3 5 750x430

କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓ ଜର୍ଜ କୁରିଅନଙ୍କ ସିଫା ପରିଦର୍ଶନ; ୮ଟି ଭାଷାରେ ରଂଗୀନ ମାଛ ଆପ୍ ଉନ୍ମୋଚିତ

State

ପିପିଲି:କେନ୍ଦ୍ର ମତ୍ସ୍ୟ, ପଶୁ, ଗୋପାଳନ, ପଂଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏବଂ ମତ୍ସ୍ୟ, ଗୋପାଳନ, ସଂଖ୍ୟାଲଘୁ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଅନ୍ ଗୁରୁବାର ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପରିଦର୍ଶନ କରିଛନ୍ତି। ସିଫାରେ ଚାଲିଥିବା ବିଭିନ୍ନ ଗବେଷଣାତ୍ମକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ସିଫା ପରିସରରେ ଥିବା ବିଭିନ୍ନ ଖାଦ୍ୟୋପଯୋଗୀ ମାଛର କିସମ ଯଥା ଜୟନ୍ତୀରୋହି, ଜିଆଇ ଚିଙ୍ଗୁଡ଼ି, ମାଗୁର, ଶାଳ, ଶେଉଳ, କଉ, ରଂଗୀନ ମାଛ, ମୋତିଚାଷ, ବାୟୋଫ୍ଲକ୍, ଆକ୍ୱାପନିକ୍ ୟୁନିଟ୍କୁ ମନ୍ତ୍ରୀଦ୍ୱୟ ବୁଲି ଦେଖିଥିଲେ।
ଏହି ଅବସରରେ ସିଫା ପରିସରସ୍ଥ କୃଷିବିଜ୍ଞାନ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ଆହ୍ୱାନ ଦେଇ ମନ୍ତ୍ରୀ ଶ୍ରୀସିଂହ କହିଥିଲେ ଯେ, ଉଚ୍ଚ ଗୁଣମାନର ମତ୍ସ୍ୟ ଉତ୍ପାଦନ, ମୂଲ୍ୟ ସମିଶ୍ରଣ ଓ ରତ୍ପାନୀ ନିମନ୍ତେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଉତ୍ପାଦନ ଠାରୁ ଅଧିକ କିଛି ଆମକୁ ଦେଖିବାକୁ ପଡ଼ିବ ବୋଲି ଶ୍ରୀସିଂହ କହିଥିଲେ। ରଂଗୀନ ମାଛଚାଷ କ୍ଷେତ୍ରରେ ବିକାଶକୁ ଗୁରୁତ୍ୱ ଦେବା ସହିତ ମାଛଚାଷ ଷ୍ଟାଟ୍ଅପ୍ ଗୁଡ଼ିକ କେବଳ କର୍ମ ନିଯୁକ୍ତି ଯୋଗାଉନାହିଁ ବରଂ ଦେଶର ଅର୍ଥନୀତିକୁ ସୁଦୃଢ କରୁଛି ବୋଲି ସେ କହିଥିଲେ। ସିଫାରେ କାର୍ଯ୍ୟରତ ବୈଜ୍ଞାନିକମାନେ ମତ୍ସ୍ୟଚାଷର ବିକାଶ କରିବା ସହିତ ଦେଶ ଗଠନରେ ସହାୟକ ହେଉଥିବାରୁ ମନ୍ତ୍ରୀ ଜର୍ଜ କୁରିଅନ୍ ବୈଜ୍ଞାନିକ ମାନଙ୍କର ନିଷ୍ଠାପର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ ବାର୍ଷିକ ୧୫% ଅନୁବଂଶୀୟ ବୃଦ୍ଧି ପାଉଥିବା ଉନ୍ନତ ପ୍ରଜାତିର ଭାକୁରମାଛ ଅମୃତ କାଟ୍ଲା ର ଜାଆଁଳକୁ ଏନ୍ଏଫ୍ଡିବି କୁ ମନ୍ତ୍ରୀ ବଣ୍ଟନ କରିଥିଲେ। ଏନ୍ଏଫ୍ଡିବି ସିଫାର ମାର୍ଗଦର୍ଶନରେ ବହୁଗୁଣିକ ଜାଆଁଳ ଉତ୍ପାଦନ କେନ୍ଦ୍ର ଭାବେ କାର୍ଯ୍ୟକରୁଛି ଓ କୃଷକ ଏବଂ ଉଦ୍ୟୋଗୀମାନଙ୍କୁ ବିତରଣ କରୁଛି। ତତ୍ପରେ ଜାଆଁଳ ଉତ୍ପାଦନ, ପ୍ରଜନନ ମିଠାପାଣିରେ ଚିଙ୍ଗୁଡ଼ି ଓ ମାଛଚାଷ ସଂପର୍କିତ ୧୨ଗୋଟି ହିନ୍ଦି ପ୍ରକାଶନକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ। ପଶ୍ଚିମବଂଗ ରାଜ୍ୟର ହୁଗୁଳିସ୍ଥିତ ନେହା ଫେବ୍ରିକେଶନକୁ ଏଫ୍ଆର୍ପି ବାଗ୍ଦା ହାଚେରୀ, ଏଫ୍ଆର୍ପି କାର୍ପ ହାଚେରୀ ନିର୍ମାଣ କୌଶଳର ଲାଇସେନ୍ସ ପ୍ରଦାନ କରିବା ସହିତ ରଂଗୀନ ମାଛ ଆପ୍ର ଉନ୍ମୋଚନ କରିଥିଲେ।
ନୂତନ ଭାବେ ବିକଶିତ ରଂଗୀନ ମାଛ ଆପ୍ ୮ ଗୋଟି ଭାଷାରେ ଉପଲବ୍ଧ ହେବା ସହିତ ଅପ୍ଡେଟେଡ଼ ଡାଇରେକ୍ଟରୀ, ଅକ୍ୱାରିୟମ୍ ରକ୍ଷଣାବେକ୍ଷଣର ସୂଚନା ରହିଛି। ମନ୍ତ୍ରୀଦ୍ୱୟ ସେଠାରେ କୃଷକମାନଙ୍କ ସହ ଭାବ ବିନିମୟ କରିଥିଲେ।
ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପମହାନିର୍ଦ୍ଦେଶକ ଡଃ ଜେ. କେ. ଜେନା ଓ ସିଫାର ନିର୍ଦ୍ଦେଶକ ଡଃ ପି. କେ. ସାହୁ କୃଷକମାନଙ୍କୁ ସିଫା ତରଫରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜ୍ଞାନକୌଶଳ ସଂପର୍କରେ ମନ୍ତ୍ରୀଦ୍ୱୟଙ୍କୁ ଅବଗତ କରାଇଥିଲେ। ସିଫାରେ ଚାଲିଥିବା ବିଭିନ୍ନ ଗବେଷଣା ସଂପର୍କରେ ଆଲୋକପାତ କରି ଭିଜନ୍-୨୦୪୭ ଶୀର୍ଷକ ଏକ ପ୍ରେଜେଂଟେସନ୍ ସିଫାର ନିର୍ଦ୍ଦେଶକ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୈଜ୍ଞାନିକ, ରାଜ୍ୟ ସରକାରୀ ଅଧିକାରୀ, କୃଷକ ଏବଂ ହିତାଧିକାରୀମାନେ ଯୋଗଦେଇଥିଲେ।