Durga

କଟକ ମହାନଗର ଶାନ୍ତି କମିଟିର ଦୁର୍ଗାପୂଜା ଓ ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ

State

କଟକ: କଟକ ମହାନଗର ଶାନ୍ତି କମିଟିର ଦୁର୍ଗାପୂଜା ଓ ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ସଭାରେ କଟକ ଜିଲ୍ଲାପାଳ, ସିଏମସି ମେୟର, ପୋଲିସ କମିଶନର, କଟକ ଡିସିପି, ଶାନ୍ତି କମିଟି କର୍ମକର୍ତ୍ତା, ସମସ୍ତ ପୂଜା କମିଟି କର୍ମକର୍ତ୍ତା, ବାରବାଟି କଟକ ବିଧାୟକ, ଚୌଦ୍ଵାର କଟକ ବିଧାୟକ ଉପସ୍ଥିତ ତଥା ବିଭିନ୍ନ ରାଜନୈତିକ ଦଳର ନେତ୍ରୁ ବୃନ୍ଦ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ଅକ୍ଟୋବର ମାସ 9 ତାରିଖରେ ଦୁର୍ଗାପୂଜା ଆରମ୍ଭ ହୋଇ, ୧୪ ତାରିଖରେ ଭସାଣି ଅନୁଷ୍ଠିତ ହେବ ।

୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଏବଂ ପୂଜାମଣ୍ଡପଗୁଡ଼ିକୁ ରିହାତି ମୂଲ୍ୟରେ ବିଦ୍ୟୁତ୍ ଯୋଗାଇ ଦିଆଯିବା ସହ ପୂଜା ସମୟରେ ଯେପରି ବିଦ୍ୟୁତ୍ ବିଭ୍ରାଟ ନ ହୁଏ ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ବିଭିନ୍ନ ପୂଜା କମିଟି । ମଙ୍ଗଳାବାଗ, ବକ୍ସିବଜାର, ଗୌରୀଶଙ୍କର ପାର୍କ, ଚାନ୍ଦିନୀଚୌକ ଏବଂ ପୁରୀଘାଟଠାରେ ଭସାଣୀ ଉତ୍ସବ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ପୋଲିସ କଂଟ୍ରୋଲରୁମ୍, ପାନୀୟ ଜଳ ଏବଂ ଭ୍ରାମ୍ୟମାଣ ଶୌଚାଳୟ ସହ ପର୍ଯ୍ୟାପ୍ତ ପରିମାଣରେ ଆଲୋକର ବ୍ୟବସ୍ଥା କରିବାକୁ ନିବେଦନ କରାଯାଇଛି ।

ମେଢ଼ ବିସର୍ଜନ ନିମନ୍ତେ ପୁରୀଘାଟ ଦେବୀଗଡ଼ା ରାସ୍ତାକୁ ପରିଷ୍କାର ପରିଚ୍ଛନ୍ନ ସହ ମରାମତି ଓ ଆଲୋକର ବ୍ୟବସ୍ଥା କରିବା ସଂଗେ ସଂଗେ ଚେସିସଗୁଡ଼ିକୁ ଉପରକୁ ଉଠାଇବା ନିମନ୍ତେ ଟ୍ରାକଟର ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି । ତେବେ ଚଳିତ ଦୁର୍ଗାପୂଜାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ କିଛି ନୂଆ କଟକଣା କିଛି ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ପ୍ରଶାସନ ।

ଚଳିତ ଦୁର୍ଗାପୂଜା ପାଇଁ ନୂଆ କଟକଣା ଓ ପଦକ୍ଷେପ-
– ବ୍ୟବହାର ହେବ ନାହିଁ ଫାୟର ଗନ୍ ।

– ଲେଜର ଲାଇଟ୍ ବ୍ୟବହାର ଉପରେ ଲାଗିବ ରୋକ୍।

– ଭସାଣି ଶୋଭାଯାତ୍ରାରେ ବାଜି ପାରିବ ନାହିଁ ଡିଜେ।

– ନିଶା ମୁକ୍ତ ଦୁର୍ଗାପୂଜା ପାଇଁ ପ୍ରତି ପୂଜା ମଣ୍ଡପରେ ପୂଜକ ଶପଥ ପାଠ କରାଇବେ । ନିଶା ଠାରୁ ଦୂରେଇ ରହିବା ପାଇଁ ଶପଥ ପାଠ କରାଇବେ।

– ଏ ନେଇ ପୂଜକ ତଥା ପୂଜା କମିଟିଗୁଡ଼ିକୁ ଅପିଲ କରିବ କମିଶନରେଟ ପୋଲିସ।

ପୂଜା ପୂର୍ବରୁ ସାହି ସାହି ଭିତରେ ଥିବା ବିବାଦ ଗୁଡ଼ିକର ଆପୋଷ ସମାଧାନ ପାଇଁ ପୋଲିସ ପକ୍ଷରୁ ଏ ସି ପି ସ୍ତରରେ ବୈଠକ ଡକାଯାଇ ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପୋଲିସ କମିସନର। ଜୋର୍ ଜବରଦସ୍ତି ଚାନ୍ଦା ଆଦାୟକୁ ଆଦୌ ବରଦସ୍ତ୍ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।