Img 20240827 Wa0263

ବାରିପଦା ସହରରେ ସରକାରୀ ବସ୍ ସେବା ଶୁଭାରମ୍ଭ ପାଇଁ ମାରିସାର ବିକ୍ଷୋଭ

State

ବାରିପଦା: ବାରିପଦା ସହରଠାରୁ ତଖତପୁର ଓ ଲକ୍ଷ୍ମିପୋଷି ଦେଇ ଓ.ଏସ୍.ଆର୍.ଟି.ସି ମାଧ୍ୟମରେ ବସ୍ ସେବା ପ୍ରଦାନ କରିବା ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍(ମାରିସା) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାସହ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ହେମାକାନ୍ତ ସୋଏ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପୂର୍ବରୁ ଏଥି ନେଇ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ବସ୍ ସେବାର ଶୁଭାରମ୍ଭ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ମାରିସା ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁ ଘୋର୍ ଉଦ୍ ବେଗ ପ୍ରକାଶ କରିିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରଠାରୁ ତଖତପୁର ପ୍ରାୟ ୩/୪ କି.ମି. ଓ ଲକ୍ଷ୍ମୀପୋଷି ପ୍ରାୟ ୭/୮ କି.ମି. ଦୂରରେ ଅବସ୍ଥିତ ଏବଂ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତଖତପୁରଠାରେ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ସରକାରୀ ବୈଷୟିକ ତାଲିମ୍ ଅନୁଷ୍ଠାନ, ମୟୂରଭଞ୍ଜ କଲେଜ୍ ଅଫ୍ ଏକାଉଟେନ୍ସି ଏଣ୍ଡ ମ୍ୟାନେଜମ୍ୟାଣ୍ଟ, ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବିଜୁପଟ୍ଟନାୟକ ନର୍ସିଂ କଲେଜ ତଥା ମହୂରଭଞ୍ଜ ଆଇନ ମହାବିଦ୍ୟାଳୟ ପରି ଅଗ୍ରଣୀ ଶିକ୍ଷାନୁଷ୍ଠାନ ରହିଥିବାବେଳେ ଲକ୍ଷ୍ମୀିପୋଷିଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ମୟୂରଭଞ୍ଜ ସ୍କୁଲ୍ ଅଫ୍ ଇଂଜିନିୟରିଂ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ ରହିଛି । ଏହିିସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ ନିମନ୍ତେ ଦୈନନ୍ଦିନ ଅନେକ ଛାତ୍ରଛାତ୍ରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ବସ୍ ଯୋଗେ ବାରିପଦାକୁ ଆସିଥାନ୍ତି । ବାରିପଦା ବସ୍ ଷ୍ଟାଣ୍ଡରେ ଓହ୍ଲାଇ ଉପରୋକ୍ତ ଶିିକ୍ଷାନୁଷ୍ଠାନଗୁଡିକ ଯିବାପାଇଁ ଟାଉନ୍ ବସ୍ କିମ୍ବା ଅନ୍ୟାନ୍ୟ ଯାତାୟାତର ସୁବିଧା ନ ଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଟେମ୍ପୋ ବା ଅଟୋ ସହାୟତା ଲୋଡିଥାନ୍ତି ଏବଂ ଅଟୋ ଚାଳକମାନେ ମନଇଚ୍ଛା ଭଡା ଆଦାୟ କରିଥାନ୍ତି । ଅନେକ ସମୟରେ ଏହିସବୁ ଗନ୍ତବ୍ୟ ସ୍ଥଳକୁ ଆବଶ୍ୟକ ସଂଖ୍ୟକ ଯାତ୍ରୀ ନଥିବା ସମୟରେ ଛାତ୍ରଛାତ୍ରୀମାନେ ଅଟୋକୁ ସମ୍ପର୍ଣ୍ଣଭାବେ ଆରକ୍ଷଣ କରି ଯିବାକୁ ବାଧ୍ୟ ହୋଇଥାନ୍ତି,ଯେଉଁଥିପାଇଁ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । ମୟୂରଭଞ୍ଜ ଏକ ଗ୍ରାମବହୁଳ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ଗ୍ରାମାଞ୍ଚଳରୁ ଅନେକ ଛାତ୍ରଛାତ୍ରୀ ବାରିପଦା ଆସି ଉପରୋକ୍ତ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟୟନ କରୁଛନ୍ତି । ଯେଉଁ ପିଲାମାନେ ବାରିପଦାକୁ ଗ୍ରାମାଞ୍ଚଳରୁ ଆସି ଅଧ୍ୟୟନ କରୁଛନ୍ତି, ସେମାନଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଏତେ ସ୍ୱଚ୍ଛଳ ନୁହେଁ । ତେଣୁ ବସ୍ ସେବା ପ୍ରଦାନ କରିବା ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍.ଟି.ଓ.) ବାରିପଦାଙ୍କୁ ଆବଶ୍ୟକ ନିର୍ଦ୍ଦେଶ ସହ ବସ୍ ସେବାର ଶୁଭାରମ୍ଭ ପାଇଁଁ ଅବିଳମ୍ବେ ବିହୀତ ବ୍ୟବସ୍ଥା କରିିବା ପାଇଁ ମାରିସା ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ମାରିସା ରାଜ୍ଯ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ମୟୂରଭଞ୍ଜ ଜିଲ୍ଲା ସଭାପତି ତୋଫାନ୍ ହେମ୍ବ୍ରମ୍, ଉପ ସଭାପତି ରବିନ୍ଦ୍ର ମାର୍ଣ୍ଡି ଓ ସାଧାରଣ ସମ୍ପାଦକ ଚାନ୍ଦ ତାରାଶ୍ ମୁର୍ମୁ , ଜିଲ୍ଲା ଛାତ୍ର ସଭାପତି ଶ୍ୟାମ ସୁନ୍ଦର ହାଁସଦାଃ,ସାଧାରଣ ସମ୍ପାଦକ ଅରବିନ୍ଦ ଟୁଡୁ ଏବଂ ଉପସଭାପତି ଦିପୁ ବେଶ୍ରା, ଶୁଳିଆପଦା ବ୍ଳକ୍ ଛାତ୍ର ସଭାପତି ରାଜୁ ମାର୍ଣ୍ଡି, ରାଜେଶ ବେଶ୍ରା, ମିଶ୍ର ମୁର୍ମୁ, କିଶୁନ ହେମ୍ବ୍ରମ, ସାୱନା ହେମ୍ବ୍ରମ୍, ଚାନ୍ଦ୍ରାୟ ସୋରେନ୍,ସଂଗ୍ରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।