କଟକ: ସରୋଗେସି ମାଧ୍ୟମରେ ମା ହୋଇଥିବା କର୍ମଚାରୀଙ୍କୁ ପ୍ରାକୃତିକ ଉପାୟରେ ମା ହୋଇଥିବା ମହିଳାଙ୍କ ଭଳି ପ୍ରସବକାଳୀନ ଛୁଟି (ମାଟର୍ଣ୍ଣିଟି ଲିଭ୍) ସୁବିଧା ମିଳିବ। ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ସମ୍ବିଧାନର ଧାରା ୨୧ ମାତୃତ୍ବ ଅଧିକାର ସହିତ ସବୁ ଶିଶୁଙ୍କ ପୂର୍ଣ୍ଣାଙ୍ଗ ବିକାଶ ସଂପର୍କିତ ଅଧିକାର ପ୍ରଦାନ କରିଛି। ଯଦି ସରକାର ପ୍ରାକୃତିକ ଉପାୟରେ ବା ପୋଷ୍ୟ ସନ୍ତାନ ଗ୍ରହଣ କରି ମା ହୋଇଥିବା ମହିଳାଙ୍କୁ ପ୍ରସବକାଳୀନ ଛୁଟି ପ୍ରଦାନ କରୁଛନ୍ତି ତେବେ ସରୋଗେସି ପ୍ରକ୍ରିୟା ଦ୍ବାରା ସନ୍ତାନ ପ୍ରାପ୍ତି କରିଥିବା ମହିଳାଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରିବା ଆବଶ୍ୟକ। ସେମାନଙ୍କୁ ବି ପ୍ରସବକାଳୀନ ଛୁଟି ମଞ୍ଜୁର କରାଯିବା ଉଚିତ। ସରୋଗେସି ମାଧ୍ୟମରେ ମାତୃତ୍ବ ଲାଭ କରିଥିବା ଆବେଦନକାରୀଙ୍କୁ ୧୮୦ ଦିନର ପ୍ରସବକାଳୀନ ଛୁଟି ମଞ୍ଜୁର ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶର କପି ପାଇବାର ତିନି ମାସ ଭିତରେ ଆବେଦନକାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବ।
ଏଥି ସହିତ ପ୍ରାକୃତିକ ଉପାୟରେ ଶିଶୁ ଜନ୍ମ ଭଳି ସରୋଗେସି ମାଧ୍ୟମରେ ଶିଶୁର ଜନନୀ ହେବା କ୍ଷେତ୍ରରେ ମା’ଙ୍କୁ ସମାନ ସୁବିଧା ପ୍ରଦାନ ପାଇଁ ଏ ସଂପର୍କିତ ନିୟମାବଳୀରେ ଏହି ଦୃଷ୍ଟିକୋଣ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରୋଗେସି ମାଧ୍ୟମରେ ମାତୃତ୍ବ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ପ୍ରସବକାଳୀନ ଛୁଟି ପ୍ରଦାନରେ ପ୍ରତିବନ୍ଧକ ସାଜିଥିବା ଅର୍ଥ ବିଭାଗର ୨୦୧୯, ନଭେମ୍ବର ୧୫ର ଚିଠି ଓ ସାଧାରଣ ପ୍ରଶାସନ ବିଭାଗର ୨୦୨୦, ଜୁଲାଇ ୬ର ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଓଡ଼ିଶା ଅର୍ଥ ସେବା ଅଧିକାରୀ ଭାବେ ଚାକିରିରେ ଯୋଗ ଦେଇଥିଲେ। ବିବାହର କିଛି ବର୍ଷ ପରେ ମଧ୍ୟ ସେ ମା ହୋଇ ପାରି ନଥିଲେ। ସରୋଗାସି ମାଧ୍ୟମରେ ସେ ଜନନୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥି ପାଇଁ ଆବେଦନକାରୀ ଓ ତାଙ୍କ ସ୍ବାମୀ ଜଣେ ମହିଳାଙ୍କ ସହିତ ସରୋଗେସି ଚୁକ୍ତି ସ୍ବାକ୍ଷର କରିଥିଲେ। ସରୋଗେଟ ମା ୨୦୧୮, ଅକ୍ଟୋବରରେ ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ଆବେଦନକାରୀ ପ୍ରସବକାଳୀନ ଛୁଟି ପାଇଁ କରିଥିବା ଦରଖାସ୍ତକୁ ମଞ୍ଜୁର କରାଯାଇଥିଲା। କିନ୍ତୁ ଏହି ପ୍ରସଂଗରେ ସ୍ଥିତି ସ୍ପଷ୍ଟ ନଥିବାରୁ ଅନୁଧ୍ୟାନ ପାଇଁ ଅର୍ଥ ବିଭାଗ କହିଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।