Img 20240905 Wa0229

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଗୁରୁ ଦିବସ ଉପଲକ୍ଷେ ମୟୂରଭଞ୍ଜର ରାଜ୍ୟ ଓ ଜାତୀୟସ୍ତରରେ ପୁରସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

State

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ମହାବିଦ୍ୟାଳୟରେ ଗୁରୁ ଦିବସ ଉପଲକ୍ଷେ ଏକ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୟୂରଭଞ୍ଜର ରାଜ୍ୟ ଓ ଜାତୀୟସ୍ତରରେ ପୁରସ୍କୃତ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା କରିଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଶିକ୍ଷକ ମାନେ ହେଲେ: ବାରିପଦାର ଶ୍ରୀ ଶ୍ୟାମସୁନ୍ଦର ଶତପଥି, ଶ୍ରୀ ଭାଗବତ ପଣ୍ଡା, ସୁଶ୍ରୀ ବୀଣାପାଣି ପଣ୍ଡା, ଡ଼. ଶଶୀଧର ବିଶ୍ୱାଳ, କପ୍ତିପଦାର ଶ୍ରୀ ଶରତ ଚନ୍ଦ୍ର ମିଶ୍ର, ବଡ଼ସାହିର ଶ୍ରୀ ସଚ୍ଚିଦାନନ୍ଦ ମହାନ୍ତି ଓ କୁସୁମୀର ଶ୍ରୀ ଶ୍ରୀକୁମାର କବି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଆଜିର ଯୁଗରେ ଗୁରୁ ଶିଷ୍ୟ ପରମ୍ପରାର ଅବକ୍ଷୟ ଯୋଗୁଁ ଗୁରୁମାନେ ସେମାନଙ୍କର ଗୁରୁତ୍ୱ ହରାଇଥିବା ହେତୁ ଦୁଃଖପ୍ରକାଶ କରି ଆଜିର ଦିନକୁ ଗୁରୁ ଦିବସ ନ କହି ବରଂ ଶିକ୍ଷକ ଦିବସ କହିବା ଅଧିକ ଉଚିତ ହେବ ବୋଲି ମତପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟକୁ ଏକ ମଣିଷ ତିଆରି କାରଖାନା କହିବା ଠିକ୍‌ ନୁହେଁ କାରଣ ଶିକ୍ଷକ ମାନେ କୌଣସି କାରଖାନାର କର୍ମଚାରୀ ନୁହନ୍ତି ଯେ ତାଙ୍କର କାର୍ଯ୍ୟକୁ ଦିନର ଏକ ନିର୍ଦ୍ଦିଷ୍ଟ ସମୟସୀମାରେ ମାପିହେବ । ଯେଉଁ ଗୁରୁ ମାନେ ନିଜକୁ ଏକ କର୍ମଚାରୀ ମନେ ନ କରି ଅନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ମଙ୍ଗଳ ସକାଶେ ନିଜକୁ ସମର୍ପଣ କରିଛନ୍ତି ସେହି ଗୁରୁ ମାନେ କେବେ ଗୁରୁତ୍ୱ ହରାଇବେ ନାହିଁ ଏବଂ ସାରା ସମାଜ ପାଇଁ ମଙ୍ଗଳକାରୀ ହେବେ ବୋଲି ସେ ଦୃଢ଼ୋକ୍ତି କରିଥିଲେ । ସମ୍ବର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ନିଜ ବକ୍ତବ୍ୟରେ ଗୁରୁ ଦିବସ ଉପଲକ୍ଷେ ଏଭଳି ଶିକ୍ଷକ ସମ୍ବର୍ଦ୍ଧନାକୁ ବିଶ୍ୱବିଦ୍ୟାଳୟର ଏକ ଅଭିନବ ପ୍ରୟାସ ବୋଲି ଅଭିହିତ କରିବା ସହ କୁଳପତି ଓ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ସ୍ୱତନ୍ତ୍ର ଭାବରେ ବିଶ୍ୱବିଦ୍ୟାଳୟର ଉଦ୍ୟାନରେ କାର୍ଯ୍ୟରତ କର୍ମଚାରୀ ଶ୍ରୀ ରବି ମାଝୀ, ବିଶ୍ୱରଞ୍ଜନ ହେମ୍ବ୍ରମ୍‌ ଓ ବେଣୁଧର ପାତ୍ରଙ୍କୁ ସମ୍ବର୍ଦ୍ଧନା କରିଥିଲେ । ବିଭାଗର ସଂଯୋଜିକା ପ୍ରଫେସର ସୁସ୍ମିତା କର ସ୍ୱାଗତ ଭାଷଣ ଓ ସମ୍ବର୍ଦ୍ଧିତ ଶିକ୍ଷକ ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଭାଗୀୟ ଅଧ୍ୟକ୍ଷ ଡ. ଚକ୍ରଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ସଙ୍ଗୀତ ଓ ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂଚାଳନରେ ବିଭାଗର ଅଧ୍ୟାପକ ଶ୍ରୀ ସ୍ନେହାଶିଷ ମହାନ୍ତି, ସୁଶ୍ରୀ ନିଶିବିଜିତା ନାୟକ, ଶ୍ରୀମତି ଲକ୍ଷ୍ମୀପ୍ରିୟା ମହାନ୍ତି, ସୁଶ୍ରୀ ସ୍ମିତାରାଣୀ ମଣ୍ଡଳ ଓ ବିଭାଗର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।