271beaf0 044b 45e4 Bdec 93e6c612a4b7 E1722515894405 750x430

ନନ୍ଦନକାନନକୁ ଜଗିବେ ଓଡିଶା ଶିଳ୍ପ ସୁରକ୍ଷା ବାହିନୀ

State

ଭୁବନେଶ୍ୱର: ଏଣିକି ନନ୍ଦନକାନନର ସୁରକ୍ଷା ଦାୟିତ୍ୱ ନେଇଛି ଓଆଇଏସଏଫ ବା ଓଡିଶା ଶିଳ୍ପ ସୁରକ୍ଷା ବାହିନୀ | ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନର ସୁରକ୍ଷାକୁ ମଜବୁତ କରିବା ପାଇଁ ଓଆଇଏସଏଫର ଏକ ପ୍ଲାଟୁନ୍ ଯବାନ ନିୟୋଜିତ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର, ୪ ଜଣ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳଙ୍କ ସହିତ ଏହା ଏକ ୩୫ ଜଣିଆ ଟିମ | ୩୦ ଜୁଲାଇରେ ନନ୍ଦନକାନନ ଏବଂ OISF ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା | ଆଜିଠାରୁ ଏହି ଫୋର୍ସ ଅନ୍ତର୍ଭୁକ୍ତ କରାଯାଇଛି।
ଉଲ୍ଲେଖ ଥାଉ କି ଗତ ଏପ୍ରିଲରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଥିଲା। ଦୁଇ ଦୁର୍ବୃତ୍ତ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡାମୁନରେ ଭୟ ଓ ଆତଙ୍କ ସୃଷ୍ଟି କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏଥିସହ ସେମାନେ ଉପନିର୍ଦ୍ଦେଶକଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ତେବେ ଖୋଦ୍‌ ସରକାରୀ କାର୍ଯ୍ୟାଳୟରେ ପଶି ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିଲେ ହେଁ ନିକଟରେ ଥିବା ନନ୍ଦନକାନନ ଥାନା ପୁଲିସ ଟେର ପାଇନଥିଲା। ସେହି ସମୟରେ ନନ୍ଦନକାନନ ଥାନା ପୁଲିସକୁ ଫୋନ କରାଯାଇଥିଲା। ମାତ୍ର ପୁଲିସ ପିସିଆର୍‌ ଭ୍ୟାନ ପ୍ରାଣୀଉଦ୍ୟାନ ଫାଟକ ବାହାରେ କିଛି ସମୟ ଧରି ଛିଡ଼ା ହୋଇ ଦେଖଣାହାରୀ ସାଜିଥିଲା। ଏହି ଘଟଣା ପରେ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।