Whatsapp Image 2025 02 24 At 1.19.44 Pm

ପ୍ରତିଶ୍ରୁତି ପ୍ରତିଷ୍ଠାନ ତରଫରୁ ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ସ୍ମୃତିଚାରଣ ସଭା

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ବାରିପଦାର ପୂର୍ବତନ ବିଧାୟକ, ମୟୂରଭଞ୍ଜରେ ସମବାୟ ଆନ୍ଦୋଳନର କର୍ଣ୍ଣଧାର, ବରିଷ୍ଠ ସାମ୍ବାଦିକ, ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ ବିମଳ ଲୋଚନ ଦାସଙ୍କ ଚତୁର୍ଥ ମହାପ୍ରୟାଣ ଦିବସ ଅବସରରେ ଏକ ସ୍ମୃତିଚାରଣ ସଭା ସ୍ଥାନୀୟ ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷରେ ପ୍ରତିଷ୍ଠାନର ସଭାପତି ଡା. ପାର୍ଥସାରଥୀ ଜେନାଙ୍କ ପୌରୋହିତ୍ୟରେ ଏକ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ \”ପ୍ରତିଶ୍ରୁତି\’ ପତ୍ରିକାର ସମ୍ପାଦକ ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇ ବିମଳବାବୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ତଥା ତାଙ୍କ ପ୍ରତିଭା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ରାଜକିଶୋର ଆଚାର୍ଯ୍ୟ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ଡ. ଜଗତବନ୍ଧୁ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୁଶାନ୍ତ କୁମାର ବସା, ସମ୍ମାନୀତି ଅତିଥି ଓ ଶିଶୁ ସାହିତ୍ୟର ଗବେଷକ, ବିଶିଷ୍ଟ ପରିବେଶବିତ୍ ତଥା ବରିଷ୍ଠ ସାମ୍ବାଦିକ ଡ. ବିଜୟ କୁମାର ଅଗରୱାଲା ସମ୍ବର୍ଦ୍ଧିତ ଅତିଥିଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଆଚାର୍ଯ୍ୟ ସମବାୟ କ୍ଷେତ୍ରରେ ବିମଳବାବୁଙ୍କ ପାରଦର୍ଶିତା ପାଇଁ ବାରିପଦା ଅରବାନ କୋ-ଅପରେଟିଭ ବ୍ୟାଙ୍କ ୩ଥର ରାଜ୍ୟ ସ୍ତରରେ ଶ୍ରେଷ୍ଠ ସମବାୟ ବ୍ୟାଙ୍କ ଭାବରେ ପୁରସ୍କାର ଲାଭ କରିପାରିଥିଲା ବୋଲି କହିଥିଲେ । ମୁଖ୍ୟ ବକ୍ତା ଡ. ଆଚାର୍ଯ୍ୟ ବିମଳବାବୁଙ୍କ ଅମଳିନ ଜୀବନ ସମ୍ପର୍କରେ ଏକ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଡ. ବସା ତାଙ୍କର ଜୀବନାଦର୍ଶ ଅନ୍ୟମାନଙ୍କର ଧ୍ୟେୟ ହେବା ଉଚିତ ବୋଲି କହିଥିଲେ । ଏହି ଅବସରରେ ପ୍ରତିଶ୍ରୁତି ପ୍ରତିଷ୍ଠାନ ପକ୍ଷରୁ ଚଳିତ ବର୍ଷ ମର୍ଯ୍ୟାଦାଜନକ ବିମଳ ଲୋଚନ ଦାସ ସ୍ମୃତି ସମ୍ମାନ – ୨୦୨୫ ବର୍ଷିୟାନ ସାମ୍ବାଦିକ ଜିଲ୍ଲା ପରିବେଶ ସମିତିର ଉପାଧ୍ୟକ୍ଷ ଡ. ବିଜୟ କୁମାର ଅଗରୱାଲାଙ୍କୁ ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ମାନପତ୍ର, ଶାଲ, ଉପଢୌକନ, ପୁଷ୍ପଗୁଚ୍ଛ ତଥା ଶ୍ରୀଜଗନ୍ନାଥଙ୍କ ଏକ ଫଟୋଚିତ୍ର ଶ୍ରୀଯୁକ୍ତ ଅଗରୱାଲାଙ୍କୁ ଦିଆଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ସେ ବିମଳବାବୁଙ୍କ ସହିତ ତାଙ୍କର ତିନି ପୀଢିର ପାରିବାରିକ ସମ୍ପର୍କ ଥିଲା ବୋଲି କହିବା ସହ ତାଙ୍କର ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛୋଟେଲାଲ ମହାନ୍ତ, କବିବିଷ୍ଣୁ ଶତପଥୀ, ନରସିଂହ ବାରିକ, ସୁଧାମୟୀ ଦାସ, ବିରଜାଦେବୀ, ଗୀତାରାଣୀ ସାହୁ ପ୍ରମୁଖ ତାଙ୍କର ସ୍ମୃତିଚାରଣ କରିଥିଲେ । ସାମ୍ବାଦିକ ସୁକାନ୍ତ କୁମାର ଜୀଉ ବିମଳବାବୁଙ୍କ ସ୍ମୃତିକୁ ମନେ ପକାଇ ବିମଳବାବୁଙ୍କ ପାଇଁ ଅଭିମାନ ଚଳଚ୍ଚିତ୍ର ନିର୍ମାଣ ହୋଇପାରିଥିଲା ଓ ମୟୂରଭଞ୍ଜର ଉତ୍ତମ ମହାନ୍ତିଙ୍କ ସମେତ ବହୁ କଳାକାର ସେମାନଙ୍କର କଳା ପ୍ରଦର୍ଶନ ପାଇଁ ସକ୍ଷମ ହୋଇଥିବା କଥା ଉଲ୍ଲେଖ କରିଥିଲେ ।

Whatsapp Image 2025 02 24 At 1.22.01 Pm

ଏହି ଅବସରରେ ଭଗବତୀ ଦାଶ, ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଦେବଜାନୀ ବେହେରା, ଡ. ସଞ୍ଜୀବ ପାଣିଗ୍ରାହୀ, ସବିତାରାଣୀ ଶୀଟ୍‌, ପୁଷ୍ପଲତା ସାହୁ ପ୍ରମୁଖ ବହୁ କବି ସେମାନଙ୍କର ସ୍ୱରଚିତ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରିଶେଷରେ ଡ. ଶଶୀଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବାରିପଦା ସହରର ବହୁ ବୁଦ୍ଧିଜୀବି, ସାମ୍ବାଦିକ, କବି ଓ ସାହିତ୍ୟିକ ପ୍ରମୁଖ ଯୋଗ ଦେଇଥିଲେ ।