Photo Of Mla(bhandaripokhari)

ଭଣ୍ଡାରିପୋଖରୀ ସାଧାରଣ ନିର୍ବାଚନ, ଭଣ୍ଡାରିପୋଖରୀ ଭଣ୍ଡାର ଚାବିର ପ୍ରମୁଖ ଦାବିଦାର

Politics State

ବନ୍ତ/ଆଗରପଡ଼ା :ଭଦ୍ରକ ଜିଲ୍ଲାର ପାଞ୍ଚ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଭଣ୍ଡାରିପୋଖରୀ ଅନ୍ୟତମ । ଏହି ନିର୍ବାଚନ ମଣ୍ଡଳୀ ଦୁଇଟି ବ୍ଲକ ଓ ୪୮ଟି ପଞ୍ଚାୟତକୁ ନେଇ ଗଠିତ । ଏହି ଚର୍ଚ୍ଚିତ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ସାଧାରଣ ନିର୍ବାଚନରେ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ବହୁଜନ ସମାଜବାଦୀ ପାର୍ଟିର ସନ୍ତୋଷ ପାର୍ସୀଙ୍କ ପ୍ରାର୍ଥୀ ପତ୍ର ନାକଜ ହୋଇଯିବାପରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ପିସିସି ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ(କଂଗ୍ରେସ), ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ(ବିଜେଡ଼ି), ପ୍ରାକ୍ତନ ପ୍ରାଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ଡ଼ଃ ସୁଧାଂଶୁ ଶେଖର ନାୟକ(ବିଜେପି), ଦେବାଶିଷ ପାଣିଗ୍ରାହୀ(ଆମ ଆଦମୀ), ମନୋଜ ଜେନା(ବିଏସପି), ଦିଗମ୍ବର ସ୍ୱାଇଁ (ଏସୟୁସିଆଇ), ନରହରି ସାହୁ(ଏନଏସପି), ନିରୁପମା ଦାସ(କୃପା ପାର୍ଟି), ବିଜୟ ମଲ୍ଲିକ(ଓଜେପି), ଉତ୍କଳ କେଶରୀ ବିଶ୍ୱାଳ, ପ୍ରଶାନ୍ତ ବେହେରା, ସତ୍ୟରଂଜନ ଯେନା ଓ ସନ୍ତୋଷ ପଲାଇ ପ୍ରମୁଖ ସ୍ୱାଧୀନ ପ୍ରର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଏଥର ନିର୍ବାଚନରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ ସୁଦ୍ଧା ସଂଜୀବ ଓ ନିରଞ୍ଜନ ମଧ୍ୟରେ ଲଢେଇ ହେବ ବୋଲି ପ୍ରାକ୍ ଆକଳନରୁ ଜଣାପଡ଼ିଛି । ବହୁ କଳ୍ପନା ଜଳ୍ପନା ପରେ ଗତ ଥରର ବିଜେଡ଼ି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ଆସନରେ ପ୍ରାର୍ଥୀ କରାଯାଇଥିବା ବେଳେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଭଣ୍ଡାରିପୋଖରୀ ପାଇଁ ଦଳିୟ ଟିକେଟ ପାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ବର୍ତ୍ତମାନ ପରିପ୍ରେକ୍ଷିରେ କଂଗ୍ରେସ ଦଳ ସହ କଡ଼ା ଟକ୍କରର ସମ୍ମୁଖୀନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଯଦିବି ସେ ବିଜୟ ହୁଅନ୍ତି ତେବେ ବିଜୟ ବ୍ୟବଧାନରେ ପରିବର୍ତ୍ତନ ହେବା ସୁନିଶ୍ଚିତ । ସେହିପରି ପିସିସି ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳରୁ ୨ୟ ଥର ପ୍ରାର୍ଥୀ ହେବା ପରେ ଦଳ ଗତ ଥରର ଭୂଲକୁ ସଂଶୋଧନ କରିବା ସହ କଂଗ୍ରେସ କର୍ମୀମାନେ ତୃଣମୂଳ ସ୍ତରରୁ ଏକଜୁଟ ହୋଇ ଏକ ନୂତନ ସମୀକରଣ ସୃଷ୍ଟି କରିବା ସହ ବିଜେଡ଼ି ଓ ବିଜେପି ଉଭୟଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ସେହିପରି ପ୍ରାକ୍ତନ ପ୍ରାଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ଡ଼ଃ ସୁଧାଂଶୁ ଶେଖର ନାୟକ ପ୍ରଥମ ଥର ପାଇଁ ବିଜେପି ଦଳର ମଙ୍ଗ ଧରିଛନ୍ତି । ସର୍ବତ୍ର ବିଜେପି ହାୱା ବହୁଥିବା ବେଳେ ଏହିପରି ସମୟରେ ଉକ୍ତ ଆସନରୁ ବିଜେଡ଼ି ଦଳରୁ ୩ଥର ବିଜୟ ହୋଇଥିବା ପ୍ରଫୁଲ୍ଲଙ୍କ ବିଜୟର ମୁଖ୍ୟ ବିନ୍ଧାଣୀ ସାଜିଥିବା ସୁଧାଂଶୁ ବିଜେପି ପ୍ରାର୍ଥୀ ହୋଇଥିବାରୁ ଉଭୟ ବିଜେଡ଼ି ଓ କଂଗ୍ରେସ ଶିବିରର ମୁଖିଆ ଓ କର୍ମୀଙ୍କ ମନରେ ବିଭିନ୍ନ ପ୍ରକାର ଆଶଙ୍କା ଉଙ୍କି ମାରିବାରେ ଲାଗିଛି । ସେ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ପ୍ରମୁଖ ଭୂମିକା ନିର୍ବାହ କରିବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ଏଠାରୁ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତ୍ତିର୍ଣ୍ଣ ହୋଇଥିବାବେଳେ ଚଳିତ ବର୍ଷ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି । ୧୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ନିରଜଂନ ପଟ୍ଟନାୟକ(କଂଗ୍ରେସ) ଓ ଦିଗମ୍ବର ସ୍ୱାଇଁ (ଏସୟୁସିଆଇ)ପ୍ରାର୍ଥୀଙ୍କୁ ଛାଡ଼ି ଦେଲେ ଅନ୍ୟ ୧୧ ଜଣ ପ୍ରାର୍ଥୀ ପ୍ରଥମ ଥର ପାଇଁ ଉକ୍ତ ନିର୍ବାଚନ ରଣାଙ୍ଗନରେ ଅବତ୍ତିର୍ଣ୍ଣ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳର ପ୍ରଚାରକୁ ଆକଳନକୁ ନେଲେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାର ପ୍ରାକ ଆକଳନରୁ ଜଣାପଡ଼ୁଛି । ଏବଂ ଉଭୟଙ୍କ ବିଜୟ ବ୍ୟବଧାନରେ ବିଜେପି ପ୍ରତିବନ୍ଧକ ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ସମୟ କହିବ କିଏ ଭଣାରିପୋଖରୀ ଭଣ୍ଡାର ଚାବିର ଦାବିଦାର ହେବ?