Rain

୨୫ ଯାଏଁ ପ୍ରବଳ ବର୍ଷା, ୧୬ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ସତର୍କ ନିର୍ଦ୍ଦେଶ

State

ଭୁବନେଶ୍ୱର: ଆଗାମୀ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନକୁ ବର୍ଷା ଆଲର୍ଟ। ହାଲୁକାରୁ ମଧ୍ୟମ ଧରଣ ସହ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା। ୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା। ଉପକୂଳ ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଜିଠାରୁ ବର୍ଷାର ପରିମାଣ ବଢିବ। ଶୁକ୍ରବାର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ୧୬ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନ (ଏସଆରସି) ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ଜିଲ୍ଲାରେ ୭ରୁ ୧୦ ସେମି ପର୍ଯ୍ୟନ୍ତ ବର୍ଷା ହେବ। ଏହି ସବୁ ଜିଲ୍ଲା ଗୁଡିକ ହେଲା ବରଗଡ, ବଲାଙ୍ଗୀର, ନୂଆପଡା, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ସୁନ୍ଦରଗଡ଼ ଓ ଝାରସୁଗୁଡା।

ସେହିପରି ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ଅତି ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ୨ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ଗଜପତି, ସୁନ୍ଦରଗଡ ଓ ଝାରସୁଗୁଡା ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।