Whatsapp Image 2024 06 13 At 16.41.04 750x430

କଶ୍ମୀରରେ ଆତଙ୍କବାଦ ପ୍ରସଙ୍ଗରେ ଡୋଭାଲ ଓ ଶାହାଙ୍କ ସହ କଥା ହେଲେ ମୋଦୀ

National & International

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ରାଜ୍ୟର ରିଆସୀ, କଠୁଆ ଓ ଡୋଡାରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ଓ ପୁଲିସ ସମସ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଅପଡେଟ୍ ନେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଏନଏସଏ ଅଜିତ ଡୋଭାଲ ଏବଂ ଅନ୍ୟ ଅଧିକାରୀଙ୍କ ସହ ଜମ୍ମୁ ଓ କଶ୍ମୀରର ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିଛନ୍ତି । ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି । ଆତଙ୍କବାଦ ବିରୋଧରେ ଚାଲିଥିବା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ସୂଚନା ଅନୁଯାୟୀ, ଆତଙ୍କବାଦ ବିରୋଧୀ ସମ୍ପୂର୍ଣ୍ଣ କ୍ଷମତା ନିୟୋଜିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅଧିକାରୀମାନଙ୍କୁ କହିଛନ୍ତି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀର ସ୍ଥିତିକୁ ନେଇ ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସୁରକ୍ଷା ବାହିନୀ ମୁତୟନ ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଜମ୍ମୁ-କଶ୍ମୀରର ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଉଥିବା ପ୍ରୟାସ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।