Image 1722680368

ଏଏମ୍ ପ୍ରସାଦ ସିଆରପିଏଫ ସ୍ୱତନ୍ତ୍ର ଡିଜି, ଅରୁଣ ଷଡ଼ଙ୍ଗୀଙ୍କୁ ସ୍ଥାୟୀ ଡିଜି ପାଇଁ ପ୍ରକ୍ରିୟା ଆରମ୍ଭ

State

ଭୁବନେଶ୍ବର : ରାଜ୍ୟ ଜେଲ୍ ବିଭାଗ ଡିଜି ୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ ସ୍ପେଶାଲ ଡିଜି ଭାବେ ନିଯୁକ୍ତି ମିଳିଛି। ଏପଟେ ରାଜ୍ୟ ସରକାର ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ସ୍ଥାୟୀ ପୁଲିସ ଡିଜି(ପୁଲିସ ଫୋର୍ସ ମୁଖ୍ୟ) କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଶ୍ରୀ ଷଡ଼ଙ୍ଗୀ ଏବେ ଅତିରିକ୍ତ ଭାବେ ରାଜ୍ୟ ପୁଲିସ ଡିଜି ଦାୟିତ୍ୱ ତୁଲାଉଛନ୍ତି। କେନ୍ଦ୍ର ସରକାରଙ୍କ ରୋଷର ଶିକାର ହୋଇ ଓଡ଼ିଶା ଫେରୁଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ ରାଜ୍ୟର ପରବର୍ତ୍ତୀ ଡିଜି ହେବା ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି।
ଗୃହ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୧୯୮୯ ବ୍ୟାଚ୍ ଆଇପିଏସ୍ ଏଏମ୍ ପ୍ରସାଦଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଶ୍ରୀ ପ୍ରସାଦଙ୍କୁ ସିଆରପିଏଫ ସ୍ପେଶାଲ ଡିଜି ଭାବେ ନିଯୁକ୍ତି ମିଳିଛି। ଗତକାଲି କେନ୍ଦ୍ର ସରକାର ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ତାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହେବା ପୂର୍ବରୁ ତତ୍କାଳ ପ୍ରଭାବରୁ ଆଗୁଆ ଫେରାଇ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁଲାଇ ୨୬ତାରିଖରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି କମିଟିକୁ ସୁପାରିଶ କରିଥିଲେ। ଶ୍ରୀ ଖୁରାନିଆ ଓ ବିଏସଏଫରେ ଥିବା ତାଙ୍କ ବରିଷ୍ଠ ସହଯୋଗୀ ନୀତିନ ଅଗ୍ରୱାଲ (ବିଏସଏଫ ଡିଜି)ଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଭାବେ ବିବେଚନା କରାଯାଉଛି ତଥା ତାଙ୍କୁ ପନିସମେଂଟରେ ଓଡ଼ିଶା ଫେରାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଶ୍ରୀ ଖୁରାନିଆ ବିଏସଏଫ ଡେପୁଟି ସ୍ପେଶାଲ ଡିଜି ଭାବେ କାର୍ଯ୍ୟ କରୁଥିଲେ।
ଅନ୍ୟପକ୍ଷରେ ତତକାଳୀନ ବିଜେଡି ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡଙ୍ଗୀଙ୍କୁ ରାଜ୍ୟ ପୁଲିସ ଡିଜି ଭାବେ ଅସ୍ଥାୟୀ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଗତ ଜୁନ୍ ମାସରେ ରାଜ୍ୟରେ ମୋହନ ସରକାର କ୍ଷମତାକୁ ଆସିବା ପରେ ସେବେଠୁ ରାଜ୍ୟରେ ଅସ୍ଥାୟୀ ଡିଜି ଭାବେ ଶ୍ରୀ ଷଡ଼ଙ୍ଗୀ କାର୍ଯ୍ୟ କରୁଛନ୍ତି। ଦୀର୍ଘ ୭ମାସ ଧରି ଅସ୍ଥାୟୀ ଡିଜି ଦାୟିତ୍ୱରେ ଥିବା ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟର ସ୍ଥାୟୀ ଡିଜି କରିବା ପାଇଁ ଇତିମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାୟୀ ପୁଲିସ ଡିଜି ପଦବୀ ନିମନ୍ତେ ଡିଜି ପାହ୍ୟାର ଯୋଗ୍ୟ ଅଫିସରଙ୍କ ତାଲିକା ୟୁପିଏସସି କର୍ତ୍ତୃପକ୍ଷଙ୍କୁ ପଠାଇବାକୁ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁମତି ଦେଇଥିବା ଜଣାପଡ଼ିଛି।
କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି) ଗାଇଡଲାଇନ୍ ଆଧାରରେ ରାଜ୍ୟ ସରକାର ଶ୍ରୀ ଷଡ଼ଙ୍ଗୀଙ୍କୁ ହିଁ ରାଜ୍ୟର ସ୍ଥାୟୀ ଡିଜି ଭାବେ ଦୁଇବର୍ଷ ପାଇଁ ନିଯୁକ୍ତି ଦେବେ ବୋଲି ଜଣାପଡ଼ିଛି । ବରିଷ୍ଠତା ଭିତ୍ତିରେ ଶ୍ରୀ ଷଡ଼ଙ୍ଗୀଙ୍କ ଉପରେ ୧୯୮୯ ବ୍ୟାଚର ଅରୁଣ କୁମାର ରାୟ ଓ ଏଏମ ପ୍ରସାଦ ଥିବାବେଳେ ୧୯୯୦ ବ୍ୟାଚର ଏସଏମ ନରୱଣେ, ୱାଇବି ଖୁରାନିଆ ଓ ସୁଧାଂଶୁ ଷଡ଼ଙ୍ଗୀ ରହିଛନ୍ତି । ତେବେ ଶ୍ରୀ ପ୍ରସାଦ ଏବେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବାବେଳେ ଶ୍ରୀ ରାୟ ଏବେବି ସରକାରଙ୍କ ପନିସମେଂଟ ପୋଷ୍ଟରେ ରହିଛନ୍ତି। ଶ୍ରୀ ନରୱଣେ ଓଏସଡି ଭାବେ ବିନା କାମରେ ଦରମା ନେଉଛନ୍ତି। ଆଉ ଶ୍ରୀ ଖୁରାନିଆଙ୍କ ବିରୁଦ୍ଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଡେପୁଟେସନ ଅବଧି ଶେଷ ହେବାପୂର୍ବରୁ ଆଗୁଆ ଓଡ଼ିଶା ଫେରାଇ ଦେଇଛନ୍ତି। ଅରୁଣଙ୍କ ଉପରେ ତାଙ୍କ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ ରହିଛନ୍ତି, ମାତ୍ର ସୁଧାଂଶୁଙ୍କୁ ଡିଜି ପଦରେ ଆସୀନ କରି ବିଜେପି ସରକାର ବିଭିନ୍ନ କାରଣରୁ ନିଜର ମୁଣ୍ଡବ୍ୟଥା ବଢ଼ାଇବାକୁ ଚାହୁଁନି।
ତେଣୁ ଓଡ଼ିଆ ଅସ୍ମିତା କଥା କହି ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ଅରୁଣ ଷଡ଼ଙ୍ଗୀଙ୍କ ଭଳି ଜଣେ ଦକ୍ଷ ଓଡ଼ିଆ ଆଇପିଏସଙ୍କୁ ଅସନ୍ତୁଷ୍ଟ କରି ରାଜ୍ୟବାସୀଙ୍କ ମଧ୍ୟରେ ନକାରାତ୍ମକ ଛବି ସୃଷ୍ଟି କରିବା ନିମନ୍ତେ ଚାହୁଁନଥିବା ଜଣାପଡ଼ିଛି। ଅରୁଣ ଷଡ଼ଙ୍ଗୀଙ୍କର ବିଭିନ୍ନ ରାଜନୀତିକ ଦଳ ଓ ନେତାମାନଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଭଲ ରହିଥିବାରୁ ତାଙ୍କୁ ସ୍ଥାୟୀ ଡିଜି ପଦବୀରେ ଆସୀନ କରି ବିଜେପି ସରକାର ଦୀର୍ଘବର୍ଷ ଧରି କୋମାରେ ଥିବା ରାଜ୍ୟ ପୁଲିସ ଫୋର୍ସକୁ ନୂଆ ଦିଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତା’ଛଡ଼ା ସାଧାରଣ ନିର୍ବାଚନବେଳେ ଅରୁଣ ଷଡ଼ଙ୍ଗୀଙ୍କ ଭୂମିକାକୁ ମଧ୍ୟ ସବୁମହଲରେ ପ୍ରଶଂସା କରାଯାଇଥିଲା। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଅରୁଣ ଷଡ଼ଙ୍ଗୀଙ୍କୁ ସ୍ଥାୟୀ ଡିଜି ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ବେଶ୍ ଅଧିକ ରହିଛି।