Lakha

ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ୨ଟି ସାମରିକ ଏୟାରଫିଲ୍ଡ

National & International

ଲାକ୍ଷାଦ୍ୱୀପର ଅଗାତି ଓ ମିନିକୋୟ ଆଇଲାଣ୍ଡ୍‌ରେ ଦୁଇଟି ନୂତନ ଏୟାରଫିଲ୍ଡ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଗାତିଠାରେ ଥିବା ପୁରୁଣା ରନୱେକୁ ସୁଧୁରାଯାଇ ଏହାକୁ ବୃଦ୍ଧି କରାଯିବ । ଏହିପରି ମିନିକୋୟରେ ଏକ ନୂତନ ରନୱେ ନିର୍ମାଣ ହେବ ।

ଭବିଷ୍ୟତରେ ମିନିକୋୟ ଦ୍ୱୀପରେ ନୌସେନା ବେସ୍‌ INS ଜଟାୟୁ ମଧ୍ୟ ତିଆରି କରାଯିବ । ଏହି ବେସର ଦୂରତା ମାଳଦ୍ୱୀପଠାରୁ ୫୨୪ କିଲୋମିଟର ଦୂର । ଏଠାରୁ ଭାରତୀୟ ସେନା, ବାୟୁସେନା ଓ ନୌସେନା ମାଳଦ୍ୱୀପ ଏବଂ ଚୀନ୍‌ର ଗତିବିଧି ଉପରେ ସିଧାସଳଖ ନଜର ରଖିପାରିବେ ।

ଅଗାତି ଦ୍ୱୀପର ଏୟାରଷ୍ଟ୍ରିପ୍‌କୁ ନବୀକରଣ କରାଯାଉଛି, ଯାହାଦ୍ୱାରା ଭାରତୀୟ ସେନା ଭାରତ ଏବଂ ଆରବ ମହାସାଗରରେ ଶାନ୍ତି ପ୍ରତିଷ୍ଠା କରିପାରିବ । ଇଣ୍ଡୋ-ପାସିଫିକ୍‌ ରିଜିଅନରେ ସାମୁଦ୍ରିକ ସୁରକ୍ଷା ବଜାୟ ରଖିପାରିବ । ପୂର୍ବରେ ଆଣ୍ଡାମାନ ଏବଂ ପଶ୍ଚିମରେ ଲାକ୍ଷାଦ୍ୱୀପରେ ଶକ୍ତିଶାଳୀ ମୁତୟନ ଦ୍ୱାରା ଭାରତର ସାମୁଦ୍ରିକ ସୀମା ସୁରକ୍ଷିତ ରହିବ । ଉଭୟ ଦ୍ୱୀପ ସମୂହରେ ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଇବ । ଲୋକେ ଏଠାରେ ବୁଲିବା ସମୟରେ ସୁରକ୍ଷିତ ଅନୁଭବ କରିପାରିବେ ।

ସରକାରଙ୍କ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ମିନିକୋୟ ଦ୍ୱୀପରେ ଡୁଆଲ୍‌ ପରପୋଜ୍‌ର ଏୟାରଫିଲ୍ଡ ନିର୍ମାଣ ହେବ । ସେଠାରେ ବିମାନବନ୍ଦର ନିର୍ମାଣ କରାଯିବ, ଯେଉଁଠାରୁ ଯୁଦ୍ଧ ବିମାନ ପରିଚାଳିତ ହେବ । ଏହା ବ୍ୟତୀତ ବେସାମରିକ ବିମାନ ମଧ୍ୟ ଚଳାଚଳ କରିବ । ଅନ୍ୟାନ୍ୟ ସାମରିକ ବିମାନର ଅବତରଣ ଏବଂ ଉଡ଼ାଣ ହେବ ।

ପୂର୍ବରୁ କେବଳ ସାମରିକ ବ୍ୟବହାର ପାଇଁ ଏୟାରଫିଲ୍ଡ ନିର୍ମାଣର ପ୍ରସ୍ତାବ ସରକାରଙ୍କ ନିକଟକୁ ଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ଅପ୍‌ଗ୍ରେଡ କରି ଡୁଆଲ୍‌ ପରପୋଜ୍‌ର ଏୟାରଫିଲ୍ଡ ନିର୍ମାଣ ପାଇଁ ପ୍ରସ୍ତାବ ପୁଣିଥରେ ପଠାଯାଇଛି । ଯଦି ଏଠାରେ ଏୟାରଫିଲ୍ଡ ନିର୍ମାଣ କରାଯାଏ, ତେବେ ସାମୁଦ୍ରିକ ଲୁଟେରାଙ୍କ କାର୍ଯ୍ୟକଳାପ ଉପରେ ବିରାମ ଲାଗିପାରିବ ।