4 47 750x430 1

ଆଉ ଥରେ ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର, ଖୋଜା ହେବ ଗୁପ୍ତ ସମ୍ପତ୍ତି

State

ପୁରୀ: ‘ଆଉ ଥରେ ଯାଞ୍ଚ ହେବ ରତ୍ନଭଣ୍ଡାର, ଗୁପ୍ତଭଣ୍ଡାର ଅଛି କି ନାହିଁ ଖୋଜା ଯିବ । ପୁଣିଥରେ ଯାଞ୍ଚ ପାଇଁ ସରକାର ଏସଓପି ଆଣିବେ । ଏସଓପି ଅନୁଯାୟୀ ରତ୍ନଭଣ୍ଡାରରେ ଗୁପ୍ତ ସମ୍ପତ୍ତି ଅଛି କି ନାହିଁ ତାହା ଯାଞ୍ଚ କରାଯିବ’ । ଆଜି ପୁରୀରେ ରତ୍ନଭଣ୍ଡାର ଯାଞ୍ଚ ବୈଠକ ପରେ କିଛି ଏମିତି କହିଛନ୍ତି ରତ୍ନଭଣ୍ଡାର ତଦନ୍ତ କମିଟି ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥ ।

ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ ବସିଛି । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍‌ଆଇ ସହ ବସିଥିବା  ଏହି ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ପୁଣି ଭିତର ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ ବୋଲି ନିଷ୍ବତ୍ତି ହୋଇଛି ।

ଏନେଇ ଜଷ୍ଟିସ ରଥ କହିଛନ୍ତି, ରତ୍ନ ଭଣ୍ଡାର ସ୍ଥାନାନ୍ତରିତ କରିବା ପରେ ଏହାର ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିଲା । ହେଲେ ଏହାରି ଭିତରେ, ଭିତର ରତ୍ନଭଣ୍ଡାର ରହସ୍ୟକୁ ନେଇ ଅନେକ ମନ୍ତବ୍ୟ ପ୍ରକାଶ ପାଇବା ପରେ ଏହାକୁ ପୁଣି ଥରେ ଯାଞ୍ଚ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଭିତର ରତ୍ନଭଣ୍ଡାରରେ କିଛି ଗୁପ୍ତ ସମ୍ପତ୍ତି ଥିବା ନେଇ ଲୋକଙ୍କ ଭାବବେଗକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଛି । ଯେଭଳି ଭବିଷ୍ୟତରେ ଏନେଇ କିଛି ଦ୍ବନ୍ଦ୍ବ ନରହୁ ।

ଏହାପୂର୍ବରୁ ଭିତରେ ଥିବା ସମସ୍ତ ଖାଲି ସିନ୍ଦୁକଗୁଡିକୁ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ମନ୍ଦିର ପ୍ରଶାସନ ଘର ନିର୍ଦ୍ଧାରିତ କରିବେ । ପୂର୍ବ ଭଳି ସବୁ କିଛି ଭିଡିଓଗ୍ରାଫି ସହ ସ୍ଥାନାନ୍ତରିତ କରାଯିବ । ଆବଶ୍ୟକ ପଡିଲେ ଏହାର ମରାମତି ମଧ୍ୟ କରାଯିବ । ଯେହେତୁ ଏହା ଏସଓପିରେ ନଥିଲା ତେଣୁ ପୁନଶ୍ଚ ଯାଞ୍ଚକୁ ଦୃଷ୍ଟିରେ ରଖି ଏଥିପାଇଁ ଏସଓପି ତିଆରି କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।

ଏହାସହିତ ଯେହେତୁ ପୁରୁଣା ମନ୍ଦିର ସେଥିପାଇଁ ଯାହାବି ଅତ୍ୟାଧୁନିକ ଜ୍ଞାନ କୌଶଳ ଆବଶ୍ୟକ ସେ ସବୁକୁ ଯୋଗାଇ ଦେବା ପାଇଁ ପରିଚାଳନା କମିଟିକୁ ଜଣାଯିବ । ସମସ୍ତଙ୍କ ଅନୁମତି କ୍ରମେ ଏକ ଦିନ ଧାର୍ଯ୍ୟ କରାଯାଇ ପୁଣି ରତ୍ନଭଣ୍ଡାର ଯାଞ୍ଚ କରାଯିବ । ଯଦି କିଛି ଗୁପ୍ତ ସମ୍ପତ୍ତି ଅଛି ବୋଲି ଆଭାସ ମିଳେ ତାହା ହେଲେ ସେ ଦିଗରେ ଆଗକୁ ପଦକ୍ଷେପ ନିଆଯିବ, ନଚେତ୍ ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ ରଥ ।