Gdgdjgjgj 750x430

ନାଟୋ କାର୍ଯ୍ୟକ୍ରମରେ ବାଇଡେନ୍‌ଙ୍କ ମତିଭ୍ରମ: ଜେଲେନସ୍କିଙ୍କୁ ‘ପୁଟିନ୍’ ଓ କମଳା ହାରିସଙ୍କୁ ‘ଟ୍ରମ୍ପ୍’ସମ୍ବୋଧନ କଲେ

National & International

ୱାସିଂଟନ: ଆ‌ମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଉ ଏକ ବାକ୍‌-ସ୍ଖଳନ ଘଟଣା ତାଙ୍କ ଦଳକୁ ଚିନ୍ତାରେ ପକାଇଦେଇଛି। ଗୁରୁବାର (ସ୍ଥାନୀୟ ସମୟ) ଏକ ନାଟୋ କାର୍ଯ୍ୟକ୍ରମରେ ସେ ଭୁଲବଶତଃ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ‘ରାଷ୍ଟ୍ରପତି ପୁଟିନ୍’ ଓ କମଳା ହାରିସଙ୍କୁ ‘ଟ୍ରମ୍ପ୍’ ବୋଲି ସମ୍ବୋଧିତ କରିଥିଲେ। ରୁଷ୍ ସହ ଚାଲିଥିବା ଯୁଦ୍ଧରେ ୟୁକ୍ରେନକୁ ସହାୟତା ବୃଦ୍ଧି କରିବା ପାଇଁ ଏକ ନୂତନ ପଦକ୍ଷେପ ‘ୟୁକ୍ରେନ୍ କମ୍ପାକ୍ଟ’ ଘୋଷଣା ନିମନ୍ତେ ୩୨ ଜଣ ସହଯୋଗୀ ଓ ବିଦେଶୀ ନେତାଙ୍କ କାର୍ଯ୍ୟକ୍ରମରେ ବାଇଡେନ୍ ଜେଲେନସ୍କିଙ୍କୁ ଭାଷଣ ଦେବାକୁ ଆମନ୍ତ୍ରଣ କରିବା ବେଳେ ଭୁଲ୍‌କ୍ରମେ ରାଷ୍ଟ୍ରପତି ପୁଟିନଙ୍କ ନାମ ନେଇଥିଲେ। ବାଇଡେନ୍ କହିଥିଲେ, ମୁଁ ଏହାକୁ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିବାକୁ ଚାହୁଛି, ଯାହାଙ୍କ ପାଖରେ ସାହସ ଓ ପ୍ରତିବଦ୍ଧତା ଅଛି, ଦୟାକରି ରାଷ୍ଟ୍ରପତି ‘ପୁଟିନ’ଙ୍କୁ ସ୍ୱାଗତ କରନ୍ତୁ। ମଞ୍ଚରୁ ଓହ୍ଲାଇବା ବେଳେ ୮୧ ବର୍ଷୀୟ ଡେମୋକ୍ରାଟ୍ ନିଜ ତ୍ରୁଟି ବୁଝିପାରି ସୁଧାରିବା ପାଇଁ ପୁଣି ମଞ୍ଚକୁ ଫେରିଥିଲେ। ଏହା ରାଷ୍ଟ୍ରପତି ପୁଟିନ ନୁହେଁ ଜେଲେନସ୍କି ବୋଲି ସେ କହିଥିଲେ।
ଏହାର କିଛି ସମୟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି କମଳା ହାରିସଙ୍କ ବଦଳରେ ‘ଉପରାଷ୍ଟ୍ରପତି ଟ୍ରମ୍ପ୍’ ବୋଲି ସମ୍ବୋଧିତ କରିଥିଲେ। ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ଦେଖନ୍ତୁ, ମୁଁ ଉପରାଷ୍ଟ୍ରପତି ଟ୍ରମ୍ପଙ୍କୁ ଉପରାଷ୍ଟ୍ରପତି ଭାବେ ଚୟନ କରିନଥାନ୍ତି, ଯଦି ସେ ରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ମୁଁ ଭାବିଥାନ୍ତି। ଗତ ମାସରେ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଖରାପ ବିତର୍କ ପ୍ରଦର୍ଶନ ପରେ ନିଜ ବୟସ ଓ ମାନସିକ ସ୍ବାସ୍ଥ୍ୟକୁ ନେଇ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଥିବା ବାଇଡେନଙ୍କ ପାଇଁ ଏହି ବାକ୍-ସ୍ଖଳନ ଡେମୋକ୍ରାଟ୍‌ମାନଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି।