Onn 3

ଏସ୍‌ସିବି ହାଉସ୍‌ ସର୍ଜନ-ନର୍ସିଂ ସଂଘ ବିବାଦ ତୁଟିଲା: ଆନ୍ଦୋଳନରୁ ଓହରିଲେ ହାଉସ୍‌ ସର୍ଜନ

State

କଟକ: କଟକ ବଡ଼ଡାକ୍ତରଖାନାରେ ହାଉସ୍‌ସର୍ଜନ ଓ ନର୍ସିଂ ସଂଘ ମଧ୍ୟରେ ତିନି ଦିନ ହେଲା ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇଛି। ଆଜି ହାଉସ୍‌ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଅନ୍ୟପଟେ ଗୁରୁବାରଠାରୁ ଅଲ ଓଡିଶା କର୍ମଚାରୀ ସଂଘ ପକ୍ଷରୁ ହୋଇଥିବା କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବା ନିଷ୍ପତ୍ତି ମଧ୍ୟ ସ୍ଥଗିତ ରଖାଯାଇଛି। ଆଜି ସନ୍ଧ୍ୟାରେ ସିଏମ୍‌ସି କମିସନରଙ୍କ ଅଧ୍ୟକ୍ଷତାରେ ଏସ୍‌ସିବି ଅଧ୍ୟକ୍ଷ, ଅଧୀକ୍ଷକ ଓ ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଏକ ସମନ୍ବୟ ବୈଠକ ହୋଇଥିଲା। ଏଥିରେ ଉଭୟ ହାଉସ୍‌ସର୍ଜନଙ୍କ ପ୍ରତିନିଧି ଓ ନର୍ସିଂ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ୪ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ପରେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା‌ ନର୍ସିଂ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଭୟ ପକ୍ଷର ଅଭିଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଉଭୟ ସଂଘ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଥିଲେ ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ସିଏମ୍‌ସି କମିସନର ବିଜୟ କୁମାର ଦାଶଙ୍କ ନେତୃତ୍ବରେ ଏକ କମିଟି ଗଠନ ହୋଇଛି। ଏହି କମିଟି ଉଭୟ ପକ୍ଷର ଅଭିଯୋଗକୁ ନେଇ ତଦନ୍ତ କରିବେ। ଆଜିର ସମନ୍ବୟ ବୈଠକରେ ସିଏମ୍‌ସି କମିସନର ବିଜୟ କୁମାର ଦାଶ,ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନ୍‌ଜିତ୍‌ ମିଶ୍ର, ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ, ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ, ହାଉସ୍‌ ସର୍ଜନ, ନର୍ସିଂ, ରେସିଡେଣ୍ଟ ଡାକ୍ତର, ପିଜି ଡାକ୍ତର ସଂଘର ପ୍ରତିନିଧି, ନର୍ସିଂ ସୁପରିଟେଣ୍ଡେଣ୍ଟ, ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ ଯୋଗଦେଇ ପକ୍ଷ ରହିଥିଲେ। ଆଜିଠାରୁ ଏସ୍‌ସିବିରେ ହାଉସସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଜୁନିଅର ଡାକ୍ତର ସଂଘ, ରେସିଡେଣ୍ଟ ଡାକ୍ତର ସଂଘ ଓ ଡାକ୍ତରୀ ଛାତ୍ର ସଂସଦ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଫଳରେ ବଡ ଧରଣର ଅଚଳାବସ୍ଥା ଆଶଙ୍କା କରାଯାଉଥିଲା।
ସୂଚନାଯୋଗ୍ୟ ଯେ, ଏସ୍‌ସିବି ନ୍ୟୁ ମେଡିସିନ ୱାର୍ଡରେ ଜଣେ ଦୁର୍ବ୍ୟବହାର କରାଯାଇଥିବା ସଂପର୍କରେ ନର୍ସିଂ ଅଫିସର ସ୍ନେହସୁଧା ସାହୁ ଅଭିଯୋଗ ଆଣିଥିଲେ। ହାଉସ ସର୍ଜନମାନେ ତାଙ୍କୁ କବାଟ ବନ୍ଦ କରି ରଖିବା ସହ ଗାଳିଗୁଲଜ କରି ମୋବାଇଲ ଛଡ଼ାଇ ନେଇଥିବା ସେ କହିଥିଲେ। ଏପଟେ ଡାକ୍ତର ସଂଘ ମଧ୍ୟ ତାଙ୍କ ପାଖରେ ଭିଡିଓ ରେକର୍ଡିଂ ରହିଛି ବୋଲି ଦାବି କରିବା ସହ ସଂପୃକ୍ତ ନର୍ସିଂ ଅଫିସର ମିଛ ଅଭିଯୋଗ ଆଣିଥିବାରୁ କ୍ଷମା ମାଗିବାକୁ ଦାବି କରିଥିଲେ।