14ab

ରାଜଧାନୀରେ ଖୋଲିଲା ୨୪ ଘଣ୍ଟିଆ ଶସ୍ୟ ଏଟିଏମ୍

State

ଭୁବନେଶ୍ବର: ସାଧାରଣତଃ ଏଟିଏମ୍‌ରୁ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଛନ୍ତି। ମାତ୍ର ଏଣିକି ଏଟିଏମରୁ ଖାଦ୍ୟଶସ୍ୟ ବାହାରିବ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ ।
ତେବେ ଏହି ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ମେସିନରେ ବାୟୋମେଟ୍ରିକ, ରାସନ କାର୍ଡ, ଆଧାର କାର୍ଡର ସୂଚନା ଦେବାକୁ ପଡ଼ିବ । ଲୋକମାନେ ଟିପ୍ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍‌ରୁ ଟଙ୍କା ଭଳି ଚାଉଳ ବାହାର କରିପାରିବେ । ଏହି ମେସିନକୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ସ୍ଥାପନ ଯାଇଥିବା ଜଣାପଡ଼ିଛି । ଏହି ଏଟିଏମ୍ ବସିବା ଫଳରେ ରାସନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଛିଡ଼ା ହେବେ ନାହିଁ ।
ଏହି ଏଟିଏମ୍‌ରୁ ଜଣେ ହିତାଧିକାରୀ ପାଇଁ ତାଙ୍କ ରାସନ କାର୍ଡରେ ଧାର୍ଯ୍ୟ କରାଯାଇଥିବା କିଲୋଗ୍ରାମ୍ ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି। ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି ଏଟିଏମ୍‌ରୁ ଚାଉଳ ଅବା ଗହମ ନେଇପାରିବେ । ଏହାଦ୍ବାରା ରାଜ୍ୟରେ ଶସ୍ୟ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟ ବନ୍ଦ ହୋଇପାରିବ ବୋଲି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଣିକି ହିତାଧିକାରୀମାନେ ଆଉ କଣ୍ଟ୍ରୋଲ ଡିଲରଙ୍କ ପାଖକୁ ଯିବାର ଆବଶ୍ୟକତା ରହିବ ନାହିଁ । ହିତାଧିକାରୀମାନେ ଶସ୍ୟ ଏଟିଏମ୍‌ରୁ ଚାଉଳ, ଗହମ ନେଇ ପାରିବେ।
ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ରାଜ୍ୟର ପ୍ରଥମ ‘ଗ୍ରେନ ଏଟିଏମ୍’ ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏନେଇ ଗତବର୍ଷ ଡିସେମ୍ବର ମାସରେ ସୂଚନା ଦିଆଯାଇଥିଲା। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଏହି ଏଟିଏମ୍ ସ୍ଥାପନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ସୂଚନାଯୋଗ୍ୟ, ଦେଶରେ ପ୍ରଥମେ ହରିୟାଣାରେ ଏହି ସେବା ଆରମ୍ଭ ହୋଇଥିଲା।