Image 2 1

ଏଆଇସିସି ଅଧ୍ୟକ୍ଷ ଖଡ଼ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ ଓ କୋରାପୁଟ ସାଂସଦ

State

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଆରମ୍ଭ ହୋଇଥିବା ବେଳେ ବିଧାୟକ ଦଳ ନେତା କିଏ ହେବ ସେନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏହାରି ଭିତରେ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଖଡ଼ଗେଙ୍କୁ ଭେଟିଛନ୍ତି ଏହି ବିଧାୟକ।

କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ଚର୍ଚ୍ଚା ମଧ୍ୟରେ ଖଡ଼ଗେଙ୍କ ସହ ସାକ୍ଷାତ କରିଛନ୍ତି। କିଛି ଦିନ ପୂର୍ବେ କଂଗ୍ରେସର ବିଧାୟକ ଦଳ ବୈଠକ ଶେଷ ହୋଇଛି। ବିଧାନସଭାରେ କଂଗ୍ରେସର ରଣନୀତି କଣ ରହିବ, କିଭଳି ନେତାଙ୍କ ଉପସ୍ଥାନ ରହିବ ଓ କେଉଁ ପ୍ରସଙ୍ଗ ଦଳ ଉଠାଇବ ସେନେଇ ଆଲୋଚନା ହୋଇଛି। କିନ୍ତୁ କିଏ ହେବ ବିଧାୟକ ଦଳ ନେତା ସେନେଇ ନିଷ୍ପତ୍ତି ହୋଇ ହୋଇନାହିଁ ।

ତେବେ ବିଧାୟକ ଦଳ ନେତା କିଏ ହେବେ ସେନେଇ ଆଜି ଖଡଗେଙ୍କ ସହ ୬ ବିଧାୟକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକୁ ସୌଜନ୍ୟମୂଳକ କହିଲେ ସାଂସଦ ଉଲାକା। ବିଧାୟକ ଦଳ ନେତା କିଏ ହେବେ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ସାଂସଦ ସପ୍ତଗିରି ଉଲାକା କହିଛନ୍ତି। ସେହିପରି ଏନେଇ ବିଧାୟକ ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଆଗକୁ ଯାହା ନିଷ୍ପତ୍ତି ନିଆଯିବ, ତାହା ଆମେ ଗ୍ରହଣ କରିବୁ।

ସୂଚନାଥାଉକି, ଓଡ଼ିଶାରେ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ନେଇ ଏଆଇସିସି ଚିନ୍ତା ପ୍ରକଟ କରିଛି। ତର୍ଜମା ପାଇଁ ଏକ ଦୁଇ ଜଣିଆ ତଥ୍ୟ ଅନୁସନ୍ଧାନ ଟିମ ଗଠନ କରିଛି । ଫୋକସରେ ରହିଛି ଓଡିଶା କଂଗ୍ରେସ। କଂଗ୍ରେସ ଚଳିତ ନିର୍ବାଚନରେ ୧୪ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ଲୋକସଭାରେ ଗୋଟିଏ ଆସନ ଜିତିଛି । ଏଆଇସିସି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଅଜୟ କୁମାରଙ୍କ ନିର୍ବାଚନ ପରିଚାଳନାକୁ ନେଇ ଅସନ୍ତୋଷ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେଥିପାଇଁ ଉଭୟ କେନ୍ଦ୍ରୀୟ ନେତା ଓଡିଶା ଆସି ବିଭିନ୍ନ ନେତାଙ୍କ ସହ ଆଲୋଚନା କରିବେ।