ବଦଳିଗଲାଣି ଗାଁ ଗହଳିର ଚଳଣି
ଆଗରପଡ଼ା :ଆଧୁନିକ ପରମ୍ପରାକୁ ଆପଣାଇବାକୁ ଯାଇ ମନୁଷ୍ୟ ତା ରୁଚିରେ ବହୁ ପରିବର୍ତ୍ତନ ଆଣିଛି । ସମସସ୍ତେ ନିଜର ଜୀବନ ଶୈଳିକୁ ସମୟର ତାଳେ ତାଳେ ଗତିଶୀଳ କରିବାକୁ ଇଚ୍ଛା ପ୍ରକଟ କରୁଛନ୍ତି । ଯଦ୍ୱାରା ଗାଁ ଗଣ୍ଡାରେ ମଧ୍ୟ ବସବାସ କରୁଥିବା ଲୋକଙ୍କ ଚଳନିରେ ପରିବର୍ତ୍ତନ ଆସିଛି । ସମୟଚକ୍ରରେ ବଦଳି ଯାଇଛି ଗାଁ ଗଣ୍ଡାର ଚଳନି । ଯଦ୍ୱାରା ଆଧୁନିକତ୍ୱର ପରିଭାଷାରେ ବୁଡ଼ିଗଲାଣି ଉତ୍କଳୀୟ ସଂସ୍କୃତି ଓ ପରମ୍ପରା । ଗାଁ ଦାଣ୍ଡରେ ଆଉ ଶୁଭୁନି ଆକାଶବାଣୀ କଟକର ସ୍ୱର । କଟକ ରେଡ଼ିଓ ଷ୍ଟେସନ ବନ୍ଦ ହୋଇନି । ସମୟାନୁସାରେ ଖବର ପଢୁଛନ୍ତି ସମ୍ବାଦ ପାଠକ ଏବଂ କାର୍ଯ୍ୟକ୍ରମ ଊପସ୍ଥାପନା କରୁଛନ୍ତି ଘୋଷକ/ଘୋଷିକା । କିନ୍ତୁ ଶୁଣୁ ନାହାନ୍ତି ଗାଁ ଗଣ୍ଡାର ଶ୍ରୋତା । ରେଡ଼ିଓ ବଦଳରେ ଘରେ ଘରେ ଏଲଇଡ଼ି ଟିଭି ପ୍ରଚଳନ ହେଲାଣି । ପ୍ରତି ଘଣ୍ଟାରେ କେବୁଲ ଟିଭିରେ ଛବି ସହ ତଟକା ଖବର ଦେଖୁଛନ୍ତି ଓ ଶୁଣୁଛନ୍ତି ମଫସଲ ଅଂଚଳ ଲୋକେ । ତେଣୁ ରେଡ଼ିଓ ବିକ୍ରି ହେଉଥିବା ଦୋକାନ ଆଉ ଦେଖିବାକୁ ମିଳୁନି । ବନ୍ଦ ହୋଇଗଲାଣି ପ୍ରାୟ । ପୂର୍ବରୁ ମଫସଲ ଅଂଚଳରେ ନୂଆ ଭୁଆଶୁଣୀ ରାତି ପାହିଲେ ପିଣ୍ଡାରେ ଗୋବର ପାଣି ଛୁଂଚ ଦେବା ଆରମ୍ଭ କରୁଥିବା ବେଳେ ଘର ଭିତରୁ ରେଡ଼ିଓ ରେ ବାହାରି ଆସେ ଭିକାରୀ ବଳ ଓ ପ୍ରଫୁଲ୍ଲ କରଙ୍କ ବିଭିନ୍ନ ଜଗନ୍ନାଥ ଭଜନର ସ୍ୱର । ପରେ ପରେ ଚାଷି ଭାଇଙ୍କ ପାଇଁ ଚାଷ ଖବର ଶୁଣି ହଳଲଙ୍ଗଳ ବାହାର କରୁଥିଲେ ଗାଁ ଲୋକେ । ଆଉ ତାହା ନାହିଁ । ରାତି ପାହିଲେ ଆଉ ଉଠୁ ନାହାନ୍ତି ଲୋକେ ବରଂ ଉଠୁଉଠୁ ଜିମ୍ କରିବାକୁ ପାଖ ବଜାରକୁ ବାହାରି ଯାଉଛନ୍ତି ଯୁବକ ଯୁବତୀ । ଚାଷ ବାସ ସମୟରେ ବିଲକୁ ଘର ଲୋକେ ଯିବା ପାଇଁ ଘରେ ମହିଳାମାନେ ସକାଳୁ ସକାଳୁ ଶିଳରେ ଚାଉଳ ବାଟି ପିଠା କରିବାକୁ ଲାଗି ପଡ଼ୁଥିଲେ,ସମୟ ଚକ୍ରରେ ତାହାବି ହଜି ଗଲାଣି । ପିଠା ଖାଉବାକୁ ଆଉ କେହି ଭଲ ପାଉନାହାନ୍ତି । ପିଠା ବଦଳରେ ପିଜା ଖୋଜୁଛନ୍ତି ଲୋକେ । ପଖାଳ ଗାଁ ଦାଣ୍ଡରୁ ଉଠି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦିନ ମଜୁରିଆ ବିଲକୁ ସକାଳ ୯ଟାରେ ଯାଉଛନ୍ତି । ସେମାନେ ଆଉ ଚାଷ ଓ କ୍ଷେତକୁ ଭଲପାଇନାହାନ୍ତି । କେମିତି ଘଣ୍ଟା ହିସାବରେ ମଜୁରୀ ନେବେ ସମୟକୁ ଅନାଇ ରହୁଛନ୍ତି ।
ସେହିପରି ଶିଳ ଓ ଶିଳୁପୁଆ ବଦଳରେ ଘରେ ଘରେ ଗ୍ରାଇଣ୍ଡର ବ୍ୟବହାର ହେଲାଣି । ପିଠାପଣା ଆଉ ନାହିଁ ଯେଉଁଥି ପାଇଁ ବାର ମାସରେ ତେର ପର୍ବକୁ ଭୁଲି ଗଲେଣି ଏବେକାର ଲୋକେ । ଫେସ୍ବୁକରେ ପାଳିତ ହେଉଛି ପର୍ବପର୍ବାଣୀ । ଶ୍ରବଣ ମାସ ଚାଷ ଶେଷରେ ନିଜ ପିଣ୍ଡାରେ ଚଷାଭାଇ ବୁଣୁଥିଲେ ମସିଣା, ହେଁସ, ଅନ୍ଧିଲି, ଖଇଁଚି ଆଦି । ଏପରିକି ଚାଷକାମ ସରିଥିବାରୁ ଘରର ସ୍ତ୍ରୀ ଲୋକମାନେ ବାଡ଼ିରେ ଥିବା ନଡ଼ିଆ ବାହୁଙ୍ଗାରୁ ପତ୍ର କାଢି ସେଥିରୁ ପିଣ୍ଡା ମସିଣା ତିଆରି କରୁଥିବା ବେଳେ ନଡ଼ିଆ କଂଚି କାଢି ପହଁରା ତିଆରି କରିବା ସହ ଘରର ବିଭିନ୍ନ ଉପକରଣ ସାମଗ୍ରୀ ତିଆରି କରୁଥିଲେ । ଆଉ ତାହା ନାହିଁ । ଯହି କିଛି ଆବଶ୍ୟକ ପଡ଼ିଲା ସହରକୁ ଯାଇ ଫର୍ଣ୍ଣିିଚର ଦୋକାନରୁ ଯାହାକୁ ଯେତେ ଘର ଉପକରଣ କିଣି ଆଣୁଛନ୍ତି ଲୋକେ । ତେଣୁ ଏବେକାର ପିଲା ଅନ୍ଧିଲି ଓ ଖଇଁଚି କଣ ବୋଲି ପ୍ରଶ୍ନ କରୁଛନ୍ତି । ପୂର୍ବରୁ ଗାଁ ଦାଣ୍ଡରେ ଲୋକଙ୍କ କାମକାର୍ଯ୍ୟ ଓ ଭୋଜିଭାତ ବେଳେ ପେଟ୍ରୋମାକ୍ସ ଲାଇଟ୍ର ଖୋଜା ପଡ଼ୁଥିଲା । କିନ୍ତୁ ଯୁଗ ବଦଳିବା ସହ ରୁଚିବି ବଦଳି ଗଲାଣି । ବରଯାତ୍ରୀ ଶୋଭାଯାତ୍ରାରେ ଡ଼ିଜେ ବାଜା ସାଙ୍ଗକୁ ଅତ୍ୟାଧୁନିକ ରଙ୍ଗ ବେରଙ୍ଗର ଲାଇଟ ଏବେ ଗାଁ ଦାଣ୍ଡକୁ ଦୁଲୁକାଇବା ସହ ଚମକାଉଛି । ଏହା ସାଙ୍ଗକୁ ଗାଁ ମୁଣ୍ଡ ବର ଗଛ ମୂଳେ ଖେଳା ଯାଉଥିବା କବାଡ଼ି, ଗଛ ବାଗୁଡ଼ି ଲୋପ ପାଇଯାଇଥିବା ବେଳେ କୋମଳମତୀ ଛାତ୍ରଛାତ୍ରୀ ଗାଁ ଦାଣ୍ଡରେ ଖେଳୁଥିବା କାଚ ଗୋଟି, ନଟୁ, କାଉଡ଼ାବୁଳ ଖେଳ ମଧ୍ୟ ଆଉ ନାହଁ । ଯୁବତୀମାନେ ଖେଳୁଥିବା ବୋହୂ ବୋହୂକା ଖେଳ,ପୁଚି ଆଉ ନାହିଁ ସେମାନଙ୍କ ଜାଗା ନେଇଛି ମୋବାଇଲ ଓ ଫେସ୍ବୁକ୍ । ମହିଳାମାନେ ଅପରାହ୍ନରେ ଲୁଡ଼ୁ କିମ୍ବା ତାସ ଖେଳି ସମୟ ବିତାଉଥିଲେ । ଆଉ ତାହା ଦେଖିବାକୁ ମିଳୁନି ରୋଷେଇ କରୁ କରୁ କାନ୍ଥରେ ଲାଗିଥିବା ଏଲଇଡ଼ି ଟିଭିରେ ସିରିଏଲ ଦେଖିବାରେ ବ୍ୟସ୍ତ ରହୁଛନ୍ତି ମହିଳା । ସେହିଭଳି ସଂଧ୍ୟା ହେଲେ ଗାଁ ମଝିରେ ଥିବା ଭାଗବତ ଟୁଙ୍ଗିରେ ଏକତ୍ରୀତ ହେଉଥିଲେ ଲୋକେ । ସେଠାରେ ପୁରାଣ ଓ ଭାଗବତ ପାଠ କରୁଥିବା ବ୍ୟକ୍ତି ବିଶେଷଙ୍କ କଥା ଶୁଣି ଘରକୁ ଫେରୁଥିଲେ । ଯେଉଁଥି ପାଇଁ ଗାଁ ଗଣ୍ଡାରେ ଉପୁଜୁଥିବା ସମସ୍ୟା ଓ କଳି ସେହିଠାରେ ତୁଟି ଯାଉଥିଲା । ଏବେ କିନ୍ତୁ କଥାରେ କଥାରେ ଥାନା, ପୁଲିସ, କୋର୍ଟ ଓ କଚେରୀ । ଯେଉଁଥି ପାଇଁ ବୁଡ଼ିଗଲାଣି ସଂପର୍କର ଡ଼ୋରୀ, ହଜିଗଲାଣି ମାନବିକତା । ଏହିସବୁ କାରଣରୁ ଆଧୁନିକତ୍ୱର ପରିଭାଷାରେ ବୁଡ଼ିଗଲାଣି ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଏବଂ ବଦଳ ଗଲାଣି ଗାଁ ଗହଳିର ଚଳଣି ।