Loot 1

ଘରେ ଥିବା ଝିଅକୁ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା

State

ବରଗଡ଼: ମୁଖା ପିନ୍ଧି ଆସିଲେ । ଆଉ ଘରେ ଥିବା ଝିଅର ହାତ ଗୋଡ଼ ବାନ୍ଧିଦେଲେ । ଝିଅ ବି କିଛି କହି ପାରୁ ନଥିଲା । ଘରେ ଯାହା କିଛି ଥିଲା ସବୁ ନେଇ ଫେରାର ମାରିଲେ ମୁଖାଧାରୀ ଦୁର୍ବୃତ୍ତ । ମା’ ଓ ଦୁଇ ଝିଅ ଘରେ ରହୁଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରକୁ ଟାର୍ଗେଟ କରିଥିଲେ । ତେବେ ରାତିର ଅନ୍ଧକାରରେ ନୁହେଁ ଦିନ ଦିପହରରେ ଏମିତି ଲୁଟ କରିଛନ୍ତି ଲୁଟେରା । ମୁଖାଧାରୀ ଦୁର୍ବୃତ୍ତ ଘରେ ପଶିବା ପାଇଁ ପ୍ରଥମେ କଲିଂ ବେଲ୍‌ ବଜାଇଥିଲେ । ଆଉ ଘରେ ଥିବା ଝିଅ କବାଟ ଖୋଲିବା କ୍ଷଣି ତାକୁ ଧରି ନେଇଥିଲେ ଦୁର୍ବୁତ୍ତ । ଝିଅକୁ ବାନ୍ଧି ଘରର ଗୋଟେ କୋଣରେ ପକାଇ ଦେଇଥିଲେ ।

ତା ପରେ ଘରେ ଥିବା ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟି ନେଇ ଫେରାର ମାରିଛନ୍ତି ମୁଖାଧାରୀ ଦୁର୍ବୃତ୍ତ । ବରଗଡ଼ ସହର ସ୍ଥିତ ନିଗମାନନ୍ଦ ବିହାର ୭ ନମ୍ବର ଗଳିରେ ସ୍ବର୍ଗତ ଦିଲ୍ଲୀପ ସାହୁଙ୍କ ଘରୁ ହୋଇଛି ଡକାୟତି । ସ୍ବର୍ଗତ ଦିଲ୍ଲୀପ ସାହୁଙ୍କ ମୃତ୍ୟୁ ପରେ ତାଙ୍କର ଧର୍ମ ପତ୍ନୀ ଓ ଦୁଇ ଝିଅ ଘରେ ରହୁଥିଲେ । କୌଣସି କାର୍ଯ୍ୟରେ ମାଆ ଓ ଗୋଟିଏ ଝିଅ ଭଟଲି ଛକକୁ ଯାଇଥିବା ସମୟରେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁଇ ଜଣ ମୁଖାଧାରୀ ଦୁର୍ବୃତ୍ତ କଲିଂ ବେଲ ବଜାଇଥିଲେ । ଘର ଭିତରେ ଥିବା ଝିଅ କବାଟ ଖୋଲିବାରୁ ତାକୁ କପଡାରେ ବାନ୍ଧି ଘରେ ଥିବା ଗହଣା ଅଳଙ୍କାର ନେଇ ଯାଇଥିବା ଅଭିଯୋଗ ହୋଇଛି । ମା’ ଓ ଝିଅ ବଜାରରୁ ଫେରିବା ପରେ ଝିଅ ବନ୍ଧା ହୋଇଥିବା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଭଳି ଏକ ଡକାୟତି ଘଟଣା ସମସ୍ତଙ୍କୁ ଚକିତ କରିଛି । ଲୁଟେରାମାନେ ପୂର୍ବରୁ ହିଁ ଏ ଘରକୁ ଟାର୍ଗେଟ କରିଥିବା ସନ୍ଦେହ କରାଯାଉଛି । ଦିନକୁ ଦିନ ଏ ଲୁଟେରାଙ୍କ ଆତଙ୍କ ବଢ଼ୁଥିବା ବେଳେ ପୋଲିସକୁ ଏମାନଙ୍କର ଭୟ ନାହିଁ । ରାତି ନୁହେଁ ଦିନ ଦ୍ୱିପ୍ରହରରେ ଘରେ ପଶି ଲୁଟ କରୁଛନ୍ତି ଏ ଲୁଟେରା । ଲୁଟେରାଙ୍କୁ ଧରି ଏମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତାହା ହିଁ ସାଧାରଣରେ ଦାବି ।