Girl

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରୀରେ ହେଲା ବିଷାକ୍ତ ଗ୍ୟାସ୍ ଲିକ୍, ୧୮ଜଣ ହସ୍ପିଟାଲରେ ଭର୍ତ୍ତି

State

ନୀଳଗିରି : ଆରେ ଆରେ କଣ ହେଇଛି ଏମାନଙ୍କର । ଏଭଳି ତଳେ ଏମାନେ କାହିଁକି ଶୋଇ ରହିଛନ୍ତି । ଯାହା ଜଣାପଡୁଛି ଏମାନେ ସବୁ ହସ୍ପିଟାଲରେ ଅଛନ୍ତି । ହେଲେ ଏକାବେଳକେ ସମସ୍ତଙ୍କ ସହ କଣ ହେଲା ଯେ ସବୁ ଏଭଳି ଅସୁସ୍ଥ ହେଇ କଲବଲ ହେଉଛନ୍ତି ।

ଆଜ୍ଞା ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ଗଡ଼ିଆମାଳ ଠାରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରୀରେ ଘଟିଛି ଅଘଟଣ । ଗତକାଲି ରାତିର ହଠାତ୍ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଦେଖୁ ଦେଖୁ ୧୮ ଜଣ ନାବାଳିକା, ଯୁବତୀ ଏବଂ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ । କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଧୂଆଁରେ ଜଣେ ପରେ ଜଣେ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ।

ତେବେ କମ୍ପାନୀରେ କର୍ମଚାରୀ ମାନେ ଉକ୍ତ ନାବାଳିକା, ଯୁବତୀ ଓ ମହିଳାଙ୍କୁ ଉଦ୍ଧାର କରି, ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ଆହତ କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ନାବାଳିକା କର୍ମଚାରୀ ଥିବା ଜଣାପଡିଛି । ଯାହା ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ଖବର ପ୍ରଘଟ ହେଲା ପରେ, ମେଡ଼ିକାଲରେ ଭର୍ତିଥିବା ନାବାଳିକା ଶ୍ରମିକ ମାନେ ଖସି ପଳାଇଯିବା ପାଇଁ ଚେଷ୍ଟା କରୁଥିବା ବେଳେ, ସ୍ଥାନୀୟ ଲୋକେ ମାନେ ସେମାନଙ୍କୁ ଉଦ୍ଧାର କରିଥିଲେ ।

ପରେ ନୀଳଗିରି ପୋଲିସ୍ ଏନେଇ ଖବର ପାଇ ୧୦ ଜଣ ନାବାଳିକା କର୍ମଚାରୀଙ୍କୁ ଥାନରେ ଅଟକ ରଖି ପଚରାଉଚରା କରିଥିଲା । ଏହାପରେ ସମସ୍ତଙ୍କୁ ଜିଲ୍ଲା ସୁରକ୍ଷା ଗୃହକୁ ପଠାଇ ଦେଇଥିବା ଜଣାଯାଇଛି । ତେବେ ଏ ସମ୍ପର୍କରେ କମ୍ପାନୀ , ପୋଲିସ୍ ଓ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ବାଲେଶ୍ୱର ଶ୍ରମ ଅଧିକାରୀ କହିଛନ୍ତି ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିବ । ଆଉ ସତ ସାମ୍ନାକୁ ଆସିଲା ପରେ ଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୧୪ ବର୍ଷରୁ କମ୍‌ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ । ଏଥିପାଇଁ ଜେଲ ଦଣ୍ଡ ଭଳି କଡା ନିୟମ ମଧ୍ୟ ରହିଛି । କୌଣସି ନାବାଳକ କିମ୍ବା ନାବାଳିକାଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନକୁ ସରକାରଙ୍କ ପକ୍ଷରୁ ତାଗିଦ୍ କରାଯାଇଛି । ଏହାପରେ ବି ଯଦି ଏଭଳି ଘଟଣା ସାମ୍ନାକୁ ଆସୁଛି ତେବେ ଏ ଦିଗରେ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତୀ ଆବଶ୍ୟକ ।