Paddy In Mandi

ଧାନ ବିକ୍ରି ପଞ୍ଜୀକରଣରେ ଖଜଣା ଆଦାୟ, ଅଘୋଷିତ ନିୟମକୁ ପାଳନ କରିବା ମହଙ୍ଗା ପଡ଼ିଲା

State

ଧାନର ସହାୟକ ମୂଲ୍ୟରେ ବୃଦ୍ଧି ସତ୍ତ୍ୱ ଚାଷୀ ପଞ୍ଜୀକରଣ କମିଲା

ଆଗରପଡ଼ା :ଚଳିତ ବର୍ଷ ରାଜ୍ୟ ସରକାର ଧାନର ସହାୟକ ମୂଲ୍ୟରେ ବୃଦ୍ଧି କରିଥିଲେ ସୁଦ୍ଧା ଅଘୋଷିତ ନିୟମକୁ ପାଳନ କରିବା ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଗରପଡ଼ା ଶାଖା ଅଧିନରେ କାର୍ଯ୍ୟ କରୁଥିବା ୩ଗୋଟି ସମବାୟ ସମିତ ପୁରୁଷଣ୍ଢ,କାଦବରାଙ୍ଗ ଓ ସରମରାକୁ ମହଙ୍ଗା ପଡ଼ିଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ;ଗତ ବର୍ଷ ପୁରୁଷଣ୍ଢ ସେବା ସମବାୟ ସମିତିରେ ୯୦୪ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଚଳିତବର୍ଷ ୭୫୬ଜଣ(ଗତ ବର୍ଷ ତୁଳନାରେ୧୪୮ ଜଣ କମ୍‌)ଚାଷୀ ପଞ୍ଜୀକରଣ କରିଛନ୍ତି । ସେହିପରି ସରମରା ସମିତିରେ ଗତବର୍ଷ ୭୭୫ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଚଳିତବର୍ଷ ୭୩୪ଜଣ(ଗତ ବର୍ଷ ତୁଳନାରେ ୪୧ ଜଣ କମ୍‌) ଓ କାଦବରାଙ୍ଗ ସମିତିରେ ଗତବର୍ଷ ୭୧୨ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଚଳିତବର୍ଷ ୬୮୫ଜଣ(ଗତ ବର୍ଷ ତୁଳନାରେ୨୭ ଜଣ କମ୍‌)ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉକି;ଆବେଦନ ପଂଜିକରଣ ସମୟରେ ସମବାୟ ସମିତି କର୍ମଚାରୀଙ୍କ ଦ୍ୱାରା ଆବେଦନପତ୍ର ସହ ଉଲ୍ଲେଖ କରାଯାଇଥିବା ଚାଷ ଜମିର କର(ଖଜଣା) ଦିଆଯାଇଥିବା ପାଉତି ମଗାଯାଇଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଧାନ ବିକ୍ରି ପଂଜିକରଣ ପାଇଁ କର ବା ଖଜଣା ଦିଆଯାଇଛି ବୋଲି କୌଣସି ପ୍ରମାଣପତ୍ର ଦାଖଲ ଆବଶ୍ୟକ ନଥିବା ବେଳେ ଏହା ଚାଷୀଙ୍କ ଠାରୁ ସହଜରେ କର ଆଦାୟ ପାଇଁ ରାଜସ୍ୱ ବିଭାଗ ଓ ସମବାୟ ସମିତି ମଧ୍ୟରେ ଏକ ଅଘୋଷିତ ସଂପର୍କକୁ ନେଇ କରାଯାଇଥିବା ଜଣାଯାଇଥିଲା । ଉକ୍ତ ସମସ୍ୟାକୁ ନେଇ ସମବାୟ ଓ ଯୋଗାଣ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ରାଜସ୍ୱ ଆଦାୟ ପାଇଁ ଏହିଭଳି ବ୍ୟବସ୍ଥାକୁ ମୌଖିକ ଭାବେ ପାଳନ କରାଯିବାକୁ କୁହାଯାଇଥିବା ପ୍ରକାଶ କରିଥିଲେ ।

ତେଣୁ ଏହିପରି ମୌଖିକ ଆଦେଶରେ ରାଜସ୍ୱ ବିଭାଗକୁ ପରୋକ୍ଷରେ ସମବାୟ ସମିତି ସହଯୋଗ କରୁଥିବା ସ୍ପଷ୍ଟ ବାରି ହୋଇପଡିଥିଲା । ଏଥିଯୋଗୁଁ କ୍ଷୁଦ୍ର ଓ ଗରିବ ଚାଷୀମାନେ ଆର୍ଥିକ ବର୍ଷ ଆରମ୍ଭରେ କର ଦେବାକୁ ସମସ୍ୟା ଭୋଗୁଥିବାର ଅଗିଯୋଗ ମଧ୍ୟ ହୋଇଥିଲା । ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଗରପଡ଼ା ଶାଖା ଅଧିନରେ ପୁରୁଷଣ୍ଢ,କାଦବରାଙ୍ଗ ଓ ସରମରା ଏହିପରି ୩ଗୋଟି ସମବାୟ ସମିତି କାର୍ଯ୍ୟ କରୁଥିବା ବେଳେ ପୁରୁଷଣ୍ଢ ସେବା ସମବାୟ ସମିତିକୁ ଛାଡ଼ି ଅନ୍ୟ ୨ଗୋଟି ସମିତିରେ ସ୍ଥାୟୀ ସଂପାଦକ ଥିବା ବେଳେ ସେମାନେ ଚାଷୀଙ୍କ ଠାରୁ ଧାନ ବିକ୍ରି ପଂଜିକରଣ ପାଇଁ କର ବା ଖଜଣା ଦିଆଯାଇଥିବାର କୌଣସି ପ୍ରମାଣପତ୍ର ଦାଖଲ ପ୍ରତି ଗୁରୁତ୍ୱ ଦେଇନଥିବା ବା ଚାଷୀଙ୍କୁ ବାଧ୍ୟ କରିନଥିବାରୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଉକ୍ତ ଦୁଇ ସମିତିରେ ପାଖାପାଖି ଚାଷୀ ପଞ୍ଜୀକରଣ ହୋଇଥିବା ବେଳେ ପୁରୁଷଣ୍ଢ ସମବାୟ ସମିତିରେ ଜଣେ ଅସ୍ଥାୟୀ ସଂପାଦକ ଚାଷୀଙ୍କୁ ଏଥିପାଇଁ ବାଧ୍ୟ କରିବା ସାଧାରଣରେ ତାଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ଏବଂ ଯାହାର ଫଳ ସ୍ୱରୂପ ଚଳିତ ବର୍ଷ ଅନ୍ୟ ଦୁଇ ସମିତି ଅପେକ୍ଷା ପୁରୁଷଣ୍ଢ ସମିତିରେ ବହୁ ପରିମାଣରେ ଚାଷୀ ପଞ୍ଜୀକରଣ କରିବାରୁ ବଂଚିତ ହୋଇଥିବାର ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି । ପଞ୍ଜୀକରଣର ଶେଷ ପର୍ଯ୍ୟାୟରେ ଅସ୍ଥାୟୀ ସଂପାଦକ ନିୟମରେ କୋହଳ ମନଭାବ ପ୍ରତିପୋଷଣ କରିଥିଲେ ସୁଦ୍ଧା ପ୍ରକୃତ ଚାଷୀ ଏହି ସୁଯୋଗ ପାଇବାରୁ ବଂଚିତ ହୋଇଥିବାର ଜଣାପଡିଛି । ତେଣୁ କେଉଁ କାରଣରୁ ଅଘୋଷିତ ନିୟମକୁ ପାଳନକରି ପରବର୍ତ୍ତୀ ସମୟରେ ଏହାକୁ ନିଜେ ଅବମାନନା କଲେ ତାହା ତଦନ୍ତ ସାପେକ୍ଷ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି । ଧାନ ବିକ୍ରି ସହିତ ଖଜଣା ପ୍ରଦାନରେ କୌଣସି ସମ୍ପର୍କ ନଥିବା ବେଳେ ମୌଖିକ ଆଦେଶକୁ ଗୁରୁତ୍ୱ ଦେଇ ଅଯଥାରେ ଚାଷୀଙ୍କୁ ହଇରାଣ କରିବା ସମବାୟ ସମିତିକୁ ମହଙ୍ଗା ପଡ଼ିବା ସହିତ ପ୍ରକୃତ ଚାଷୀଙ୍କୁ ସରକାରୀ ସହାୟତାରୁ ବଂଚିତ କରାଇବା ପଛରେ କାହାର ଏବଂ କି ସ୍ୱାର୍ଥ ନିହିତ ସରକାର ତାହାର ନିରପେକ୍ଷ ତଦନ୍ତ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।