Photo2 For The News Of Paninala

ପାଣିନାଳ ଜବରଦଖଲ ପ୍ରସଙ୍ଗ, କାଡ଼ା ଅଧିକାରୀଙ୍କ ଅଭିଯୋଗର ତଦନ୍ତ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଆଗରପଡ଼ା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ କୁଆଁସମଢିଆ ମୌଜାରେ ପାଣିନାଳକୁ ଜବରଦଖଲ କରାଯାଇଥିବାରୁ ବର୍ତ୍ତମାନ ଚାଷୀମାନେ ଚାଷକାର୍ଯ୍ୟ ନିମନ୍ତେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲା ପରେ ଅଭିଯୋଗର ଶୁଣାଣୀ କରି ଜିଲ୍ଲାପାଳଙ୍କୁ ଏହାର ବିଦ୍ଧିବଦ୍ଧ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ଜିଲ୍ଲାପାଳ ବନ୍ତ ତହସିଲଦାରଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ଜୁନ ମାସ ୧୯ ତାରିଖରେ ତହସିଲଦାର ବନ୍ତ ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ ମାଧ୍ୟମରେ ଅନୁସନ୍ଧାନ କରି ଉପରୋକ୍ତ ପ୍ଲଟ ଉପରେ ପାଣିନାଳ ଥିବା ବେଳେ ଜବରଦଖଲକାରୀ ସିମେଣ୍ଟ ପାଚେରୀ ମଝିରେ ପାଣି ଯିବା ପାଇଁ ନାଳ ରଖିଥିବା ନେଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି । ଉକ୍ତ ରିପୋର୍ଟ ଖବର ଜଣାପଡ଼ିବା ପରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହେବା ସହ ତଦନ୍ତର ସ୍ୱଚ୍ଛତା ପ୍ରତି ପ୍ରଶ୍ୱବାଚୀ ସୃଷ୍ଟି ହୋଇଥିବା ବେଳେ ଚାଷୀ ମାନଙ୍କ ପକ୍ଷରୁ କାଡ଼ା ବିଭାଗକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପତ୍ରରେ ପକ୍ଷ କରାଯାଇଥିବାରୁ କାଡ଼ା ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ବୁଧବାର କାଡ଼ା ବିଭାଗର ଭଦ୍ରକ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଶେଖର ଛୋଟରାୟ,ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ନାରାୟଣ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତି ଘଟଣାସ୍ଥଳ ପରିଦର୍ଶନ କରି କାଡ଼ା ନାଳ ଉପରେ ବେଆଇନ ଭାବେ ପାଚେରୀ ନିର୍ମାଣ କରାଯାଇଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିବା ଜଣାପଡ଼ିଛି ।

Photo For The News Of Paninala

ପ୍ରକାଶ ଯେ,ଉକ୍ତ ମୌଜାର ପ୍ଲଟନଂ-୫୭୮,କିସମ-ରକ୍ଷିତ ଜମି ଉପରେ ପାଣି ନାଳ ଥିବା ବେଳେ ଜଣେ ବ୍ୟକ୍ତି ନିଜସ୍ୱ ଜମି ମଧ୍ୟରେ ପକ୍କା ପାଚେରି କରି ଉକ୍ତ ପାଣିନାଳକୁ ଜବରଦଖଲ କରିଛନ୍ତି । ଯାହା ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ସହ ନିଜନିଜ ଚାଷଜମିକୁ ଚାଷୀମାନେ ଯାତାୟାତ କରବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାକୁ ନେଇ ଚାଷୀମାନେ ଗତବର୍ଷ ୨୦୨୩ ଜୁନ ମାସ ୩୦ ତାରିଖରେ ତହସିଲଦାର ବନ୍ତ ଓ ପରେ ସେହିବର୍ଷ ନଭେମ୍ବର ମାସ ୬ ତାରିଖରେ ଜିଲ୍ଲାପାଳ ଭଦ୍ରକଙ୍କ ଠାରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ପାଇ ପାରିନଥିଲେ । ପରେ ବାଧ୍ୟ ହୋଇ ଚାଷୀମାନଙ୍କ ଦ୍ୱାରା ଚଳିତ ବର୍ଷ ଜୁନ ମାସ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରାଯାଇଥିଲା ।