Strike 1716794573

ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା; ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ବିଜେପି କର୍ମୀ

State

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ତାତିଲେ ବିଜେପି କର୍ମୀ । ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିଧାୟକଙ୍କୁ ଛାଡିବା ପାଇଁ ଦାବି ରଖିଲେ । ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ସ୍ଥାନୀୟ ବିଧାୟକ ଜିତୁ ମିତ୍ରଙ୍କ ସମେତ ଶତାଧିକ ବିଜେପି କର୍ମୀ ହୋ ହାଲ୍ଲା କରିବା ସହିତ ତୁରନ୍ତ ଜଗଦ୍ଦେବଙ୍କୁ ଖଲାସ କରିବା ପାଇଁ ଦାବି କରିଛନ୍ତି । ସେମାନଙ୍କ କହିବା ଅନୁସାରେ, ଯଦି ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭାଙ୍ଗିଥିବା ଅଭିଯୋଗ ହୋଇଛି ତାହାଲେ ସିସିଟିଭି ଫୁଟେଜ୍ ସାର୍ବଜନୀନ କରାଯାଉ । ବିନା ସିସିଟିଭି ଯାଞ୍ଚରେ ଜଗଦ୍ଦେବଙ୍କୁ କିପରି ଗିରଫ କରାଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ଆଜି ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇ ତୀବ୍ର ବିରୋଧ କରାଯାଇଛି ।

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ଭୋଟିଂ ସମୟରେ ଇଭିଏମ ଭଙ୍ଗାରୁଜା ମାମଲାକୁ ନେଇ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିଲା ପୋଲିସ । ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଇଭିଏମ୍ ଭଙ୍ଗାରୁଜା କରିବା ସହିତ  ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଯାହାପରେ ଅଧାରାସ୍ତରୁ ପୋଲିସ ତାଙ୍କୁ ଅଟକାଇ ଗିରଫ କରିଥିଲା । ଯାହାକୁ ନେଇ ବିଜେପି କର୍ମୀ ଆଜି ତେଜିବା ସହ କାହିଁକି ସିସିଟିଭି ଯାଞ୍ଚ ସାର୍ବଜନୀନ କରାଯାଉନାହିଁ ତାହା ପ୍ରଶ୍ନ କରିଛନ୍ତି ।