Nityananda Ganda

୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

State

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଆକ୍ସନ ମୁଡରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ। ବର୍ତ୍ତମାନ ଗଣଶିକ୍ଷା ମନ୍ତ୍ରୀ ୫-ଟି ଅଧୀନରେ ଥିବା ରାଜ୍ୟର ବହୁ ସ୍କୁଲରେ ହୋଇଥିବା ରୂପାନ୍ତରଣ କାର୍ଯ୍ୟରେ ଦୁର୍ନୀତି ହୋଇଛି ନା ନାହିଁ ତାହାର ତଦନ୍ତ କରିବାକୁ କହିଛନ୍ତି। ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ଗଣମାଧ୍ୟମକୁ ଏହା କହିଛନ୍ତି।

ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ବିଗତ ଦିନରେ ଅନେକ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ବର୍ତ୍ତମାନ ସେସବୁର ତଦନ୍ତ କରାଯିବ। ଯଦି ଏପରି କିଛି ମାମଲା ସାମ୍ନାକୁ ଆସେ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ବଦଳି ପରେ ସ୍କୁଲ ଯାଉନଥିବା ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ତେଣୁ ସ୍କୁଲ ଯାଇ ପିଲାଙ୍କୁ ପାଠ ପଢାଇବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ବିଜେଡି ସରକାର ସମୟରେ ୫-ଟି ଅଧୀନରେ ରାଜ୍ୟର ବହୁ ସ୍କୁଲ ରୂପାନ୍ତରୀକରଣ ହୋଇଥିଲା। ସ୍କୁଲ ଶ୍ରେଣୀଗୃହଗୁଡ଼ିକୁ ଅତ୍ୟାଧୁନିକ କରାଯାଇଥିଲା। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଥିଲା। ତେବେ ଅନେକ ସ୍ଥାନରେ ସ୍କୁଲ ରୂପାନ୍ତରଣ ନାଁରେ ସେତେବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସରକାର ବଦଳିବା ପରେ ନୂତନ ଭାବେ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ନିତ୍ୟାନନ୍ଦ ଗଣ୍ଡ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।