Roa

ନିର୍ବାଚନ ସମୟରେ ନେତାଙ୍କ ମନେପଡ଼େ ଜୟସିଙ୍ଗପୁର ଗାଁ, ସ୍ୱାଧିନତାର ୭୬ ବର୍ଷ ପରେବି ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ

State

ଆଗରପଡ଼ା :ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଓ ଜନନେତାଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସ୍ୱାଧିନତାର ୭୬ ବର୍ଷ ପରେବି ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ତର୍ଗତ ଜୟସିଙ୍ଗପୁର ଗାଁ ଠାରେ । ଏଠି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଲୋକଙ୍କ ପାଇଁ ପାଲୋଟିଛି ସାତ ସପନ । କିନ୍ତୁ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶ୍ରୁତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥାନ୍ତି ଓ ନିର୍ବାଚନ ପରେ ସବୁ ପାସୋରି ଯାଇଥାଆନ୍ତି ବୋଲି ଏହି ଗାଁର ଅଧିବାସୀ ମାନେ ଆମ ପ୍ରତିନିଧିଙ୍କୁ କହିଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଚଳିତ ନିର୍ବାଚନରେ ମଧ୍ୟ । ରାସ୍ତା ନିର୍ମାଣର ପ୍ରତିଶ୍ରୁତି ପାଇ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ନିର୍ମାଣର କୌଣସି ସୂଚନା ମଧ୍ୟ ଗ୍ରାମବାସୀମାନେ ପାଇପାରିନାହାନ୍ତି । ଏକ ଛୋଟିଆ ଗାଁ ଜୟସିଙ୍ଗପୁର ଯାହାର ଲୋକସଂଖ୍ୟା ପାଖାପାଖି ୩୦୦ । ମାତ୍ର ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ । ଆଗରପଡ଼ା ବରପଦା ପୂର୍ତ୍ତବିଭାଗ ରାସ୍ତାର କାଦବରାଙ୍ଗ ଠାରୁ ରାଉତରାଗଡ଼ିଆ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଏହି ଗାଁ ରାସ୍ତା ଟି ସଂଯୋଗ କରୁଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ସଂଯୋଗ କରୁଥିବା ରାସ୍ତା ଠାରୁ ଲମ୍ବିଥିବା ମାଟି ରାସ୍ତାରେ ପ୍ରାୟ ୨କି.ମି ଗଲାପରେ ଏହି ଗାଁ ପଡ଼େ । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତ୍ତମାନ ବର୍ଷା ଦିନ ଚାଲୁଥିବାରୁ ଅସରାଏ ବର୍ଷାରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ ପାଲଟିଛି । । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବପର ହୋଇପାରୁନାହିଁ । ଚାଷଜମି ମଧ୍ୟରେ ୨/୩ ଫୁଟର ଲମ୍ବ ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା, କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରୁଛନ୍ତି । ଏହି ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ସ୍କୁଲ ତଥା କଲେଜକୁ ଏହି ରାସ୍ତାଦେଇ ପ୍ରତିଦିନ ଅଧ୍ୟୟନ ପାଇଁ ମଧ୍ୟ ଆସୁଛନ୍ତି । ବର୍ତ୍ତମାନ ବର୍ଷା ଋତୁରେ ଏହି ଗାଁ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି । ଏହି ଗାଁର ରୋଗୀଙ୍କୁ ଖଟିଆରେ ବୁହା ହୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯିବାର ନଜିରମଧ୍ୟ ରହିଛି । ସେହିପରି ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ, ଏହି ଗାଁର ପ୍ରାୟ ୨କି.ମି. ଦୂରରେ ରହିଥାନ୍ତି । ଏହି ପରି ଅସମ୍ଭବ ପରିସ୍ଥିତମାନ ଏହି ଗାଁ ଲୋକେ ସମ୍ମୁଖୀନ ହେଉଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥିଲେ ସୁଦ୍ଧା ତାହା ଆଜିଯାଏ କେବଳ ପ୍ରତିଶୃତିରେ ହିଁ ରହିଯାଉଛି ବୋଲି ଗ୍ରାମବାସୀ ଆମ ପ୍ରତିନିଧିଙ୍କୁ କହିଛନ୍ତି । ସବୁ ଗାଁ ରାସ୍ତା କଂକ୍ରିଟ ହେଉ ଥିବା ବେଳେ ଜୟସିଙ୍ଗପୁର ଗାଁ ରାସ୍ତା ଅବସ୍ଥାରେ ପରିବର୍ତ୍ତନ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳନିର୍ଦ୍ଦେଶ କରୁଛି । ତେଣୁ ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।