2024 07 12 21 57 51 748

ସ୍କୁଟିକୁ ପଛରୁ ପିଟିଲା ମାଲ ବୋଝେଇ ଟ୍ରକ; ସ୍ବାମୀ ଗୁରୁତର ସ୍ତ୍ରୀ ମୃତ

Crime State

ବାରିପଦା : ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର ଟାଟା ନଗର ରାସ୍ତା ପାଲଟିଛି ମରଣଯନ୍ତା । ସପ୍ତାହ ମଧ୍ୟରେ ୪ ମୁଣ୍ଡ ପଡ଼ିଲାଣି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ବହଳଦା ଅଂଚଳର ହାଡିବନ୍ଧୁ ଗିରି ଏବଂ ତାଙ୍କ ପତ୍ନୀ ସ୍ନେହଲତା ଗିରି (୫୮) ଆଜି ଶୁକ୍ରବାର ସକାଳ ୯.୩୦ ଟା ପାଖାପାଖି ସମୟରେ ସ୍କୁଟି ( OD 11A 3955))ରେ ଵହଳଦାରୁ ରାଇରଙ୍ଗପୁର ଆଡ଼କୁ ଆସୁଥିବା ସମୟରେ ଦାଣ୍ଡବୋଷ ଗ୍ରାମ ପାଖ ଜାତୀୟ ରାଜପଥରେ ପଛରୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରକ ((MH12 VF 3321) ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ହାଡିବନ୍ଧୁ ଗିରି ଗୁରୁତର ହୋଇଥିବାବେଳେ ତାଙ୍କ ପତ୍ନୀ ସ୍ନେହଲତା ଗିରିଙ୍କୁ ହାତ ଓ ଅଣ୍ଟା ଉପରେ ଟ୍ରକ ଚଢ଼ିଯାଇଥିଲା । ରାଇରଙ୍ଗପୁର ଟାଉନ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପିସିଆର ଭେନ୍ ସାହାଯ୍ୟରେ ଉଭୟଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚାଇଥିଲେ। ସେଠାରେ ସ୍ନେହଲତା ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ପୋଲିସ ସ୍କୁଟି ଏବଂ ଟ୍ରକକୁ ଜବତ କରି ରାଇରଙ୍ଗପୁର ଟାଉନଥାନାରେ ଅଟକ ରଖିଛନ୍ତି ।ଏହି ସପ୍ତାହକ ମଧ୍ୟରେ ଦାଣ୍ଡଵୋଷ ଗ୍ରାମରେ ଏକ ଟ୍ରକ ରାସ୍ତାକଡ ଘର ଉପରେ ଚଢ଼ି ଯିବାରୁ ଶୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା ।

ସେହିଭଳି ବହଳଦା ଥାନ ଭୁରୁଷା ପାଖରେ ସ୍କୁଟିରେ ଯାଉଥାବା କଲେଜ ଛାତ୍ରୀ ଉପରେ ଟ୍ରକ ମାଡ଼ି ଯିବାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।ସେହିଭଳି ଵାସିଙ୍ଗି ଠାରେ ଜାତୀୟ ରାଜପଥ ୨୨୦ ରେ ଏକ ଅଜଣା ଗାଡି ଧକ୍କାରେ ହାଇସ୍କୁଲ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ଆଜି ସକାଳୁ ଦାଣ୍ଡଵୋଷ ଠାରେ ଜାତୀୟ ରାଜପଥରେ ଟ୍ରକ ସ୍କୁଟିକୁ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ବାମନଘାଟୀ ଅଂଚଳରେ ସାଧାରଣରେ ଜାତୀୟ ରାଜପଥରେ ଯିବାକୁ ଭୟ ସୃଷ୍ଟି ହୋଇଛି । ସରକାର ସଡ଼କ ସୁରକ୍ଷା ସଚେତନତା ପାଇଁ ଯେତେ ସଚେତନ ଓ ସତର୍କ କରାଇଲେ ମଧ୍ୟ ଦୁର୍ଘଟଣା ପିଛା ଛାଡୁନି ।