Photo For The News Of Mugura

ଦେଖିବାକୁ ମିଳୁନି ମାଛ ଧରିବା ଅନ୍ଧିଲି, ଖଇଁଚି ଓ ମୁଗୁରା

State

ବନ୍ତ/ଆଗରପଡ଼ା  :ଆଧୁନିକ ଯୁଗରେ ଆଧୁନିକତ୍ୱର ପରିଭାଷା ମଧ୍ୟରେ ହଜିଯାଇଛି ବହୁ ଜିନିଷ । ତା ମଧ୍ୟରେ ଆଉ ଦେଖିବାକୁ ମିଳୁନି ମାଛ ଧରିବା ଅନ୍ଧିଲି, ଖଇଁଚି ଓ ମୁଗୁରା । ପୂର୍ବରୁ ନାଳ ପାଣିରେ ଅନ୍ଧିଲି, ଖଇଁଚି ଓ ମୁଗୁରା ବସାଇ ଲୋକେ ମାଛ ଧରି ଖାଉଥିଲେ । ମାତ୍ର ସେଗୁଡ଼ିକ ଆଉ ଦେଖିବାକୁ ମିଳୁ ନାହିଁ । ବର୍ତ୍ତମାନ ପିଲାମାନଙ୍କ ପାଇଁ ଏହା ଇତିହାସ ପାଲଟିଲାଣି । ଅନ୍ଧିଲି, ଖଇଁଚି ଓ ମୁଗୁରା କଣ ପଚାରିଲେ ସେମାନେ ଜାଣି ପାରୁ ନାହଁନ୍ତି । ପୂର୍ବରୁ ସମସ୍ତଙ୍କ ଘରେ ଦୁଇ, ଚାରୋଟି ଏହି ଜିନିଷ ଥିବାର ଦେଖିବାକୁ ମିଳୁଥିଲା । ଚାଷ ବେଳେ ଜମିରେ ସାର, ବିଷ ପରି ଅତି ଉତ୍କଟ କ୍ଷତିକାରକ ଦ୍ରବ୍ୟ ପଡ଼ିବାରୁ ମାଚ ବଂଶ ଲୋପ ପାଇଲେ ଯଦ୍ୱାରା ଏହି ଅନ୍ଧିଲି, ଖଇଁଚି ଓ ମୁଗୁରା ସମସ୍ତଙ୍କ ପଇଁ ଅନାବଶ୍ୟକ ହୋଇ ପଡ଼ିଲା ।

ବିଶେଷ କରି ବର୍ଷା ଦିନେ କିଆରୀ ଗୁଡ଼ିକରେ ପାଣି ପଶି ଆଗକୁ ଗଡ଼ିଚାଲେ ହିଡ଼ରେ ଘାଇ କରି ଏହି ଅନ୍ଧିଲି, ଖଇଁଚି ଓ ମୁଗୁରା କୁ ସଂଧ୍ୟା ବେଳେ ବସାଯାଏ । ସକାଳୁ ମାଛ ଗୁଡ଼ିକ ଏହା ମଧ୍ୟକୁ ପାଣି ସୁଅରେ ପଶିଯାଇ ଆଉ ବାହାରି ପାରନ୍ତି ନାହିଁ । ଚିଙ୍ଗୁଡ଼ି, ତୁଡ଼ି, ଚେଙ୍ଗ, ଗଡ଼ିଶ, କଉ, ସିଙ୍ଗି, କଣ୍ଟିଆ ଆଦି ଧରଣର ମାଛ ମିଳିଥାଏ । ଆବଶ୍ୟକ ଠାରୁ ଅଧିକ ପରିମାଣରେ ମାଛ ପ୍ରତିଦିନ ମିଳୁଥିବାରୁ ଲୋକେ ଏହାକୁ ଖାଇ ଅବଶିଷ୍ଟକୁ ଶୁଖୁଆ କରିଥାନ୍ତି । ମାତ୍ର ବର୍ତ୍ତମାନ ଏହି ଧରଣର ମାଛ ମିଳିବା ସ୍ୱପ୍ନ ଓ ଏହା ଆଉ ବିଲବାଡ଼ି ପାଣିରେ ମିଳୁ ନାହାଁନ୍ତି । ଆୟତ କ୍ଷେତ୍ର ସଦୃଶ୍ୟ ଅଟେ ଅନ୍ଧିଲି । ବାଉଁଶ କାଠିରେ ନିର୍ମିତ ଅନ୍ଧିଲି ବିଭିନ୍ନ ସାଇଜ୍‌ରେ ଦେଖିବାକୁ ମିଳେ । ଏହି କାଠିକୁ ଝୋଟ ସୂତାରେ ବୁଣା ଯାଇଥାଏ ଖଇଁଚି ଲମ୍ବା ସାଇଜରେ ଅଟେ । ମାତ୍ର ଏହିପରି ଜିନିଷମାନ ସଂପୂର୍ଣ୍ଣ ଭାବେ ବିଲୋପ ହୋଇଗଲାଣି ।