Arrest 1723603686

ବାଂଲାଦେଶର ପୂର୍ବତନ ଆଇନ୍‌ ମନ୍ତ୍ରୀଙ୍କ ସମେତ ଦୁଇ ଗିରଫ

National & International

ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠୁ ଭାରତରେ ଆତ୍ମଗୋପନ କରିଛନ୍ତି ଶେଖ ହସିନା । ଇତି ମଧ୍ୟରେ ତାଙ୍କ ଦଳ ଆବାମୀ ଲିଗ୍‌ର ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ପଶୁ ପରି ନିର୍ଯାତନା ଦିଆଯାଉଛି। ବିଭିନ୍ନ ସ୍ଥାନରେ ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଉଥିବା ବେଳେ ଆଉ କିଛି ସ୍ଥାନରେ ସେମାନଙ୍କୁ ବାନ୍ଧି ପ୍ରବଳ ଅତ୍ୟାଚାର କରାଯାଉଛି।

ଶେଖ ହସିନାଙ୍କ ଖାସ ଲୋକ ତଥା ତାଙ୍କ ସରକାର ଅମଳରେ ନିବେଶ ପରାମର୍ଶଦାତା ଥିବା ସଲମାନ ଏଫ ରହମାନ ଓ ବାଂଲାଦେଶର ପୂର୍ବତନ  ଆଇନ୍‌ ମନ୍ତ୍ରୀଙ୍କୁ ଢାକାର ସଦରଘାଟ ଅଞ୍ଚଳରୁ ଗିରଫ କରାଯାଇଛି। ସଲମାନ ଏଫ ରହମାନ ଗତ କିଛି ଦିନ ହେବ ଫେରାର ଥିବା ବେଳେ ତାଙ୍କୁ ଖୋଜୁଥିଲା ସେଠାକାର ସେନା। ମାତ୍ର ଗତ ରାତିରେ ଉଭୟଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ମାତ୍ର ସବୁଠୁ ଆଶ୍ଚର୍ଯ୍ୟତନକ କଥା ହେଉଛି, ଉଭୟଙ୍କୁ ଗିରଫ କରିବା ପରେ କୁଖ୍ୟାତ ଅପରାଧି ପରି ସେମାନଙ୍କ ହାତକୁ ରଶିରେ ବାନ୍ଧି ଡଙ୍ଗାରେ କୂଳକୁ ଅଣାଯାଇଥିଲା। ଏଥିସହ ଗିରଫଦାରୀର ଘଣ୍ଟାକ ମଧ୍ୟରେ ଉଭୟଙ୍କ ଉପରେ ହତ୍ୟାକାଣ୍ଡର ଅଭିଯୋଗ ଲଗାଯାଇଛି।

ବାଂଲାଦେଶରେ ଶାସନ ପରିବର୍ତ୍ତନ ହେବା ପୂର୍ବରୁ ହସିନାଙ୍କ ଆବାମୀ ଲିଗ୍‌ର ବହୁ ଆଗ ଧାଡ଼ିର ନେତା ଓ ପୂର୍ବ କ୍ୟାବିନେଟ ମନ୍ତ୍ରୀ ଦେଶ ଛାଡ଼ି ସାରିଛନ୍ତି। ଦେଶରେ ରହି ଯାଇଥିବା କିଛି ପୂର୍ବତନ ବରିଷ୍ଠ ମନ୍ତ୍ରୀ ଏବେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ମାଡ଼ି ବସୁଛି ସେନା।

ବାଂଲାଦେଶର ପୂର୍ବ ବିଦେଶ ମନ୍ତ୍ରୀ ହସନ ମହମୁଦ, ଦୂରସଞ୍ଚାର ମନ୍ତ୍ରୀ ରହିଥିବା ଜୁନୈଦ ଅହମଦଙ୍କୁ ଗିରଫ କରିଛି ସେଠାକାର ସେନା। ଆବାମୀ ଲିଗ୍‌ର ମହାସଚିବ ତଥା ପୂର୍ବ ସଡ଼କ ପରିବହନ ମନ୍ତ୍ରୀ ଅବଦୁଲ କ୍ୱାଦର ଦେଶ ଛାଡ଼ି ଫେରାର ହେବାରେ ସକ୍ଷମ ହୋଇ ସାରିଛନ୍ତି। ହସିନାଙ୍କ ପୁତୁରା ତଥା ସାଉଥ ଢାକା ସିଟିର ମେୟର ଶେଖ ଫଜଲ ନୁର ଶନିବାର ସକକାଳେ ସିଙ୍ଗାପୁର ପଳାଇଥିବା ଜଣାଯାଇଛି।

ହସିନାଙ୍କ ସରକାରରେ ବିବାଦୀୟ ସାଂସଦ ଥିବା ଶମୀମ ଓସମାନ ବି ଗତ ସପ୍ତାହରେ ଦେଶ ଛାଡ଼ି ସାରିଛନ୍ତି। ପୂର୍ବ ଶିକ୍ଷା ମନ୍ତ୍ରୀ ମୋହିବୁଲ ହସନ ଚୌଧୁରୀ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ମୋହମ୍ମଦ ତଜୁଲ ଇସଲାମ, ପୂର୍ବ ଅର୍ଥ ମନ୍ତ୍ରୀ ଅବଦୁଲ ହସନ ମହମୁଦ ଅଲ୍ଲି , କ୍ରୀଡ଼ା ମନ୍ତ୍ରୀ ନଜମୁଲ ହସନ ପାପୋନ ଓ ବାଂଲାଦେଶର ସୁପ୍ରିମକୋର୍ଟର ବିଚାରପତି ମୋହମ୍ମଦ ବଦରୁଜ୍ଜମାନ ବି ଦେଶ ଛାଡ଼ି ସାରିଛନ୍ତି।

ଅଗଷ୍ଟ ୫ରେ ଶେଖ ହସିନାଙ୍କ ନେତୃତ୍ୱାଧୀନ ସରକାରର ପତନ ପରେସଂଖ୍ୟାଲଘୁ ସଂପ୍ରଦାୟଗୁଡ଼ିକ ବିରୋଧରେ ସମଗ୍ର ଦେଶର ୪୮ ଜିଲ୍ଲାର ପ୍ରାୟ ୨୭୮ ସ୍ଥାନରେ ଆକ୍ରମଣ ଘଟଣା ଘଟିସାରିଲାଣି। ଏହି ଆକ୍ରମଣରେ ଶତାଧିକ ହିନ୍ଦୁ ମୃତାହତ ଓ ଆହତ ହୋଇଛନ୍ତି। ସେମାନଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ଜାଳି ଦିଆଯାଇଛି । ଅନେକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରି ମାଟିରେ ମିଶାଇ ଦିଆଯାଇଛି।

ଶେଖ ହସିନାଙ୍କ ଆବାମୀ ଲିଗ୍ ସହିତ ଜଡ଼ିତ ଦୁଇ ଜଣ ହିନ୍ଦୁ ନେତାଙ୍କୁ ହତ୍ୟା କରାଯାଇଛି। ଇତି ମଧ୍ୟରେ ଗତ ୮ ତାରିଖରେ ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଇ ଦେଶରେ ଶାନ୍ତି ଫେରାଇ ଆଣିବାକୁ ପ୍ରଚେଷ୍ଟା କରୁଛନ୍ତି।