Crick

ଛକ୍କା ମାରି ହଠାତ୍‌ ତଳେ ପଡ଼ିଗଲେ ଯୁବକ, ହୃଦ୍‌ଘାତରେ ହେଲା ମୃତ୍ୟୁ

National & International

କ୍ରିକେଟ୍‌ ଖେଳିବା ସମୟରେ ହଠାତ୍‌ ଆସିଲା ହୃଦ୍‌ଘାତ । ଫଳରେ ସେଇଠି ହିଁ ଟଳିପଡ଼ିଲେ ଯୁବକ । ଘଟଣା ଘଟିଛି ମୁମ୍ବାଇର ମୀରାରୋଡ୍‌ରେ । ଏଠାରେ କାଶ୍ମୀରା ଅଞ୍ଚଳରେ ଏକ ଖେଳି ପଡ଼ିଆରେ ବକ୍ସ କ୍ରିକେଟ୍‌ ଖେଳୁଥିବା ବେଳେ ଜଣେ ଯୁବକଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ବୋଲର୍‌ଙ୍କ ବଲ୍‌ରେ ଛକ୍କା ମାରିବା ପରେ ହଠାତ୍‌ ସେ ତଳେ ପଡ଼ିଯାଇଥିଲେ ଏବଂ କିଛି କ୍ଷଣ ମଧ୍ୟରେ ତାଙ୍କ ଜୀବନ ଚାଲିଯାଇଥିଲା ।

ଏହି ପୂରା ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । କାଶୀଗାଁଓ ପୋଲିସ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି ଯେ ଏକ କମ୍ପାନୀ ତରଫରୁ ଏଠାରେ କ୍ରିକେଟ୍‌ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କମ୍ପାନୀର ଦୁଇଟି ଦଳ ପରସ୍ପର ବିପକ୍ଷରେ କ୍ରିକେଟ୍‌ ଖେଳୁଥିଲେ ।

ସିସିଟିଭି ଫୁଟେଜ୍‌ରେ ଦେଖାଯାଉଛି ଯେ ମ୍ୟାଚ୍‌ ବେଳେ ଯୁବକ ଜଣକ ଏକ ବଲ୍‌କୁ ଜୋର୍‌ରେ ମାରୁଛନ୍ତି । ଏହାପରେ ସେ ତଳେ ପଡ଼ିଯାଉଛନ୍ତି । ଯେମିତି ହିଁ ସେ ତଳେ ପଡ଼ୁଛନ୍ତି, ତାଙ୍କ ସାଥୀ ଖେଳାଳିମାନେ ଦୌଡ଼ାଦୌଡ଼ି ହୋଇ ତାଙ୍କ ପାଖକୁ ଆସୁଛନ୍ତି । ତେବେ ସେତେବେଳକୁ ଯୁବକଙ୍କ ମୃତ୍ୟୁ ଘଟିସାରିଥିଲା ।

ମହାରାଷ୍ଟ୍ରରେ ବି କିଛି ଦିନ ତଳେ କ୍ରିକେଟ୍‌ ମ୍ୟାଚ୍‌ ଖେଳିବା ବେଳେ ଏକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ପୁଣେରେ ସାଙ୍ଗମାନଙ୍କ ସହ କ୍ରିକେଟ୍‌ ଖେଳିବା ସମୟରେ ଗୁପ୍ତାଙ୍ଗରେ ବଲ୍‌ ବାଜିବାରୁ ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁ ଘଟିଥିଲା । ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।

ଖେଳାଳିଙ୍କ ଦେହରେ ଯେତେବେଳେ ବଲ୍‌ ବାଜିଥିଲା, ସେ ବେହୋଶ୍‌ ହୋଇଯାଇଥିଲେ । ଏହାପରେ ସାଙ୍ଗମାନେ ତାଙ୍କ ପାଖକୁ ଯାଇ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚଳିତ ବର୍ଷ ଜାନୁୟାରୀରେ ମଧ୍ୟ ଏହିପରି ଏକ ଘଟଣା ଘଟିଥିଲା । ଏଠାରେ କ୍ରିକେଟ୍‌ ମ୍ୟାଚ୍‌ ବେଳେ ୫୨ ବର୍ଷୀୟ ଜଣେ ବ୍ୟବସାୟୀଙ୍କ ମୁଣ୍ଡରେ ବଲ୍‌ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।