219be58c F778 4b59 A996 6c7277bdf9a8 750x430

ରାଜ୍ୟ ବିଜୁ ସେତୁ ଯୋଜନାର ଉପଦେଷ୍ଟାଙ୍କ ନାମରେ ଠକେଇ ଅଭିଯୋଗ କଲେ ଡାକ୍ତର

State

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ବିଜେଡି ନେତାଙ୍କ ନାମରେ ଉପଖଣ୍ଡ ଚିକିତ୍ସାଳୟର ଜଣେ ଡାକ୍ତର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଡାକ୍ତର ଜଣକ ହେଉଛନ୍ତି ସିନିୟର୍ ମେଡିସିନ ସ୍ପେଶାଲିଷ୍ଟ ସାଗର ଚନ୍ଦ୍ର ନାଏକ। ଡାକ୍ତର ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ସେ ୨୦୧୮ ମସିହାରେ ରାଇରଙ୍ଗପୁର ଡାକ୍ତରଖାନାରେ ଯୋଗ ଦେବା ପରେ ତାଙ୍କ ସହ ବିଜେଡିର ବରିଷ୍ଠ ନେତା ତଥା ବିଜୁ ସେତୁ ଯୋଜନାର ଉପଦେଷ୍ଟା ରତିକାନ୍ତ ପରୀକ୍ଷାଙ୍କ ସହ ପରିଚୟ ହୁଏ। ଶ୍ରୀ ପରୀକ୍ଷା ତାଙ୍କୁ ଡାକ୍ତରଖାନାରେ ସିନିୟର୍ ଡାକ୍ତର ପଦବିରୁ ଏସଡିଏମଓ ପଦ ଉନ୍ନତି କରାଇ ଦେବେ ବୋଲି କହି ୨୦ ଲକ୍ଷ ଟଙ୍କା ମାଗିଥିଲେ। ଡାକ୍ତର ଏହି ପଦବି ଲୋଭରେ ୨୦୨୨ ମସିହାରେ ତାଙ୍କୁ ଦୁଇଟି କିସ୍ତିରେ ୧୦ ଲକ୍ଷ ଏବଂ ୭ ଲକ୍ଷ ଟଙ୍କା ନଗଦ ଟଙ୍କା ଦେଇଥିଲେ।
ତେବେ ଦୀର୍ଘ ଦୁଇ ବର୍ଷ ବିତିଗଲା ପରେ ମଧ୍ୟ ରତିକାନ୍ତ ପରୀକ୍ଷା ତାଙ୍କୁ ଧରାଛୁଆଁ ଦେଇନଥିଲେ ବରଂ ଟଙ୍କା ଫେରସ୍ତ ମାଗିବାରୁ ଓଲଟି ରତିକାନ୍ତ ତାଙ୍କୁ ଧମକ ଦେଉଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ରାଇରଙ୍ଗପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ରତିକାନ୍ତଙ୍କ ନାମରେ ଆଇପିସି ଦଫା ୪୧୯,୪୨୦, ୪୦୬, ୨୯୪,୫୦୬ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଏ ସମ୍ପର୍କରେ ଶ୍ରୀ ପରୀକ୍ଷାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଲେ ଯେ ତାଙ୍କ ନାମରେ ଜଣେ ସରକାରୀ ଡାକ୍ତର ତାଙ୍କ ନାମରେ ଥାନାରେ ଏତଲା ଦେବା ଘଟଣା ସେ ଗତକାଲି ଜାଣିଲେ। ସେଥିପାଇଁ ସେ ଦୁଃଖିତ। ତାଙ୍କ ନାମରେ ମିଥ୍ୟା ଏତଲା ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ରାଜନୈତିକ ଷଡ଼ଯନ୍ତ୍ର। କିଛି ନିର୍ଦ୍ଧିଷ୍ଟ ଲୋକଙ୍କ କଥାରେ ସଂପୃକ୍ତ ଡାକ୍ତର ପରିଚାଳିତ ହୋଇ ତାଙ୍କୁ ବଦନାମ କରିବାକୁ ଏକ ଷଡ଼ଯନ୍ତ୍ର ରଚାଯାଇଛି। ଜଣେ ସରକାରୀ ଡାକ୍ତର ପ୍ରମୋସନ୍ ପାଇଁ ୧୭ ଲକ୍ଷ ଟଙ୍କା ନଗଦ ଦେବା ସମ୍ପୂର୍ଣ୍ଣ ମିଥ୍ୟା । ଅଧିକ ପରିମାଣର ନଗଦ ଟଙ୍କା ସେ କୋଉଠୁ ଆଣିଲେ ? ତାହା ଯାଞ୍ଚ ହେବାର ଆବ୍ୟଶକତା ରହିଛି ଏବଂ ସେ ପୁଲିସକୁ ସମ୍ପୂର୍ଣ୍ଣ ସାହୋଜୋଗ କରିବେ। ତାଙ୍କ ପାଇଁ ଏବଂ ତାଙ୍କ ପରିବାରକୁ ବଦନାମ କରିବାକୁ ବିରାଟ ଷଡଯନ୍ତ୍ର ରଚା ଯାଇଛି । ବହୁ ଲୋକଙ୍କୁ ଡରାଇ ଧମକାଇ ପ୍ରୋଲଭନ ଦେଖାଇ ରତିକନ୍ତଙ୍କ ନାମରେ ମିଥ୍ୟା ଅଭିଯୋଗ କରିବା ପାଇଁ ମଧ୍ୟ ବାଧ୍ୟ କରାଯାଉଛି। ଏଣୁ ସେ ମଧ୍ୟ ଖୁବ୍ ଶୀଘ୍ର ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।