Images

ନାବାଳିକାକୁ ନିର୍ଯାତନା ମାମଲା: ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ କଲେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିସନ

State

କଟକ: ଜଣେ ନାବାଳିକାକୁ ନିର୍ଯାତନା ଦିଆଯିବା ପ୍ରସଂଗ ଓଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ’ଙ୍କ ବିରୋଧରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିସନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଶିଶୁ ସୁରକ୍ଷା ଅଧିକାର କମିସନ ଭୁବନେଶ୍ବର ଡିସିପିଙ୍କୁ ନୋଟିସ୍‌ କରିଛନ୍ତି। ଡିସିପିଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ନୋଟିସ୍‌ କରିଛନ୍ତି। ଆସନ୍ତା ଜୁଲାଇ ୨୫ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନାବାଳିକାର ଥଇଥାନ ପାଇଁ କଣ ସବୁ ପଦକ୍ଷେପ ନିଆଯାଇପାରିବ ସେନେଇ ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ହୋଇଛି।
ରିୟାଙ୍କ ବିରୋଧରେ ହୋଇଥିବା ମାମଲା କଟକର ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଏହି ମାମଲା ଚନ୍ଦ୍ରଶେଖରପୁର ଥାନାରେ ଥିଲା। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିଲା।
ରିୟା ଓ ତାଙ୍କ ସ୍ବାମୀ ସୁନୀଲ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ବିରୋଧରେ ପୀଡ଼ିତା ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ଦାଏର କରିଥିଲେ। ଦେଢ଼ବର୍ଷ ଧରି କାମ କରାଇବା ପରେ ବର୍ଷାଙ୍କୁ ରିୟା ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।
କଟକ ମହାନଦୀ ବିହାରସ୍ଥିତ ରିୟାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ନାବାଳିକାକୁ ସୋମବାର ଭୁବନେଶ୍ୱର ଚାଲିଆସି ଚନ୍ଦ୍ରଶେଖରପୁରରେ ରହୁଥିବା ତାଙ୍କର ଜଣେ ପରିଚିତ ଭଉଣୀ ମାଧୁରୀଙ୍କ ଘରକୁ ଯାଇଥିଲା। କିନ୍ତୁ ମାଧୁରୀ ଘରେ ନ ଥିବାରୁ ସେ ରାସ୍ତାରେ କାନ୍ଦୁଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତାକୁ ଈଶାନେଶ୍ୱର ଶିଶୁ ସୁରକ୍ଷା ଟିମ୍‌କୁ ହସ୍ତାନ୍ତର କରିଥିଲେ। ମଙ୍ଗଳବାର ଶିଶୁ ସୁରକ୍ଷା ଟିମ୍‌ ନାବାଳିକାଙ୍କୁ ନେଇ ପୁଲିସ୍ ଷ୍ଟେସନରେ ପହଞ୍ଚିଥିଲା।
ଅଭିଯୋଗ ଅନୁସାରେ, ନାବାଳିକାକୁ ରିୟା ଘର କାମ ସହ ଅନ୍ୟାନ୍ୟ କାମ କରାଉଥିଲେ। ଏଥି ପାଇଁ ମାସିକ ୮ହଜାର ଟଙ୍କା ସହ ଖାଇବାପିଇବା ଏବଂ ରହିବା ପାଇଁ ଚୁକ୍ତି କରିଥିଲେ। ରିୟା ତାଙ୍କୁ ଦିନକୁ ୨୦ ଥର ଉଠ୍‌ବସ୍‌ କରାଉଥିଲେ। ସ୍ବାମୀ ସୁନୀଲ ତାଙ୍କ ଉପରକୁ ମଦ ବୋତଲ ଫୋପାଡୁଥିଲେ। ନିର୍ଯାତନାରେ ନାବାଳିକା ଆହତ ହୋଇଥିବା ଅଭିଯୋଗ ହୋଇଥିଲା।