହ ମୁକାବିଲା କରିବାରେ ସମର୍ଥ ହୋଇଛି। ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀ ଗୁଡିକର ଅବବାହିକାରେ ଅବସ୍ଥିତ ଗ୍ରାମ ଗୁଡିକ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ପରିସ୍ଥିତି ଥିବା ବଳେ ପ୍ରଶାସନ ଏଠି ପାଇଁ ପୂର୍ବରୁ ସଚେତନ ହୋଇ ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀକରଣ କରିବା ବ୍ୟବସ୍ଥା କରିଛି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ସମସ୍ତ ଜରୁରୀକାଳୀନ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାସଗୋବିନ୍ଦପୁର ବ୍ଲକର ଗୋଡିଘାଟି ଓ ଟୀକାୟତପୁର, ଏବଂ ସାରସକଣା ବ୍ଲକର ଶୀର୍ଷା ଗ୍ରାମପଂଚାୟତର ନେଦା ଅଂଚଳରେ, ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସମ୍ଭାବ୍ୟ ବନ୍ୟା ଘେରରେ ଥିବା ସମସ୍ତ ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀକରଣ କରିବା ସହିତ ସେମାନଙ୍କ ପାଇଁ ଗରମ ରନ୍ଧା ଖାଦ୍ୟ, ଉତ୍ତମ ପାନୀୟ, ଔଷଧ ସମେତ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରା ଯାଇଛି। ସୂଚନା ମୁତାବକ, ଏଯାବତ ୧୨୦ ରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଓଡ୍ରାଫ ଟିମ, ଜରୁରୀକାଳୀନ କର୍ମକାର୍ତ୍ତା ଓ ଅଗ୍ନିଶମ ବିଭାଗ କର୍ମକାର୍ତ୍ତାଙ୍କ ଦ୍ୱାରା ସ୍ଥାନାନ୍ତରୀକରଣ କରା ଯାଇଥିବା ବେଳେ, ପ୍ରତ୍ୟେକ ସମ୍ବେଦନଶିଳ ଅଂଚଳରେ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ଓ ପଶୁ ଚିକିତ୍ସା ସେବା ଅଧିକାରୀ ଏବଂ କର୍ମକାର୍ତ୍ତା ଉପସ୍ଥିତ ରହି ସମସ୍ତ ଦାୟିତ୍ୱ ସଠିକ ଭାବରେ ନିର୍ବାହ କରୁଥିବାର ସୂଚନା ପ୍ରାପ୍ତ ।

ବିଶେଷ କରି ଏହି ସମସ୍ତ ସ୍ଥାନରେ ସମସ୍ତ ଜରୁରୀକାଳୀନ କାର୍ଯ୍ୟକୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ପରିଦର୍ଶନ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ସମସ୍ତ ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନଙ୍କ ସହଯୋଗ ରେ କରା ଯାଉଛି ।

ଜିଲ୍ଲାପାଳ ଶ୍ରୀ ସୟ, ଅତିରିକ୍ତ ଜିଲ୍ଲାପାଳ, ସମ୍ପୃକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ତହସିଲଦାରମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଆକଳନ କରିବା ସହ ଆବଶ୍ୟକ ହସ୍ତକ୍ଷେପ ନିର୍ଦ୍ଧାରଣ କରିଛନ୍ତି। ଏହି ଯାଞ୍ଚ ପରେ ବନ୍ୟା ପ୍ରଭାବିତଙ୍କୁ ସମସ୍ତ ଜରୁରୀ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି ଦେଇଛନ୍ତି । ବିଶେଷ କରି ତୁରନ୍ତ ରିଲିଫ୍ ଯୋଗାଣ, ବିଶୁଦ୍ଧ ଜଳ ଓ ଖାଦ୍ୟ ଯୋଗାଣ, ଆବଶ୍ୟକ ସ୍ଥଳେ ଅସ୍ଥାୟୀ ଆଶ୍ରୟସ୍ଥଳୀ ସ୍ଥାପନ ଏବଂ ଚିକିତ୍ସା ସହାୟତାକୁ ସୁଗମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଆବଶ୍ୟକସ୍ଥଳେ କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ଏବଂ ଆବଶ୍ୟକସ୍ଥଳେ ପରବର୍ତ୍ତୀ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ବିଷୟରେ ଅବଗତ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ବାସିନ୍ଦାମାନଙ୍କୁ ଅନୁରୋଧ କରାଯାଇଛି।