Naveen 3

ପୋଲଭରମ ପ୍ରକଳ୍ପକୁ ବିରୋଧ : ନବୀନଙ୍କୁ ରିପୋର୍ଟ ଦେଲେ ବିଜେଡିର ପୋଲାଭରମ ପ୍ରକଳ୍ପ ଅନୁଧ୍ୟାନକାରୀ ଟିମ୍

State

ଭୁବନେଶ୍ୱର : ପାର୍ଲାମେଣ୍ଟରୁ ଆରମ୍ଭ କରି ପଞ୍ଚାୟତ ସ୍ତର ଯାଏଁ ସବୁ ଆଡେ ପୋଲଭରମ ପ୍ରକଳ୍ପକୁ ବିରୋଧ କର । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବିଜେଡି ନେତାଙ୍କୁ ଆଜି ଏହି ପରାମର୍ଶ ଦେଇଛନ୍ତି । ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି, ବିଜେଡିର ପୋଲାଭରମ ପ୍ରକଳ୍ପ ଅନୁଧ୍ୟାନକାରୀ ଟିମ ରିପୋର୍ଟ ପ୍ରଦାନ କରିଛନ୍ତି । ପୋଲଭାରମ ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକେ କ୍ଷତିଗ୍ରସ୍ତ ହେବେ। ସେମାନଙ୍କର ଭିଟାମାଟି ଓ ଜୀବୀକା ଉଜୁଡି ଯିବ।

ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ଏ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ରିପୋର୍ଟ ଦେଇଥିଲେ। ତେଣୁ ଏହି ପ୍ରକଳ୍ପକୁ ସବୁ ସ୍ତରରେ ବିରୋଧ କରିବାକୁ ପରମର୍ଶ ଦେଇଥିଲେ ନବୀନ। ନବୀନ କହିଛନ୍ତି, ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁ ବେଳେ ପ୍ରାଥମିକତା ଦେଇଆସିଛି । ଆଦିବାସୀଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ।

ପୋଲାଭରମ ଅନୁଧ୍ୟାନକାରୀ ଟିମର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସାଂସଦ ମୁନ୍ନା ଖାଁ, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝିନ ହିକ୍କକା, ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେଡିର ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ ପ୍ରମୁଖ ଆସି ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।