Dead Body

ମାଛ ଧରିବା ବେଳେ ଡିନାମାଇଟ ବିସ୍ପୋରଣ, ମତ୍ସ୍ୟଜୀବୀ ମୃତ

State

ଦେବଗଡ଼: ରେଙ୍ଗାଳି ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡିନାମାଇଟ ବିସ୍ପୋରଣ ହୋଇଛି। ଏଥିରେ ଜଣେ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଅସନନାଳୀ ଗ୍ରାମର ଶିବ ଧିବରଙ୍କ ପୁଅ କ୍ଷମାନିଧି ଧିବର(୪୩)।
ସୂଚନା ଅନୁଯାୟୀ,ତିଲେଇବଣି ବ୍ଲକର ଭୁଲକାବାହାଲ ଗ୍ରାମ ନିକଟରେ ଥିବା ରେଙ୍ଗାଳି ଜଳଭଣ୍ଡାରରକୁ ଆଜି କ୍ଷମାନିଧି ଏବଂ ତାଙ୍କର ୨ଜଣ ସହଯୋଗୀଙ୍କ ସହିତ ଏକ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ।କିନ୍ତୁ ମାଛ ମାରିବା ପାଇଁ ସେମାନେ ଡିନାମାଇଟ ଫୁଟାଇବା ବେଳେ ଅସାବଧନାବଶତଃ ଡଙ୍ଗା ନିକଟରେ ତାହା ଫୁଟିଯାଇଥିଲା।ତେବେ ଡିନାମାଇଟ ଫୁଟିବା ଦ୍ବାରା ଡଙ୍ଗାଟି ବୁଡିଯାଇଥିଲା।ଫଳରେ କ୍ଷମାନିଧି ଏବଂ ତାଙ୍କର ୨ଜଣ ସହଯୋଗୀଙ୍କ ପାଣି​ରେ ବୁଡିଯାଇଥିଲେ। ତାଙ୍କର ୨ଜଣ ସହଯୋଗୀ ପହଁରି ବାହାରକୁ ଚାଲିଆସିଥିବାବେଳେ କ୍ଷମାନିଧି ପାଣିରେ ବୁଡିଯାଇଥିଲେ।ଖବରପାଇ ଦେବଗଡ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପଂହଚି କ୍ଷମାନିଧିକୁ ଉଦ୍ଧାର କରିଥିଲା।କିନ୍ତୁ ସେତେବେଳେ ତାଙ୍କର ମୃତ୍ୟୁ ଘଟିଥିଲା।ସୂଚନାପାଇ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ବାଳ ଘଟଣାସ୍ଥଳରେ ପଂହଚି ସ୍ଥିତି ଅନୁଧ୍ୟାନ କରିବା ସହିତ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ ପଂହଚି ଶବ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାଛ ମାରିବା ପାଇଁ ଡିନାମାଇଟ ଫୁଟାଇବା ବେଆଇନ ଥିବାବେଳେ ସେମାନେ କେମିତି ଫୁଟାଇଲେ ଏବଂ କେଉଁଠୁ ଆଣିଥିଲେ ଏହାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।