Onn 3

ଆଗରପଡ଼ାରେ ନିର୍ବାଚନୀ ହିଂସାରେ ୨ ଆହତ

State

ଆଗରପଡ଼ା  : ଗତ ଶୁକ୍ରବାର ବିଳମ୍ବିତ ରାତିରେ ଆଗରପଡ଼ା ଥାନା ଅନ୍ତର୍ଗତ ଚାରିଗାଁ ଠାରେ ନିର୍ବାଚନୀ ହିଂସା ଘଟି ୨ଜଣ ଆହତ ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ଥିବାର ଜଣାପଡ଼ିଛି । ସୂଚନାଅନୁଯାୟୀ;ଏହି ଗ୍ରାମର ରାମଚନ୍ଦ୍ର ବେହେରା ତାଙ୍କ ଘର ପିଣ୍ଡାରେ ବସିଥିଲେ । କ୍ୟାମ୍ପେନିଂ ଆଳରେ ସେହି ଗ୍ରାମର ଜନୈକ ପୂର୍ବତନ ସରପଂଚ ଆସି ନିର୍ଦ୍ଧିଷ୍ଟ ଏକ ଦଳର ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ରାମଚନ୍ଦ୍ରଙ୍କୁ କହିଥିଲେ । ରାମଚନ୍ଦ୍ର ଏଥିରେ ସମ୍ମତି ଦେବା ପରେ ମଧ୍ୟ ତାଙ୍କ ମୋବାଇଲକୁ ପୂର୍ବତନ ସରପଂଚ ଛଡ଼ାଇ ନେଇ ଆମ ଅଫିସରେ ଦେଖା କରିବାକୁ କହିଥିଲେ । ମାତ୍ର ରାମଚନ୍ଦ୍ର ଏଥିରେ ଅରାଜି ହେବାରୁ ଉଭୟଙ୍କ ମଧ୍ୟରେ ଉଚ୍ଚସ୍ୱରରେ କଥା କଟାକଟି ହୋଇଥିଲା । ଏହା ଶୁଣି ରାମଚନ୍ଦ୍ରଙ୍କ ଭଣଜା ରାଜେନ୍ଦ୍ର ବେହେରା ଘଟଣା ସ୍ଥଳରେ ପହଂଚି ଏଥିରେ ହସ୍ତକ୍ଷେପ କରିଥିଲେ । ଯଦ୍ୱାରା ଘଟଣା ଉଗ୍ରରୂପ ଧାରଣ କରିଥିଲା ।

ପୂର୍ବତନ ସରପଂଚଙ୍କ ସମର୍ଥକମାନେ ହଠାତ୍ ଆସି ବିଭିନ୍ନ ମାରଣାସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ପରେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ରାଜେନ୍ଦ୍ରଙ୍କ ମୁଣ୍ଡ ସହ ଶରୀରରେ ଗଭୀର ଆଘାତ ଲାଗିଛି । ସେ ବର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ରାମଚନ୍ଦ୍ର ମଧ୍ୟ ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏଥିପୂର୍ବରୁ ମଧ୍ୟ ପୁରୁଷଣ୍ଢ ପଂଚାୟତ ସ୍ଥିତ ଭବାନୀଗଂଜ ଗ୍ରାମରେ ଦୁଇ ରାଜନୈତିକ ଦଳ କର୍ମୀମାନଙ୍କ ମଧ୍ୟରେ ମାଡ଼ପିଟ ପରି ଘଟଣା ଘଟିବା ପରେ ଥାନାରେ ଉଭୟ ଦଳୀୟ କର୍ମୀମାନଙ୍କ ନାମରେ ମାମଲା ରୁଜ୍ଜ୍‌ୁ ହୋଇଥିବାର ଜଣାପଡ଼ିଛି ।