Image 1719327226

ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ସଚିବ, ପ୍ରଶାସନିକ ନବକଳେବର ଖୁବଶୀଘ୍ର !

State

ଭୁବନେଶ୍ବର : ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହୋଇପାରନ୍ତି । ଆଜି କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡ଼ର ଓଡ଼ିଶାକୁ ଫେରାଇ ଦେବାପରେ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟର ପ୍ରଥମ ବିଜେପି ସରକାର ଶ୍ରୀ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ଆହୁଜାଙ୍କ ଫେରିବା ପରେ ରାଜ୍ୟରେ ବଡ଼ଧରଣର ପ୍ରଶାସନିକ ଅଦଳବଦଳ ହେବ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଆଜି ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜାଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରିବା ପାଇଁ ଅନୁମତି ଦେଇଛନ୍ତି । ଓଡ଼ିଶା ସରକାର ଶ୍ରୀ ଆହୁଜାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି ଫେରାଇ ଦେବାକୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧକୁ ବିଚାର କରି କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।
ବର୍ତ୍ତମାନର ମୁଖ୍ୟ ସଚିବ ୧୯୮୯ ବ୍ୟାଚ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତମାସ ୩୦ତାରିଖରେ ଶେଷ ହେଉଛି । ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନକରି ତାଙ୍କୁ ତୃତୀୟ ମହଲା (ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ)ରେ ଅବସ୍ଥାପିତ କରାଯିବାର ସମ୍ଭାବନା ରହିଛି । ତେବେ ଏନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ ବରିଷ୍ଠ ଓ ଅଭିଜ୍ଞ ଓଡ଼ିଆ ଅଫିସରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀ ଜେନାଙ୍କୁ ସେଠାରେ ନିଯୁକ୍ତି ଦିଆଯାଇପାରେ ବୋଲି ଜଣାପଡ଼ିଛି ।
ଏପଟେ ରାଜ୍ୟର ବିଜେପି ସରକାର ପ୍ରଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶେଷକରି ଉନ୍ନୟନ କମିଶନରଙ୍କଠୁ ଆରମ୍ଭ କରି ସମସ୍ତ ବିଭାଗର ସଚିବଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିପାରେ ।
ରାଜ୍ୟର ଅଧିକାଂଶ ବିଭାଗର ସଚିବ ଓ ପ୍ରମୁଖ ସଚିବ ପଦବୀରେ ଅଣଓଡ଼ିଆ ଅଫିସର ରହିଥିବାରୁ ରାଜ୍ୟ ସରକାର ଓଡ଼ିଆ-ଅଣଓଡ଼ିଆ ଭଳି ପ୍ରଭେଦ ସୃଷ୍ଟି କରି ପ୍ରଶାସନିକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁନଥିବା ଜଣାପଡ଼ିଛି । ସେଥିପାଇଁ ସରକାର ମୁଖ୍ୟ ସଚିବ ପାହ୍ୟାରେ ଶ୍ରୀ ଆହୁଜାଙ୍କୁ ଅବସ୍ଥାପିତ କରିବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ରାଜ୍ୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଶ୍ରୀ ଆହୁଜାଙ୍କୁ ମୁଖ୍ୟ ସଚିବ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିପାରେ। ଯେହେତୁ ରାଜ୍ୟର ବିଜେପି ସରକାର ତାଙ୍କୁ ଓଡ଼ିଶା ଫେରାଇ ଆଣୁଛନ୍ତି, ତେଣୁ ତାଙ୍କୁ ମୁଖ୍ୟ ସଚିବ ପଦବୀ ମିଳିବାର ସମ୍ଭାବନା ଅଧିକ । ବରିଷ୍ଠତା ଦୃଷ୍ଟିରୁ ଦେଖିଲେ ଶ୍ରୀ ଜେନାଙ୍କ ପରେ ୧୯୯୦ ବ୍ୟାଚର ନିତେନ ଚନ୍ଦ୍ର ଓ ତାଙ୍କ ପରେ ଶ୍ରୀ ଆହୁଜା ଅଛନ୍ତି । ନିତେନ ଚନ୍ଦ୍ର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସଚିବ ଅଛନ୍ତି । ତେଣୁ ରାଜ୍ୟ ସରକାର ଶ୍ରୀ ଆହୁଜାଙ୍କୁ ଆଣି ମୁଖ୍ୟ ସଚିବ ପଦବୀରେ ଅବସ୍ଥାପିତ କରିବା ଆପାତତଃ ଚୂଡ଼ାନ୍ତ ହୋଇଛି । ଶ୍ରୀ ଆହୁଜା ଚଳିତବର୍ଷ ଡିସେମ୍ବରରେ ସରକାରୀ ଚାକିରିରୁ ଅବସର ନେବେ । ଅବଶ୍ୟ ତାଙ୍କର କାର୍ଯ୍ୟକାଳକୁ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ବୃଦ୍ଧି କରିପାରନ୍ତି । ସେହିପରି ପୁଲିସ ପ୍ରଶାସନର ମୁଖ୍ୟ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ସ୍ଥାୟୀ ଡିଜି ପଦବୀରେ ନିଯୁକ୍ତି ମଧ୍ୟ ମିଳିବାର ସମ୍ଭାବନା ରହିଛି ।
ବିଜେପି ‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରିଥିବାରୁ ରାଜ୍ୟରେ କେବଳ ଓଡ଼ିଆ ଅଫିସରମାନେ ହିଁ ପ୍ରଶାସନିକ ମୁଖ୍ୟ ପଦରେ ଅବସ୍ଥାପିତ ହେବେ ବୋଲି କିଛି ନିର୍ଦ୍ଦିଷ୍ଟ ପ୍ରଶାସକଙ୍କ ମନରେ ଧାରଣା ରହିଥିଲା । ଯେଉଁଥିପାଇଁ ସେମାନେ ଏହି ମୁଖ୍ୟ ସଚିବ ପଦ ନିମନ୍ତେ ଲବି ଆରମ୍ଭ କରିଥିଲେ । ମାତ୍ର ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ-ଅଣଓଡ଼ିଆ ପ୍ରଭେଦକୁ ସମାପ୍ତ କରି ଟିମ୍ ୱାର୍କ ଭଳି କାର୍ଯ୍ୟ କରିବା ନିମନ୍ତେ ରାଜ୍ୟର ବିଜେପି ସରକାର ଏବେ ଶ୍ରୀ ଆହୁଜାଙ୍କୁ ଓଡ଼ିଶା ଫେରାଇ ଆଣିଛନ୍ତି ।
ସେହିପରି ବର୍ତ୍ତମାନର ମୁଖ୍ୟ ସଚିବ ଶ୍ରୀ ଜେନାଙ୍କୁ ପରବର୍ତ୍ତୀ ନିଯୁକ୍ତି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ କରାଯାଇପାରେ ବୋଲି ଜଣାପଡ଼ିଛି । ଶ୍ରୀ ଜେନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (ମୁଖ୍ୟ ସଚିବ ପାହ୍ୟା) ଭାବେ ଅବସ୍ଥାପିତ କରାଯାଇପାରେ ବୋଲି ପ୍ରଶାସନିକ ମହଲରେ ଚର୍ଚ୍ଚା ହେଉଛି ।
ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ କେବିକେ ପ୍ରଶାସକ କିମ୍ବା ରାଜସ୍ୱ ପର୍ଷଦ ସଦସ୍ୟ ଭାବେ ବଦଳି କରାଯାଇପାରେ । ତାଙ୍କ ସ୍ଥାନରେ ସତ୍ୟବ୍ରତ ସାହୁଙ୍କୁ ଉନ୍ନୟନ କମିଶନର ପଦବୀରେ ଅବସ୍ଥାପିତ କରାଯାଇପାରେ ବୋଲି ସୂଚନା ମିଳିଛି । ସେହିପରି ଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନର ଭାବେ ଅବସ୍ଥାପିତ ୧୯୯୮ ବ୍ୟାଚ୍ ଆଇପିଏସ ରବିକାନ୍ତଙ୍କୁ ଓଡ଼ିଶାକୁ ଫେରାଇ ଆଣି ତାଙ୍କ ସ୍ଥାନରେ ଆଇଏଏସ୍ ବିଶାଳ ଗଗନଙ୍କୁ ସେଠାରେ ମୁଖ୍ୟ ଆବାସିକ କମିଶନର ପଦବୀରେ ନିଯୁକ୍ତି କରାଯାଇପାରେ ବୋଲି ଜଣାପଡ଼ିଛି ।
ମୁଖ୍ୟ ସଚିବଙ୍କ ସମେତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପ୍ରକ୍ରିୟା ୨-୩ଦିନ ମଧ୍ୟରେ ଶେଷ ହେବ ଓ ସମ୍ପୂର୍ଣ୍ଣ ପ୍ରଶାସନିକ ନବକଳେବର ରଥଯାତ୍ରା ପୂର୍ବରୁ ସରିବ ବୋଲି ସୂଚନା ମିଳିଛି ।