Cyclone

ରବିବାର ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ‘ରେମାଲ’

National & International

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ୨୬ ତାରିଖ (ରବିବାର) ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ସଂଲଗ୍ନ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ୧୩୫ କିଲୋମିଟର ବେଗରେ ଝଟ୍‌କା ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୨୬-୨୭ ତାରିଖରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି।
୨୭-୨୮ ତାରିଖରେ ଉତ୍ତର-ପୂର୍ବ ଭାରତର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଲ୍ୟାଣ୍ଡଫଲ୍‌ ସମୟରେ ଉପକୂଳ ପଶ୍ଚିମବଙ୍ଗ ଓ ବାଂଲାଦେଶର ତଳିଆ ଅଞ୍ଚଳରେ ୧.୫ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ସହ ଝଡ଼ ତୋଫାନ ସଂପୃକ୍ତ ଅଞ୍ଚଳକୁ ଜଳମଗ୍ନ କରିବାର ସମ୍ଭାବନା ରହିଛି।
ଆସନ୍ତା ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ସତର୍କ କରାଇଦେଇଛି। ପାଣିପାଗ ବିଭାଗ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣା ପାଇଁ ମେ ୨୬ ଓ ୨୭ରେ ରେଡ୍‌ ଆଲର୍ଟ ଜାରି କରିଛି, ଯେଉଁଠାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।