Image 13 1

ପିପିଲି-ଆଠଗଡ଼ରେ ପୁଣି ନିର୍ବାଚନୀ ହିଂସା: ୯ରୁ ଅଧିକ ଆହତ, ୩ ଜଣ ଅଟକ

Crime State

ପୁରୀ/କଟକ: ନିର୍ବାଚନ ପୂର୍ବରୁ କଟକ ଏବଂ ପୁରୀରେ ପ୍ରାକ ନିର୍ବାଚନୀ ହିଂସା। ପୁରୀ ଜିଲ୍ଲା ପିପିଲି ଏବଂ କଟକ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲି ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମତେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମିତି ସଭ୍ୟଙ୍କ ଗୋଡ଼ ଭାଙ୍ଗିଥିବା ସୂଚନା। ଅନ୍ୟ ଦୁଇ ଜଣଙ୍କ ମୁଣ୍ଡ, ହାତରେ ଆଘାତ ଲାଗିଛି। ସରପଞ୍ଚ ଓ ତାଙ୍କ ବାପା ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ। ଜଣଙ୍କ ଘରକୁ ରାତିରେ ଟେକା ପଥର ମାଡ଼ରୁ ଗଣ୍ଡଗୋଳ ହୋଇଥିବା କୁହାଯାଉଛି। ବିଜେପି କର୍ମୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ୩ ଜଣ ଅଟକ ଥିବା ସୂଚନା ରହିଛି।

ସେହିପରି ଆଠଗଡ ଥାନା ତରଡିଙ୍ଗ ଗାଁର ହରିଜନ ସାହିରେ ରାଜନୈତିକ ହିଂସାକାଣ୍ଡ ହୋଇଛି। ଟଙ୍କା, ମାଦକ ଦ୍ରବ୍ୟ ବଣ୍ଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁରୁ ତୁମୁଳକାଣ୍ଡ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ସାହିକୁ ଆସି ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟନ କରୁଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ ପ୍ରତିଦ୍ୱନ୍ଦୀ ଦଳର କର୍ମୀ । ଏହାକୁ ନେଇ ଉତ୍ତେଜନା ପରେ ମାରପିଟ ହୋଇଥିଲା। ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ନାବାଳକକୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି ।