Ship 1

ବିକ୍ରି ହେବ ଏମଭି ଦେବୀ ଜାହାଜ, ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ

State

କଟକ : ବିକ୍ରି ହେବ ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଏମଭି ଦେବୀ ଜାହାଜ । ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଭଡା ପଇଠ ନକରିବାରୁ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପାରାଦୀପ ଇଣ୍ଟରନାସନାଲ କାରଗୋ ପ୍ରାଇଭେଟ ଲିମିଟେଡ଼କୁ ବ୍ୟବହାର କରି ସେ ବାବଦରେ ୭ କୋଟି ୯୫ ଲକ୍ଷ ଟଙ୍କାର ଭଡା ଅର୍ଥ ପଇଠ କରିବାର ଥିଲା । ହେଲେ ପଇଠ ନକରିବାକୁ ଏହି ଜାହାଜକୁ ବିକ୍ରି ପାଇଁ ହାଇକୋର୍ଟ ବିଚାରପତି ଜଷ୍ଟିସ ଭି ନରସିଂହ ନିର୍ଦ୍ଦେଶ ଦେଇଛନ୍ତି। ଜାହାଜ ବିକ୍ରି ଲବ୍ଧ ଅର୍ଥରୁ ବନ୍ଦର ଭଡା ବାବଦକୁ ଥିବା ୮ କୋଟି ଟଙ୍କା ପ୍ରଦାନ କରାଯିବ।

ଗତବର୍ଷ ଡିସେମ୍ବର ମାସରେ ଏହି ଜାହାଜରୁ ୨୦୦ କୋଟି ଟଙ୍କାର କୋକେନ୍ ଜବତ ହୋଇଥିଲା । ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା । ଜାହାଜ ବିକ୍ରି ପାଇଁ ହାଇକୋର୍ଟଙ୍କ ଜୁଡିସିଆଲ ରେଜିଷ୍ଟ୍ରାରଙ୍କୁ କୋର୍ଟ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଇଜିପ୍ଟରୁ ବାହାରିଥିବା ଏମଭି ଦେବୀ ଜାହାଜ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଦେଇ ପାରାଦୀପରେ ପହଞ୍ଚିଥିଲା । ଏଠାରୁ ଡେନମାର୍କ ଅଭିମୁଖେ ଯିବାର ଥିଲା । ପାରାଦୀପରେ ଥିବା ବେଳେ ଗତ ଡିସେମ୍ବର ୧ ତାରିଖରେ ଏମଭି ଦେବୀରୁ ୨୨ କେଜି କୋକେନ୍ ଜବତ ହୋଇଥିଲା । ସେହିଦିନଠାରୁ ପାରାଦୀପ ବନ୍ଦରରେ ଏହି ଜାହାଜ ଅଟକି ରହିଛି। ଗତ ଫେବୃଆରୀ ୨୩ ତାରିଖରେ ଏ ସଂକ୍ରାନ୍ତୀୟ ଆବେଦନର ଶୁଣାଣି କରି ଏମଭି ଦେବୀ ଜାହାଜକୁ ଗିରଫ କରିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।